ମହିଳାଙ୍କ ସୁରକ୍ଷା କବଚ – ମୋ ସାଥୀ ଆପ୍

Mo Sathi Mobile App for Women

ନୂଆ ଟେକ୍ନୋଲଜି ସହାୟତାରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କାଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ‘ମୋ ସାଥୀ ମୋବାଇଲ୍ ଆପ୍’ର ପ୍ରଚଳନ କରାଯାଇଛି । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଆଣ୍ଡ୍ରଏଡ୍ ଆପ୍ ବେଶ ଲାଭପ୍ରଦ ହୋଇପାରିଛି । ସହରର ଶିକ୍ଷିତ ପରିବେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଅନେକ ମହିଳା ଅସଦାଚରଣର ଶିକାର ହୋଇ ସେମାନଙ୍କ ଜୀବନ ପ୍ରତି ଭୟ ଉପୁଜୁଛି । ସେମାନଙ୍କୁ ସହାୟତାର ହାତ ବଢ଼ାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଶନରେଟ୍ ଅଫ୍ ପୋଲିସ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ପ୍ରଥମେ ଇଣ୍ଟରନେଟ୍ କନେକ୍ସନ୍ ଥିବା ନିଜର ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ ରେ ଗୁଗୁଲ୍ ପ୍ଲେଷ୍ଟୋର୍ କୁ ଯାଇ ‘ମୋ ସାଥୀ’ ଆପ୍ କୁ ଡାଉନଲୋଡ୍ କରନ୍ତୁ । ମୋ ସାଥୀ ଆଇକନକୁ କ୍ଲିକ୍ କରିବା ପରେ ରେଜିଷ୍ଟ୍ରେସନ୍ ଫର୍ମକୁ ପୂରଣ କରନ୍ତୁ । ରେଜିଷ୍ଟ୍ରେସନ୍ ଫର୍ମରେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର, ନିଜର ନାମ, ଇ-ମେଲ୍ ଆଇଡି, ଜନ୍ମ ତାରିଖ, ବ୍ଲଡ୍ ଗ୍ରୁପ୍ ଏବଂ ବର୍ତ୍ତମାନର ଠିକଣା ଭରନ୍ତୁ । ରେଜିଷ୍ଟ୍ରେସନ୍ ଫର୍ମର ଦ୍ୱିତୀୟ ପୃଷ୍ଠାରେ ନିଜର ଫଟୋ ଅପଲୋଡ୍ କରିବା ପରେ ନିଜର ନାମ ସହିତ ୩ ଜଣ ନିକଟ ସମ୍ପର୍କୀୟଙ୍କର ଫୋନ୍ ନମ୍ବର ଦିଅନ୍ତୁ । ଉକ୍ତ ତଥ୍ୟ ମୋବାଇଲ୍ ରେ ଭରିବାର ୨୪ ଘଣ୍ଟା ମଧ୍ୟରେ ଏକ SOS ଆଇକନ୍ ମୋବାଇଲ୍ କୁ ଆସିବ । ଏହାପରେ ଆପଣଙ୍କର ମୋ ସାଥୀ ଆପ୍ କାର୍ଯ୍ୟକ୍ଷମ ହୋଇଛି ବୋଲି ଜାଣନ୍ତୁ ।
ମୋବାଇଲ୍ ରେ ଠିକ୍ ଭାବେ ରେଜିଷ୍ଟ୍ରେସନ୍ ହୋଇଥିବା ମୋ ସାଥୀ ଆପ୍ ଡାଉନଲୋଡ୍ ହୋଇଥିଲେ ଆଉ ଭୟ ନାହିଁ । କୌଣସି ବିପଦ ସମୟରେ ଜଣେ ମୋ ସାଥୀ ଆପ୍ ଥିବା ମୋବାଇଲର ପାୱାର୍ ବଟନକୁ ପାଞ୍ଚଥର ଟିପିବା ପରେ ତୁରନ୍ତ ଏକ ମେସେଜ୍ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ଏବଂ ରେଜିଷ୍ଟ୍ରେସନ୍ କରିଥିବା ସମ୍ପର୍କୀୟଙ୍କ ମୋବାଇଲରେ ପହଞ୍ଚିବ । ବିପଦରେ ପଡ଼ିଥିବା ମୋ ସାଥୀ ଆପ୍ ବ୍ୟବହାରକାରୀଙ୍କ ସ୍ଥାନର ଠିକଣା ସହ ମୋବାଇଲରୁ ୩୦ ସେକେଣ୍ଡର ଭିଡିଓ ସୁଟିଂ ହୋଇ ପୋଲିସଙ୍କ ପାଖରେ ପହଞ୍ଚିଯିବ । କଣ୍ଟ୍ରୋଲ୍ ରୁମରୁ ଖବର ପାଇ ନିକଟସ୍ଥ ପୋଲିସ ଷ୍ଟେସନ୍ କିମ୍ବା ପେଟ୍ରୋଲିଂରେ ଥିବା ପୋଲିସ୍ ଭ୍ୟାନ୍ ଉକ୍ତ ସ୍ଥାନରେ ସଙ୍ଗେ ସଙ୍ଗେ ପହଞ୍ଚି ଆପଣଙ୍କୁ ବଡ଼ ବିପଦରୁ ଉଦ୍ଧାର କରିପାରିବେ ।

ଦିପ୍ତିରଞ୍ଜନ ବେହେରା
Previous ଗଣିତ - ସରଳ ସହସମୀକରଣ
Next ଗଣିତ-ଦୁଇଘାତ ସମୀକରଣ

No Comment

Leave a reply

Your email address will not be published. Required fields are marked *