କର୍ମଜୀବୀ ମହିଳାଙ୍କ ଆତ୍ମରକ୍ଷା ପ୍ରସ୍ତୁତି

Safety tips for working women

ଆତ୍ମନିର୍ଭରଶୀଳ ହେବାକୁ ହେଉ କିମ୍ବା ପରିବାର ପ୍ରତିପୋଷଣ ପାଇଁ, ଆଧୁନିକତା ସହ ତାଳ ଦେଇ ଅନେକ ମହିଳା ଏବେ କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି । ଉଚ୍ଚଶିକ୍ଷିତା ମହିଳାମାନେ ପରିବାର ପ୍ରତି ଯେତିକି ଗୁରୁତ୍ୱ ଦେଉଛନ୍ତି, ନିଜର ଶିକ୍ଷାଗତ ଯୋଗ୍ୟତାକୁ ଉପଯୋଗ କରି କିଛି ଅର୍ଥ ରୋଜଗାର ପାଇଁ ସେତିକି ଉଚ୍ଛୁକ । ତେଣୁ ସେମାନଙ୍କୁ ପ୍ରତିଦିନ ଅଫିସ୍ ଯିବାକୁ ପଡ଼ୁଛି ଏବଂ ଅଫିସ କାର୍ଯ୍ୟରେ ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଯିବାକୁ ପଡ଼ୁଛି । ତେଣୁ ବର୍ତ୍ତମାନ ସମୟରେ ଲୁଟ୍, ଛିନତାଇ,ଅସଦାଚରଣ ଓ ଯୌନଶୋଷଣ ଭଳି ଘଟୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ମହିଳାମାନେ ଘରୁ ବାହାରିବା ପରେ ଏବଂ କର୍ମକ୍ଷେତ୍ରରେ କିପରି ଏହାର ଶିକାର ନହେବେ ସେନେଇ ସତର୍କ ରହିବା ଉଚିତ ।

  • ଘରୁ ବାହାରିବା ସମୟରେ ମୋବାଇଲ ଫୋନରେ ଯଥେଷ୍ଟ ଚାର୍ଜ ଅଛି କି ନାହିଁ ଦେଖିନିଅନ୍ତୁ । ଘରୁ ବାହାରିବା ପୂର୍ବରୁ ମୋବାଇଲ ପୁରା ଚାର୍ଜ କରି ରଖିବା ଭଲ । ଆବଶ୍ୟକ ପଡ଼ିଲେ ପାୱାର୍ ବ୍ୟାଙ୍କ୍ ମଧ୍ୟ ସାଥିରେ ନେଇପାରନ୍ତି । ଏଥିସହ ମୋବାଇଲ ଆକାଉଣ୍ଟରେ କଥା ହେବା ପାଇଁ ଯଥେଷ୍ଟ ଟକ୍ ଟାଇମ ବାଲାନ୍ସ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରନ୍ତୁ । ନଚେତ୍ ଦରକାର ସମୟରେ ସାହାଯ୍ୟ ପାଇଁ ଆପଣ କାହାକୁ ଫୋନ କରିପାରିବେ ନାହିଁ । ଘରୁ ବାହାରିବା ସମୟରେ ସମ୍ଭବ ହେଲେ, କୁଆଡ଼େ ଯାଉଛନ୍ତି ଏବଂ କେତେବେଳେ ଫେରିବେ ସେନେଇ ନିଜର କେହି ସମ୍ପର୍କୀୟଙ୍କୁ ଜଣାନ୍ତୁ । ଅଥବା ଆପଣ ଏନେଇ ଘରେ ଏକ ନୋଟ୍ ମଧ୍ୟ ଛାଡ଼ି ଯାଇପାରନ୍ତି ।
  • ଆପଣଙ୍କ ମୋବାଇଲ ଫୋନରେ ନିଜର କିଛି ପରିବାର ଲୋକ, ଘନିଷ୍ଠ ବନ୍ଧୁ ଏବଂ ନିକଟ ସମ୍ପର୍କୀୟଙ୍କ ନମ୍ବର ସ୍ପିଡ୍ ଡାଏଲ୍ ସେଟିଂରେ ସେଭ୍ କରି ରଖନ୍ତୁ । ଜରୁରୀ ସମୟରେ ଏହା ଆପଣଙ୍କୁ ସାହାଯ୍ୟ କରିପାରେ । ସ୍ମାର୍ଟ ଫୋନ ଥିଲେ ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଆପ୍ ଡାଉନଲୋଡ କରିପାରନ୍ତି । ଆପଣ ରହୁଥିବା ଅଞ୍ଚଳର ଥାନା କିମ୍ବା ଫାଣ୍ଡିର ନମ୍ବର ମଧ୍ୟ ଆପଣ ସେଭ୍ କରିରଖିପାରନ୍ତି । ରାସ୍ତାରେ ମୋବାଇଲ ଫୋନକୁ ହାତରେ ଧରି ଚାଲନ୍ତୁ ନାହିଁ । ଛିନତାଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ବ୍ୟାଗରେ ରଖି ଇୟରଫୋନକୁ ବ୍ୟବହାର କରିପାରନ୍ତି । କିନ୍ତୁ ମୋବାଇଲ ଫୋନକୁ ସର୍ବଦା ସ୍ୱିଚ୍ ଅନ୍ ରଖନ୍ତୁ ।

ଅଘଟଣର ସମ୍ମୁଖୀନ ହେବା ପରେ ତାହାର ମୁକାବିଲା କରିବାଠୁ, ପ୍ରଥମରୁ ସେଭଳି ପରିସ୍ଥିତିରେ ଯେପରି ଆପଣ ନପଡ଼ନ୍ତି ସେଥିପ୍ରତି ସତର୍କ ରହିବା ଶ୍ରେୟସ୍କର

  • ଆବଶ୍ୟକ ନଥିଲେ ଅଧିକ ଗହଣା ପିନ୍ଧନ୍ତୁ ନାହିଁ । ପାଖରେ ଆବଶ୍ୟକତା ଠାରୁ ଅଧିକ ଟଙ୍କା ରଖନ୍ତୁ ନାହିଁ । ଡେବିଟ ଓ କ୍ରେଡିଟ କାର୍ଡ ଆଦି ସାବଧାନତାର ସହ ବ୍ୟାଗରେ ରଖନ୍ତୁ ଏବଂ ସେଗୁଡ଼ିକୁ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ନିଜର ଆତ୍ମରକ୍ଷା ପାଇଁ ପାଖରେ ପିପର୍ ସ୍ପ୍ରେ କିମ୍ବା ନେଲ୍ କଟର ଆଦି ରଖନ୍ତୁ । କିନ୍ତୁ ମନେ ରଖନ୍ତୁ, ଏସବୁର ବ୍ୟବହାର ସଠିକ ଭାବେ ଜାଣିଥିଲେ ହିଁ ପାଖରେ ରଖନ୍ତୁ । ନଚେତ୍ ଅପରାଧି ଏହା ଆପଣଙ୍କ ବିରୁଦ୍ଧରେ ମଧ୍ୟ ବ୍ୟବହାର କରିପାରେ ।
  • ଆପଣ ଯଦି ବସ୍, ଅଟୋ ରିକ୍ସା, ଟାକ୍ସି କିମ୍ବା କ୍ୟାବ୍ ରେ ଅଫିସ ଯାଉଛନ୍ତି, ତେବେ ସେଗୁଡ଼ିକୁ ଅପେକ୍ଷା କରିବା ସମୟରେ କେତେକ ସାବଧାନତା ଅବଲମ୍ବନ କରନ୍ତୁ । ଲୋକମାନେ ଛିଡ଼ା ହୋଇଥିବା ସ୍ଥାନରୁ ଦୂରେଇ, ନିଛାଟିଆ , ଅନ୍ଧାରୁଆ କିମ୍ବା ଫାଙ୍କା ସ୍ଥାନରେ ଛିଡ଼ା ନହୋଇ ସର୍ବଦା ଜନଗହଳିପୂର୍ଣ୍ଣ ସ୍ଥାନରେ ଛିଡ଼ା ହୁଅନ୍ତୁ । ଆପଣଙ୍କୁ ଏକାକି ଦେଖି କେହି ଆକ୍ରମଣ, କମେଣ୍ଟ, ଅସଦାଚରଣ କରିବାକୁ ଚେଷ୍ଟା କରିପାରେ । କିନ୍ତୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସେଭଳି କେହି ସାହସ କରିବ ନାହିଁ । ରାସ୍ତାରେ ଯିବା ବେଳେ ଅନ୍ୟମନସ୍କ ରୁହନ୍ତୁ ନାହିଁ ଏବଂ ସର୍ବଦା ପାରିପାର୍ଶ୍ୱିକ ସ୍ଥିତି ଉପରେ ନଜର ରଖନ୍ତୁ ।
  • ଅଟୋ, ଟାକ୍ସି କିମ୍ବା କ୍ୟାବ୍ ରେ ବସିବା ପୂର୍ବରୁ ଗାଡ଼ିର ନମ୍ବରକୁ ନିଜ ବିଶ୍ୱସ୍ତ ଲୋକଙ୍କୁ ଫୋନରେ ମେସେଜ କରିଦିଅନ୍ତୁ । ଆପଣ ସିଧାସଳଖ ନମ୍ବର ପ୍ଲେଟର କିମ୍ବା ଗାଡ଼ି ଓ ଡ୍ରାଇଭର ସମ୍ପର୍କରେ ଲେଖାଥିବା କାର୍ଡର ଫଟୋ ଉଠାଇ ମଧ୍ୟ ପଠାଇ ପାରିବେ । ଗାଡ଼ିରେ କେହି ଲୋକ ନଥିଲେ ଅଥବା ଡ୍ରାଇଭର କିମ୍ବା ସହଯାତ୍ରୀଙ୍କ ଉପରେ ଆପଣଙ୍କ ସନ୍ଦେହ ହେଲେ ଗାଡ଼ିରେ ବସନ୍ତୁ ନାହିଁ । ଯଦି ଗାଡ଼ିରେ ବସିଛନ୍ତି, ତେବେ ତୁରନ୍ତ ଗାଡ଼ି ଅଟକାଇ ଓହ୍ଲେଇ ଯାଆନ୍ତୁ ।ଗାଡ଼ିରେ ଏକୁଟିଆ ଥିଲେ, ଡ୍ରାଇଭରକୁ ଶୁଣାଯିବା ଭଳି କଣ୍ଠରେ ଜଣଙ୍କୁ ଫୋନ କରି କେଉଁ ଗାଡ଼ିରେ ଯାଉଛନ୍ତି, ଗାଡ଼ିର ନାଁ, କେତେବେଳେ ଗାଡ଼ିରେ ବସିଲେ ଏବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ କେତେ ସମୟ ଲାଗିବ ଜଣାଇ ଦେଇପାରନ୍ତି ।
  • ଆପଣଙ୍କ ଦୈନନ୍ଦିନ ଜୀବନରେ ହୁଏତ କୌଣସି ଡ୍ରାଇଭର୍, ସହଯାତ୍ରୀ, ଦୋକାନୀ କିମ୍ବା ସ୍ୱଳ୍ପ ପରିଚିତ ଲୋକଙ୍କ ସହ ପ୍ରତିଦିନ ଦେଖା ହେଉଥାଇପାରେ । ସେମାନେ ପରିଚିତ ଲୋକଙ୍କ ଭଳି ଆପଣଙ୍କ ସହ ବ୍ୟବହାର କରୁଥାଇପାରନ୍ତି । କିନ୍ତୁ ସେମାନଙ୍କ ସହ କଥା ହେବା ସମୟରେ ସଜାଗ ରହନ୍ତୁ । ନିହାତି ଆବଶ୍ୟକତା ନଥିଲେ ସେମାନଙ୍କୁ କୌଣସି ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ । ଯେପରିକି ଆପଣଙ୍କ ମୋବାଇଲ ନମ୍ବର, ଘର ଠିକଣା, ଘରେ କିଏ କିଏ ରହନ୍ତି, ଆପଣଙ୍କ ସ୍ୱାମୀ କିମ୍ବା ପରିବାର ଲୋକ କଣ କରନ୍ତି, ପିଲା କେଉଁ ସ୍କୁଲରେ ପଢ଼େ, ଆପଣ କିମ୍ବା ଘରେ ଅନ୍ୟ କୌଣସି ସଦସ୍ୟ କେତେବେଳେ ଅଫିସ ଯାଆନ୍ତି ଓ ଫେରନ୍ତି, ଏହି ସବୁ ସୂଚନା ଅପରିଚିତ ଲୋକଙ୍କୁ ଦିଅନ୍ତୁ ନାହିଁ । ଆବଶ୍ୟକସ୍ଥଳେ ମିଛ କହିପାରନ୍ତି । ଅହେତୁକ ଅନୁକମ୍ପା ଦେଖାଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଉପରକୁ ଯେତେ ଭଦ୍ର ଦେଖାଗଲେ ମଧ୍ୟ ଅପରିଚିତ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।
  • ନିଜ ସ୍କୁଟି କିମ୍ବା କାର୍ ବ୍ୟବହାର କରୁଥିଲେ ମଧ୍ୟ କିଛି ସତର୍କତା ଅବଲମ୍ବନ କରନ୍ତୁ । କାର୍ ଚଳାଇବା ସମୟରେ ଡୋର୍ ଏବଂ ୱିଣ୍ଡୋ ଭଲଭାବେ ବନ୍ଦ କରି ରଖନ୍ତୁ । ଅପରିଚିତ ବ୍ୟକ୍ତି ଡାକିଲେ, ହଠାତ୍ ୱିଣ୍ଡୋ କାଚ ତଳକୁ କରନ୍ତୁ ନାହିଁ । କାର୍ ହେଉ କିମ୍ବା ସ୍କୁଟି ଅଜଣା ଲୋକଙ୍କୁ ଆଦୌ ଲିଫ୍ଟ ଦିଅନ୍ତୁ ନାହିଁ । ବଡ଼ ପାର୍କିଂ ସ୍ଥଳ ଗୁଡ଼ିକ ସାଧାରଣତଃ ନିଛାଟିଆ ହୋଇଥାଏ । ତେଣୁ ସେଠାକୁ ଗାଡ଼ି ରଖିବା ପାଇଁ କିମ୍ବା ବାହାର କରିବା ପାଇଁ ଯିବା ପୂର୍ବରୁ ସତର୍କ ରୁହନ୍ତୁ । ଆବଶ୍ୟକ ପଡ଼ିଲେ ସିକୁରିଟି ଗାର୍ଡ କିମ୍ବା କୌଣସି ପରିଚିତ ସହକର୍ମୀଙ୍କ ସାହାଯ୍ୟ ନେଇପାରନ୍ତି ।ଯଦି ଆପଣ ଅଫିସରୁ ଆସିବା ବେଳକୁ ଗାଡ଼ି ହଠାତ୍ ଖରାପ ହୋଇଗଲା, ତେବେ ଅଫିସକୁ ଫେରିଯାଆନ୍ତୁ ଓ କେହି ବିଶ୍ୱସ୍ତ ଲୋକଙ୍କୁ ଡକାନ୍ତୁ ।ଅଜଣା ଲୋକଙ୍କ ଗାଡ଼ିରେ ଲିଫ୍ଟ ନିଅନ୍ତୁ ନାହିଁ ।ପରିଚିତ ଲୋକ କିମ୍ବା କୌଣସି ସହକର୍ମୀଙ୍କ ଗାଡ଼ିରେ ଲିଫ୍ଟ ନେଲେ ଘରଲୋକଙ୍କୁ ଜଣାଇ ଦିଅନ୍ତୁ ।
  • କେବଳ ରାସ୍ତାରେ କିମ୍ବା ଗାଡ଼ିରେ ନୁହେଁ, ଅନେକ କର୍ମଜୀବି ମହିଳା ନିଜ କର୍ମକ୍ଷେତ୍ରରେ ବା ଅଫିସରେ ମଧ୍ୟ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି ।ଅଫିସରେ ମହିଳାଙ୍କୁ ଅନେକ ପୁରଷ କର୍ମଚାରୀଙ୍କ ସହ କାର୍ଯ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଅପରାଧିକ ମାନସିକତା ଯୁକ୍ତ ଅନେକ କର୍ମଚାରୀ ପରିସ୍ଥିତି କିମ୍ବା ଅସହାୟତାର ସୁଯୋଗ ନେଇ ମହିଳା କର୍ମଚାରୀଙ୍କୁ ନିଜ ଅପରାଧିକ ପ୍ରବୃତ୍ତିର ଶିକାର ବନାନ୍ତି ।ସେମାନଙ୍କ ଠାରୁ ସତର୍କ ରୁହନ୍ତୁ । ଆପଣଙ୍କୁ ଆପଣଙ୍କ ସହଯୋଗୀ କିମ୍ବା ଉପରିସ୍ଥ କର୍ମଚାରୀ କିମ୍ବା ଅଫିସରେ ଅନ୍ୟକେହି, ଅଶ୍ଳୀଳ ଇଙ୍ଗିତ କରୁଥିଲେ, ତାକୁ ହେୟଜ୍ଞାନ କରନ୍ତୁ ନାହିଁ । ତୁରନ୍ତ ଏହାକୁ ପ୍ରତିରୋଧ କରନ୍ତୁ ନଚେତ୍ ଉପରିସ୍ଥ ଅଧିକାରୀ କିମ୍ବା ମହିଳା ସହକର୍ମୀଙ୍କୁ ଜଣାନ୍ତୁ ।ଅସଦାଚରଣର ଶିକାର ହେଲେ କାର୍ଯ୍ୟାଳୟରେ ଗଠିତ ମହିଳା କମିଟିରେ ଅଭିଯୋଗ କରନ୍ତୁ । ସୁପ୍ରିମ କୋର୍ଟଙ୍କ ଏକ ରାୟ ଅନୁଯାୟୀ, କୌଣସି ସଂସ୍ଥାରେ 10 ଜଣରୁ ଅଧିକ କର୍ମଚାରୀ ଥିଲେ ସେଠାରେ ମହିଳା କମିଟି ଗଠନ ହେବା ବାଧ୍ୟତା ମୂଳକ ।
  • ଅଫିସ କାର୍ଯ୍ୟରେ ହେଉ କିମ୍ବା ବ୍ୟକ୍ତିଗତ କାମ ପାଇଁ କୌଣସି ନୂଆ ସ୍ଥାନକୁ ଯାଉଥିଲେ, ସେଠାରେ ଆପଣ ନୂଆ ବୋଲି ଲୋକଙ୍କୁ ଜାଣିବାକୁ ସୁଯୋଗ ଦିଅନ୍ତୁ ନାହିଁ । କୌଣସି ଠିକଣା ପଚାରିବାର ଥିଲେ, ପୋଲିସ କିମ୍ବା ଟ୍ରାଫିକ ପୋଲିସର ସାହାଯ୍ୟ ନିଅନ୍ତୁ । ହୋଟେଲରେ ରହିଲେ, ନିଜ ରୁମ ନମ୍ବର ଅପରିଚିତଙ୍କୁ ଜାଣିବାର ସୁଯୋଗ ଦିଅନ୍ତୁ ନାହିଁ । କେଉଁ ହୋଟେଲର କେଉଁ ରୁମରେ ରହୁଛନ୍ତି ଏବଂ ଆପଣଙ୍କ ସହ କିଏ ଯାଇଛନ୍ତି ଘର ଲୋକଙ୍କୁ ଜଣାନ୍ତୁ । ନିଜର ଆତ୍ମରକ୍ଷା ପାଇଁ କିଛି ପ୍ରତିରକ୍ଷା କୌଶଳ ଶିଖିଥିଲେ ଭଲ ।

ପଙ୍କଜିନୀ ବେହେରା

Previous ରେଳବାଇ କ୍ୟାଟରିଂରେ ଠକେଇ
Next ଗିନିଜ୍ ବୁକରେ ସୁଦର୍ଶନ

No Comment

Leave a reply

Your email address will not be published. Required fields are marked *