ମଞ୍ଜୁଲତା ପଣ୍ଡା: ପ୍ରଥମ ଦୃଷ୍ଟିହୀନ ମହିଳା ପିଏଚ୍ଡି


କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ ଜୀବନଯାତ୍ରାରେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ସଫଳତା ହାସଲ କରିହେବ । ଏକଥାକୁ ପ୍ରମାଣିତ କରିଛନ୍ତି ସମ୍ବଲପୁର ଜିଲ୍ଲା ହୀରାକୁଦ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ମଞ୍ଜୁଲତା ପଣ୍ଡା । ସେ ଜନ୍ମାନ୍ଧ ହୋଇଥିଲେ ମଧ୍ୟ ସରକାରୀ ଏବଂ ବେସରକାରୀ ବିଭାଗରେ କାର୍ଯ୍ୟରତ ଦୃଷ୍ଟିବାଧିତଙ୍କ ସମ୍ବନ୍ଧରେ ଏକ ସନ୍ଦର୍ଭ ଲେଖି ନିକଟରେ ପିଏଚଡ଼ି ଡ଼ିଗ୍ରୀ ଲାଭ କରିଛନ୍ତି । ରାଜ୍ୟର ପ୍ରଥମ ଦୃଷ୍ଟିହୀନ ମହିଳା ଭାବେ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି । ଆଶା ହଂସ ଏବଂ ସ୍ମିତା ନାୟକଙ୍କ ମାର୍ଗଦର୍ଶନରେ ଏହି ସଫଳତା ପାଇଛନ୍ତି ମଞ୍ଜୁଲତା ।

ମଞ୍ଜୁଙ୍କ ବାପା ସନତ ପଣ୍ଡା ସରକାରୀ ଚାକିରି କରିଥିବାବେଳେ ମା କମଳା ପଣ୍ଡା ଜଣେ ସୁଗୃହିଣୀ । ଜନ୍ମରୁ ସେ ଅନ୍ଧ ହୋଇଥିଲେ ମଧ୍ୟ ବାପା ମା ତାଙ୍କୁ ଉଚ୍ଚଶିକ୍ଷା ଦେବାରେ କୌଣସି ହେଳା କରିନଥିଲେ । ୩୮ ବର୍ଷୀୟ ମଞ୍ଜୁଲତା ପାଠପଢା ଏବଂ ଚାକିରି ଖଣ୍ଡେ ଯୋଗାଡ କରିବା ପାଇଁ ଜୀବନରେ ବହୁ ଝଡଝଞ୍ଜାର ସମ୍ମୁଖୀନ ହୋଇଛନ୍ତି । ୨୦୧୩ରେ ଓପିଏସି ଦ୍ୱାରା ପରିଚାଳିତ ରାଜ୍ୟ ପ୍ରଶାସନିକ ସେବାର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସେ । ସଂରକ୍ଷିତ ବିଭାଗରେ ଥିବା ଗୋଟିଏ ପଦ ପାଇଁ ସେ ଜଣେ ମାତ୍ର ଯୋଗ୍ୟପ୍ରାର୍ଥୀ ହୋଇଥିଲେ ମଧ୍ୟ ମଞ୍ଜୁଲତାଙ୍କୁ ଚାକିରି ମିଳିନଥିଲା । ନିଯୁକ୍ତି ବିଜ୍ଞାପନରେ ଥିବା ସଂରକ୍ଷିତ ପଦ ପରେ ପୁଣି ଅଣସଂରକ୍ଷିତ ହୋଇଯାଇଥିଲା । ଯାହାକି ତାଙ୍କୁ ରାଜ୍ୟ ପ୍ରଶାସନିକ ସେବା ଭଳି ମର୍ଯ୍ୟାଦାସମ୍ପନ୍ନ ଚାକିରି ପାଇବାରୁ ବଞ୍ଚିତ କରିଥିଲା । ଓପିଏସିର ଏହି ନିଷ୍ପତ୍ତି ବିରୋଧରେ ସ୍ୟାଟର ଦ୍ୱାରସ୍ଥ ହୋଇଥିଲେ ମଞ୍ଜୁଲତା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାର ଶୁଣାଣି ହୋଇନି ।

Previous ବିଶ୍ୱ ହକି ଲିଗ୍ ଫାଇନାଲ୍: ସେମିଫାଇନାଲରେ ଭାରତ
Next ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମନଲୋଭା ବେଳାଭୂମି

No Comment

Leave a reply

Your email address will not be published. Required fields are marked *