ଆଗଧାଡିର ନାୟିକା ଅର୍ଚ୍ଚିତା ସାହୁ

Talented actress Archita Sahoo

ଜନ୍ମ – 1990 ଜୁନ୍ ମାସ ୨୯ ତାରିଖ, ଭୁବନେଶ୍ୱର
ବୃତ୍ତି – ଅଭିନେତ୍ରୀ, ମଡେଲର
୨୦୦୫ ମସିହାରେ ଓଡ଼ିଆ ସିନେମା ‘ଓ ମାଇଁ ଲଭ୍’ ମାଧ୍ୟମରେ ଅର୍ଚ୍ଚିତାଙ୍କୁ ପ୍ରଥମ କରି ରୂପେଲି ପରଦାରେ ଦର୍ଶକମାନେ ଦେଖିଥିଲେ । ଭୁବନେଶ୍ୱର ଡି.ଏମ୍. ସ୍କୁଲରୁ ଶିକ୍ଷା ଗ୍ରହଣ କରି କିଟ୍ ମହାବିଦ୍ୟାଳୟରୁ ବି.ଟେକ୍ ଗ୍ରାଜୁଏସନ୍ କରିଛନ୍ତି ଅର୍ଚ୍ଚିତା । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅର୍ଚ୍ଚିତା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏକି ଆଇପିଏଲ୍ ୫ରେ ଡେକାନ୍ ଚାର୍ଜର ଦଳର ବ୍ରାଣ୍ଡ ଆମ୍ବାସାଡର ହୋଇଥିଲେ ।        
ଓଡ଼ିଶା ସିନେମା ଜଗତରେ ଜଣାଶୁଣା ଓ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀମାନଙ୍କ ମଧ୍ୟରେ ଅର୍ଚ୍ଚିତା ସାହୁ ଅନ୍ୟତମ । ଓଡ଼ିଆ ଚଳଚ୍ଚିତ୍ର ବାବୁ ଆଇ ଲଭୁ ୟୁ, ମୁଁ ଏକା ତୁମର, ଚକୋଲେଟ୍, ଆକାଶେ କି ରଙ୍ଗ ଲାଗିଲା ଭଳି ସୁପରହିଟ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ସାଜି ନିଜର ଦକ୍ଷ ଅଭିନୟ ଯୋଗୁଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ସେ । ଏହାଛଡ଼ା ଜଣେ ମଡେଲ ହିସାବରେ ସେ ସୁନାମ ମଧ୍ୟ ଅର୍ଜନ କରିଛନ୍ତି । ୨୦୧୩ ପଣ୍ଡସ୍ ଫେମିନା ମିସ୍ ଇଣ୍ଡିଆ କୋଲକାତାରେ ସେ ପ୍ରଥମ ରନର୍ସ ଅପ୍ ହେବା ସହ ଫାଇନାଲ ପର୍ଯ୍ୟାୟରେ ମିସ୍ ଟ୍ୟାଲେଣ୍ଡେଡ୍ ଓ ମିସ୍ ଷ୍ଟାଇଲିସ୍ ହେୟାର ଟାଇଟେଲ୍ ଜିତିଥିଲେ ।
ଅଭିନୟ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଅର୍ଚ୍ଚିତା ଶାସ୍ତ୍ରୀୟ ନୃତ୍ୟର ତାଲିମ ନେବା ସହ ଓଡ଼ିଶୀ ନୃତ୍ୟରେ ଦକ୍ଷତା ହାସଲ କରିଥିଲେ । ୬ ବର୍ଷ ବୟସରୁ ଓଡ଼ିଶୀ ଶିଖୁଥିବା ଅର୍ଚ୍ଚିତା ଅଖିଳ ଭାରତ ମହାବିଦ୍ୟାଳୟରୁ ବିଶାରଦ କରିଛନ୍ତି । ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଭାବେ ଜାତୀୟ ସ୍କଲାରସିପ୍ ମଧ୍ୟ ସେ ପାଇଛନ୍ତି । ୨୦୦୪ ମସିହାରେ ଅର୍ଚ୍ଚିତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ଲୋକଲୋଚନକୁ ଆସିଥିଲା, ଯେତେବେଳେ ସେ ମିସ୍ କଳିଙ୍ଗ ଟାଇଟେଲ୍ ଜିତିଥିଲେ । ତା’ ପରଠାରୁ ଓଡ଼ିଆ ସିନେମା ଜଗତରେ ସେ ପାଦଥାପି ଆଉ ପଛକୁ ବୁଲି ଚାହିଁ ନାହାନ୍ତି । ଧିରେ ଧିରେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି ଅର୍ଚ୍ଚିତା । ଓଡ଼ିଆ ସିନେମା ଜଗତରେ ଜଣେ ଆଗଧାଡ଼ିର ନାୟିକା ଭାବେ ସେ ବେଶ ପରିଚିତି ପାଇଛନ୍ତି । ନାୟକ ସବ୍ୟସାଚୀଙ୍କ ସହ ଅର୍ଚ୍ଚିତାଙ୍କ ଅନ୍ ସ୍କ୍ରିନ୍ କେମେଷ୍ଟ୍ରି ବେଶ ସଫଳତା ହାସଲ କରିଛି ।
ଅଭିନୟ ବ୍ୟତୀତ ମଡେଲିଙ୍ଗ ଏବଂ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଛନ୍ତି ଅର୍ଚ୍ଚିତା । କ୍ୟାରିୟର ଆରମ୍ଭରୁ ନିଜର ନିଖୁଣ ଅଭିନୟ ଯୋଗୁଁ ବେଷ୍ଟ ନ୍ୟୁକମର୍ ଓ ବେଷ୍ଟ ଆକ୍ଟ୍ରେସ ଆୱାର୍ଡରେ ସେ ସମ୍ମାନିତ ହୋଇଛନ୍ତି । ସେ ଜଣେ ଏକମାତ୍ର ଅଭିନେତ୍ରୀ ଯିଏକି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ବେଷ୍ଟ ଆକ୍ଟ୍ରେସ ଭାବେ ରାଜ୍ୟ ସରକାରଙ୍କ ଠାରୁ ୩ଥର ଆୱାର୍ଡ ପାଇଛନ୍ତି ।

ନାୟିକା ଭୂମିକାରେ ଅର୍ଚ୍ଚିତାଙ୍କ ଚଳଚିତ୍ର
୨୦୦୫ – ଓ ମାଇଁ ଲଭ୍, ୨୦୦୬ – ବାବୁ ଆଇ ଲଭ୍ ୟୁ, ଦେ ମା ଶକ୍ତି ଦେ, ୨୦୦୭ – ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଧନରେ ରଖିବୁ ସପଥ ମୋର, ୨୦୦୮- ମୁଁ ସ୍ୱପ୍ନର ସୌଦାଗର, ମତେ ଆଣିଦେଲ ଲକ୍ଷେ ଫଗୁଣ, ୨୦୦୯- ଆକାଶେ କି ରଙ୍ଗ ଲାଗିଲା, କେଉଁ ଦୁନିଆରୁ ଆସିଲ ବନ୍ଧୁ, ପାଗଳ କରିଛି ପାଉଁଜି ତୋର, ୨୦୧୦- ଆଲୋ ମୋର କଣ୍ଢେଇ, ତୋର ମୋର ଯୋଡ଼ି ସୁନ୍ଦର, ୨୦୧୧- ଲୋଫର, ଚକୋଲେଟ୍, ୨୦୧୨- ଥୁକୁଲ, କେବେ ତମେ ନାହଁ କେବେ ମୁଁ ନାହିଁ, ଶପଥ, ରଜା ଝିଅ ସାଙ୍ଗେ ହେଇଗଲା ଭାବ, ୨୦୧୩- ଏସିପି ସାଗରିକା, ମୁଁ ଏକା ତୁମର, ୨୦୧୪- ସ୍ମାଇଲ୍ ପ୍ଲିଜ୍, ୨୦୧୫ – ପିଲାଟା ବିଗିଡ଼ଗଲା, ୨୦୧୬- ହେଲା ମତେ ପ୍ରେମ ଜର, ବାଏ ବାଏ ଦୁବାଇ, ୨୦୧୭- ଜଷ୍ଟ ମୋହବତ୍

 

 

ଦିପ୍ତିରଞ୍ଜନ ବେହେରା

 

ଦିପ୍ତିରଞ୍ଜନ ବେହେରା
Previous ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ: ୪ଟି ସଙ୍ଗଠନ ସହିତ ଏମ୍ଓୟୁ
Next ରଣଜୀ ଦଳର ଅଧିନାୟକ ଗୋବିନ୍ଦଙ୍କ ନିର୍ବନ୍ଧ

No Comment

Leave a reply

Your email address will not be published. Required fields are marked *