ସ୍ୱପ୍ନର ମତ୍ସ୍ୟକନ୍ୟା ସୋନିକା


ସୌନ୍ଦର୍ଯ୍ୟ ରାଣୀ ସୋନିକା ରଏ ମିସ୍ ଏସିଆ ପାସିଫିକ୍ ୨୦୧୭ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଜୀବନରେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନରଖି ଅନେକ ସଫଳତା ସାଉଁଟିବାକୁ ଲକ୍ଷ୍ୟ ରଖିଛନ୍ତି ମିସ୍ ସୋନିକା ।

ମିସ୍ ଏସିଆ ପାସିଫିକରେ ଚମ୍ପିଆନ୍ ହେବା ବ୍ୟତୀତ ମିସ୍ ଇଣ୍ଡିଆ-୨୦୧୫ରେ ଫାଇନାଲିଷ୍ଟ, ଏସିଆ ପାସିଫିକ୍ ଇଣ୍ଟରନେସନାଲରେ ମିସ୍ ପିପୁଲ୍ସ ଚଏସ୍ ଆୱାର୍ଡ ଏବଂ ମିସ୍ ଜାନିଆ ଅନ୍ଲାଇନ୍ ପୁରସ୍କାର ମଧ୍ୟ ଜିତିଛନ୍ତି । ଅନଲାଇନରେ ସୋନିକାଙ୍କ ଫଟୋକୁ ୫୦,୦୦୦ ଲୋକ ଲାଇକ୍ କରିବା ସହ ୩୯,୦୦୦ ଜଣ ସେୟାର କରିଥିଲେ । ଅନଲାଇନରେ ସର୍ବାଧିକ ଭୋଟ ପାଇ ମିସ୍ ଏସିଆ ପାସିଫିକ୍ଇଣ୍ଟରନେସନାଲ୍-୨୦୧୭ରେ ମିସ୍ ପିପୁଲ୍ସ ଚଏସ୍ ପୁରସ୍କାର ହାତେଇଥିଲେ ଏହି ସୁନ୍ଦରୀ ଲଳନା । ଫିଲିପାଇନ୍ସ ଲୋକଙ୍କ ଭଲପାଇବା ସହ ବହୁ ଅଭୁଲା ସ୍ମୃତିକୁ ସାଉଁଟି ଜନ୍ମମାଟିକୁ ଫେରିଆସିଛନ୍ତି ସୋନିକା । ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଯୋଗ ଦେଇ ବହୁତ କିଛି ଶିଖିବାକୁ ମିଳିଲା ବୋଲି କହନ୍ତି ଏହି ସୁନ୍ଦରୀ ରାଣୀ ।

ସୁନ୍ଦରୀ ପ୍ରତିଯୋଗିତାରେ ଅନେକ ଗୁଡିଏ ରାଉଣ୍ଡରେ ଭାଗ ନେଇଥିଲେ ସୋନିକା । ଫିଲିପାଇନ୍ସରେ ବିତାଇଥିବା ୨୧ ଦିନ ତାଙ୍କୁ ବହୁ ଶ୍ରମ ସ୍ୱୀକାର କରିବାକୁ ପଡିଥିଲା । ପ୍ରି-ଜଜେସ୍ ରାଉଣ୍ଡରେ ଅନ୍ତର୍ଜାତୀୟସ୍ତରର ବିଚାରକ ମଣ୍ଡଳୀ ତାଙ୍କୁ ଭାରତ ଏବଂ ଓଡିଶାର ସଂସ୍କୃତି ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ । ଜଗନ୍ନାଥ ମନ୍ଦିର, ଓଡିଶା ପର୍ଯ୍ୟଟନ ଏବଂ ଅନ୍ୟ ଐତିହାସିକ ତୀର୍ଥସ୍ଥଳୀ ବିଷୟରେ ସୋନିକା କହିବା ପରେ ଉପସ୍ଥିତ ବିଚାରକମଣ୍ଡଳୀ ସନ୍ତୋଷବ୍ୟକ୍ତ କରିଥିଲେ ।

ଫିଲିପାଇନ୍ସରେ ଆୟୋଜିତ ଏହି ଇଭେଣ୍ଟରେ ସୋନିକା ୪୨ଟି ଦେଶର ପ୍ରତିଯୋଗୀଙ୍କ ସହ ମିଶିବାର ଅପୂର୍ବ ସୁଯୋଗ ପାଇଥିଲେ । ବ୍ରାଜିଲ୍, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା ଭଳି  ଅନେକ ଦେଶର ସଂସ୍କୃତି ବିଷୟରେ ସେ ଏହି ଅବସରରେ ଜାଣିବାକୁ ପାଇଲେ । ମିସ୍ ହଂକଙ୍ଗ ଏବଂ ମିସ୍ ଆଇସଲାଣ୍ଡ ତାଙ୍କର ରୁମ୍ ମେଟ୍ ଥିଲେ । ମାନିଲା ବିମାନବନ୍ଦରରେ ସ୍ଥାନୀୟ ଦର୍ଶକ ତାଙ୍କୁ ବିପୁଳ ସ୍ୱାଗତ କରିବା ସଙ୍ଗେସଙ୍ଗେ ସେଲ୍ଫି ଉଠାଇଥିଲେ ।

Previous ରଣଜୀ ଦଳର ଅଧିନାୟକ ଗୋବିନ୍ଦଙ୍କ ନିର୍ବନ୍ଧ
Next ଉଦାର ମଣିଷ ଡି.ପ୍ରକାଶ ରାଓ

No Comment

Leave a reply

Your email address will not be published. Required fields are marked *