ଆମ ଗାଁ ଝିଅ ଆରତୀ


ସମାଜ ସଂସ୍କାରକ ରାଜା ରାମମୋହନ ରାୟ ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ମହିଳାଙ୍କ କ୍ଷେତ୍ରରେ ଥିବା ଅବିଚାର ଓ କୁସଂସ୍କାର ଦୂର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଜନ ସଚେତନତା ମାଧ୍ୟମରେ ବାଲ୍ୟ ବିବାହ, ପରଦା ପ୍ରଥା ବନ୍ଦ କରିବା ସହ ବିଧବା ବିବାହ ପ୍ରଚଳନ କରିବାରେ ଅଗ୍ରଣୀ ଭୂମିକା ନିଭାଇଥିଲେ ସେ । ସ୍ୱାଧୀନତା ପରେ ନିଯୁକ୍ତି ଓ ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ନାରୀଙ୍କୁ ପୁରୁଷଙ୍କ ସହ ତାଳ ଦେଇ ଚାଲିବା ପାଇଁ ପ୍ରେରଣା ଯୋଗାଇଲା । ଏବେ ନିର୍ବାଚନରେ ମହିଳା ପ୍ରତ୍ୟକ୍ଷ ଅଂଶଗ୍ରହଣ କରି ନିଜ ଅଞ୍ଚଳରେ ଉନ୍ନତି କରିବା ସଙ୍ଗେସଙ୍ଗେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରୁଛନ୍ତି । ଏଭଳି ଜଣେ ମହିଳା ହେଲେ ଆମ ରାଜ୍ୟର ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡାର ମହିଳା ସରପଞ୍ଚ ଆରତୀ ଦେବୀ । ସେ ୱାଶିଂଟନରେ ଆୟୋଜିତ ହୋଇଥିବା ଇଂଟରନେସନାଲ ଭିଜିଟର୍ସ ଲିଡରସିପ୍ ପ୍ରୋଗ୍ରାମରେ ମହିଳାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଭାଷଣ ଦେଇ ସଭିଙ୍କ ମନ ମୋହିବା ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିବାର ସୁଯୋଗ ପାଇଥିଲେ ।

ବାପା ଭାସ୍କର ଭୂୟାଁ ଓ ମା ରମାଦେବୀଙ୍କ କ୍ରୋଡ ମଣ୍ଡନ କରିଥିଲେ ଆରତୀ । ସେ ଢୁଙ୍କାପଡାରେ ହାଇସ୍କୁଲ୍ ଶିକ୍ଷା ଶେଷ କରି ବ୍ରହ୍ମପୁରସ୍ଥ ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଲେ । ଖଲିକୋଟ ସ୍ୱୟଂସାଶିତ ମହାବିଦ୍ୟାଳୟରୁ ସ୍ନାତକ କରିବା ସହ ଏମବିଏ ଓ ଆଇନରେ ସ୍ନାତକ ମଧ୍ୟ କରିଛନ୍ତି ଆରତୀ । କଲେଜରେ ପଢିବା ଦିନଠୁ ସମାଜ ସେବାରେ ଆଗ୍ରହ ଥିଲା ତାଙ୍କର । ସେ ଆଇଡିବିଆଇ ବ୍ୟାଙ୍କରେ ଇନଭେଷ୍ଟମେଣ୍ଟ ରିପ୍ରେଯେନଟେଟିଭ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ । କିନ୍ତୁ ଜନ ସେବାରେ ରହିଥିବା ଆଗ୍ରହ ତାଙ୍କୁ ଚାକିରିରେ ବେଶି ଦିନ ବାନ୍ଧି ରଖିପାରିଲାନି । ଚାକିରି ଛାଡି ଢୁଙ୍କାପଡା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଋଣାଙ୍ଗନରେ ଅବତୀର୍ଣ୍ଣ ହେଲେ ଆରତୀ । ପଞ୍ଚାୟତବାସୀଙ୍କ ବିପୁଳ ସମର୍ଥନ ପାଇ ସେ ର୍ନିଦ୍ୱନ୍ଦରେ ବିଜୟୀ ହେଲେ । ସରପଞ୍ଚ ଭାବେ ହାତକୁ ନେଇଥିବା ଜନହିତକର କାମ ଓ ତାହାର ସୁଫଳ ଯୋଗୁଁ ଆଜି ସେ ଦେଶ ବିଦେଶରେ ସମ୍ମାନିତ ହୋଇଛନ୍ତି ।

ଯୋଗାଯୋଗ ସୁବିଧା ପାଇଁ ଗାଁକୁ ରାସ୍ତା ଓ ବିଦ୍ୟୁତ ସଂଯୋଗ ନଥିବା ଗାଁକୁ ବିଜୁଳି ଯୋଗାଇଦେବାରେ ଆରତୀଙ୍କ ନେତୃତ୍ୱରେ ମହିଳାଙ୍କ ଗଠନମୂଳକ ଆନ୍ଦୋଳନ ଆଞ୍ଚଳିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ ପ୍ରତି ଘରେ ପାଇଖାନା ଓ ଗୋଷ୍ଠୀ ପାଇଖାନା ନିର୍ମାଣର ବ୍ୟବସ୍ଥା କରିବା ଯୋଗୁଁ ସମଗ୍ର ଢୁଙ୍କାପଡା ପଞ୍ଚାୟତ ଏବେ ଖୋଲା ମଳତ୍ୟାଗ ମୁକ୍ତ ହୋଇପାରିଛି । ଜିଲ୍ଲା ଲିଗାଲ୍ ଏଡ୍ ସେଲ୍ ସହାୟତାରେ ଆଇନ୍ ସାକ୍ଷରତା ଶିବିର, ମହିଳା ସଶକ୍ତିକରଣ ପାଇଁ ସଚେତନତା, ସ୍ୱାସ୍ଥ୍ୟ ସେବା ଶିବିର, ପ୍ରତିଭା ଅନ୍ୱେଷଣ ଓ ବନୀକରଣ ଆଦି ଜନହିତକର କାମ ସେ ହାତକୁ ନୋଇଛନ୍ତି । ଟିପ ନୁହେଁ ଦସ୍ତଖତ ନାମରେ ଏକ ଅଭିଯାନ ଆରମ୍ଭ କରିବା ଦ୍ୱାରା ୧୬ଟି ୱ ।ର୍ଡର ୭୫୦ ଜଣ ମହିଳା ସାକ୍ଷର ହୋଇପାରିଛନ୍ତି ।

ହାଇଦ୍ରାବାଦ ସ୍ଥିତ ଆମେରିକା ବାଣିଜ୍ୟ ଅଫିସ୍ ପକ୍ଷରୁ ଆରତୀଙ୍କୁ ଇଂଟରନେସନାଲ ଭିଜିଟର୍ସ ଲିଡରସିପ୍ ପ୍ରୋଗାମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଗଲା । ଆମେରିକାର ୫ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ଟେଲି କନଫରେନ୍ସିଂ ଜରିଆରେ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ମନୋନୀତ କରିଥିଲେ । ଚୂଡାନ୍ତ ପର୍ଯ୍ୟାୟ ସାକ୍ଷାତକାର ପାଇଁ ଆରତୀଙ୍କୁ ଦିଲ୍ଲୀ ଯିବାକୁ ପଡିଲା । ଭାରତର ଏକମାତ୍ର ମହିଳା ଭାବେ ଯୋଗ୍ୟ ବିବେଚିତ ହେଲେ ଓ ଦକ୍ଷିଣ ଏସିଆର ଯୋଗ୍ୟ ବିବେଚିତ ପ୍ରତିନିଧିଙ୍କ ନେତୃତ୍ୱ ନେବାର ସୁଯୋଗ ମଧ୍ୟ ସେ ପାଇଲେ । ୱାଶିଂଟନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ୨୨ ଜଣ ଜନ ପ୍ରତିନିଧି ଯୋଗ ଦେଇଥିଲେ ।

ପୁଣେ ସ୍ଥିତ ଏମ୍ଆଇଟି କ୍ୟାମ୍ପସ ରେ ଆୟୋଜିତ ଜାତୀୟ ଛାତ୍ର ସଂସଦ ଉତ୍ସବ ଅବସରରେ ଦେଶର ଶ୍ରେଷ୍ଠ ମହିଳା ସରପଞ୍ଚ ଭାବେ ସମ୍ମାନିତ ହୋଇଛନ୍ତି ଆରତୀ । ଏହି ଉତ୍ସବର ମୁଖ୍ୟ ଅତିଥି ସମାଜ ସେବୀ ଆନ୍ନା ହଜାରେ ତାଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରିଥିଲେ । ଏଠାରେ ରୋଟି, କପଡା, ମକାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓଡିଶା ମାଟିର ଏହି ସୁଯୋଗ୍ୟା ସୁପୁତ୍ରୀ । ରାଜ୍ୟରେ ପ୍ରଥମ ମହିଳା ଗ୍ରାମସଭା ଆୟୋଜନ କରି ନାରୀ ସଶକ୍ତିକରଣର ଭିତ୍ତିଭୂମି ସ୍ଥାପନ କରିଛନ୍ତି ଆରତୀ ଦେବୀ । ରାଜ୍ୟ ସରକାର ତାଙ୍କର ଏଭଳି ଉଦ୍ୟମରେ ଅନୁପ୍ରାଣିତ ହୋଇ ପ୍ରତି ପଞ୍ଚାୟତରେ ମହିଳା ଗ୍ରାମସଭା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କାମ ଅନ୍ୱେଷଣରେ ବାହାରକୁ ଯାଉଥିବା ମହିଳା ପ୍ରଥମେ ପଞ୍ଚାୟତରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରିଛନ୍ତି ଆରତୀ ।

Previous ଟାଗେର୍ଟ / ସ୍ପୋକନ୍ ଇଂଲିଶ - ଭାଗ - ୬
Next ପ୍ରଥମ ଓଡିଆ ମହିଳା ଲୋକୋପାଇଲଟ

No Comment

Leave a reply

Your email address will not be published. Required fields are marked *