ଐତିହାସିକ ଯୋବ୍ରା ଆନିକଟ

Historic Jobra Anicut

Jobra Anicut

jobra bridge ଓଡ଼ିଶାର ହଜାର ବର୍ଷର ସହର ରୂପେ ପରିଚିତ କଟକ। ପର୍ବପାର୍ବଣୀ ଓ ଭାଇଚାରା ଯୋଗୁଁ ଏହି ସହର ବେଶ ଜଣାଶୁଣା। ସହର ଦୁଇ ପାଶ୍ୱରେ ବହି ଯାଇଛି ମହାନଦୀ ଓ କାଠଯୋଡ଼ୀ। କଟକ ସହରକୁ ଯାତାୟତର ସୁବିଧା ପାଇଁ ଏହି ଦୁଇ ନଦୀ ଉପରେ ନିର୍ମାଣ ହୋଇଛି ଅନେକ ସେତୁ। ସେସବୁ ସେତୁ ମଧ୍ୟରୁ କଟକ ସହର ଓ ଚୌଦ୍ୱାରକୁ ସଂଯୋଗ କରୁଥିବା ଯୋବ୍ରା ଆନିକଟ ଅନ୍ୟତମ। ମହାନଦୀ ଉପରେ ୨ କି.ମି ଲମ୍ବର ଏହି ଆନିକଟରେ ସଞ୍ଜ ନଉଁ ନଉଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ମହାନଦୀର ଜଳ ବହିଯାଉଥିବାର ଦୃଶ୍ୟ ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ପ୍ରାକୃତିକ ସୌନ୍ଦର୍ଯ୍ୟ ସତରେ ଭାରି ମନମୁଗ୍ଧକର। ଡଙ୍ଗାରେ ନଦୀ ମଝିକୁ ଯାଇ ଜାଲରେ ମାଛ ଧରିବାର ଛବି ଦେଖିବା ପାଇଁ ଅନେକ ମାଛ ପ୍ରିୟ ଲୋକ ଏଠିକି ଟାଣି ହୋଇଆସନ୍ତି। ଏଠି ତାଜା ନଦୀ ମାଛ ସଂଗ୍ରହ ମଧ୍ୟ ଅନ୍ୟ ଏକ ଆକର୍ଷଣ।Jobra Anicut Fishing

ମହାନଦୀରେ ପ୍ରଥମ ଆନିକଟ ଯୋବ୍ରାରେ ନିର୍ମାଣ କରିଥିଲେ ଇଂରେଜ ସରକାର ୧୮୬୬ ମସିହାରେ। କଟକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଜିଲ୍ଲାର ଚାଷ ଜମିକୁ କେନାଲ ଦେଇ ସୁବିଧାରେ ଜଳ ଯୋଗାଣର ସୁଯୋଗ ସୃଷ୍ଟି କରିଥିଲା ଏହି ଆନିକଟ। ଏହାଛଡ଼ା ନୌବାଣିଜ୍ୟ ସୁବିଧା ପାଇଁ ବର୍ଷ ତମାମ ମହାନଦୀ ଜଳ ପ୍ରବାହକୁ ଅବ୍ୟାହତ ରଖିବାରେ ଏହା ସହାୟକ ହେଉଥିଲା। ସମୟ ବଦଳିବା ସହ ସ୍ଥଳ ପଥରେ ପରିବହନ ସୁବିଧା ଅଧିକ ସହଜ ଓ ସୁଲ୍ଲଭ ହୋଇପାରିଛି। ପାନୀୟ ଜଳର ଆବଶ୍ୟକତା ସାଙ୍ଗକୁ ମୁଣ୍ଡ ଟେକୁଥିବା କଳକାରଖାନାର ଚାହିଦା ପୂରଣ କରିଆସୁଛି ମହାନଦୀ। ଜଳ ପ୍ରବାହ ହ୍ରାସ ପାଇବା ଓ ନଦୀଶଯ୍ୟା ଧିରେ ଧିରେ ପୋତି ହୋଇପଡ଼ିବାରୁ ନଦୀକୂଳ କଟକିଆଙ୍କ ଆକର୍ଷଣ ହରାଇଛି। ଏବେ ମହାନଦୀର ନୀଳ ଜଳରାଶିର ପ୍ଳାବନ ଓ ମନ୍ଦମଳୟ ପବନ ଉପଭୋଗ କରିିବାକୁ ହେଲେ ଯୋବ୍ରା ଆନିକଟ ହିଁ ଶ୍ରେଷ୍ଠ ଉପଭୋଗ୍ୟ ସ୍ଥାନ। ବ୍ରିଟିଶ ଅମଳର ଆନିକଟ ସ୍ଥାନରେ ୧୯୮୦ ମସିହାରୁ ମୁଣ୍ଡ ଟେକି ଉଠିଛି ଆଧୁନିକ ଶୈଳୀର ଆନିକଟ। ସେବେ ଓ ଏବେର କଟକ ସହରରେ ବହୁ ପରିବର୍ତ୍ତନ ଘଟିଛି। ସେ ପୁରୁଣା ହେଉ କି ନୂଆ ହେଉ ଯୋବ୍ରା ଆନିକଟ ପ୍ରତି ଏବେ ମଧ୍ୟ ଅହେତୁକ ଆକର୍ଷଣ ଅକ୍ଷୁର୍ଣ୍ଣ ରହିଛି। ନୂଆ ଜ୍ଞାନକୌଶଳରେ ତିଆରି ଆନିକଟକୁ ଲାଗି ଦେଢ଼ଶହ ବର୍ଷର ସେହି ପୁରୁଣା ପଥର ପୋଲ ରହିଛି। ମହାନଦୀ ଜଳର ପ୍ରବାହକୁ ରୋକୁଥିବା ସେହି ପୋଲର କିଛି ଅଂଶ ଏବେବି ସେଠାରେ ଦେଖିବାକୁ ମିଳେ।Jobra Anicut

ଏଠାରେ ଆବଦ୍ଧ କରି ରଖାଯାଇଥିବା ମହାନଦୀ ଜଳକୁ ଆନିକଟର ୯୫ଟି ଗେଟ୍ ଦେଇ ପ୍ରବାହିତ ହେବାର ସୁଯୋଗ ରହିଛି। ଆବଶ୍ୟକ ମୁତାବକ ଗେଟ୍ ଖୋଲାଯାଇ ଜଳ ଛଡ଼ାଯାଏ। ମହାନଦୀ ଓ କାଠଯୋଡ଼ି ସହରକୁ ଘେରି ରହିଥିଲେ ମଧ୍ୟ ଜଳ ପ୍ରବାହ ହ୍ରାସ ପାଇଥିବାରୁ ନଦୀକୂଳର ନିଆରା ଆନନ୍ଦ କେବଳ ଯୋବ୍ରା ଠାରେ ଉପଲବ୍ଧ। ସୁଲୁସୁଲିଆ ପବନ ସାଙ୍ଗକୁ ନଦୀର କଳ କଳ ଶବ୍ଦରେ ମନ ପ୍ରଫୁଲ୍ଲିତ ହୋଇଉଠେ। ସେହି ବାଟ ଦେଇ ଯାଉଥିବା ପଥିକ ନିଶ୍ଚୟ କିଛି ସମୟ ବ୍ୟାରେଜ୍ ଫୁଟପାଥ୍ ଉପରେ ବସିବାଟା ସ୍ୱଭାବିକ। ଖରାଦିନେ ଗରମରେ ଆଉଟୁ ପାଉଟୁ ହେଉଥିବା କଟକ ସହରବାସୀ ସୁଲୁସୁଲିଆ ଥଣ୍ଡା ପବନର ମଜା ନେବା ପାଇଁ ଆସି ପହଞ୍ଚନ୍ତି ଏଠି। ରାତି ୧୦ଟା ପରେ ବି ଏଠି ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ଆନିକଟର ଗୋଟିଏ ପାଶ୍ୱର୍ରେ ଫାଣ୍ଡି ଓ ଅନ୍ୟ ପାର୍ଶରେ ମାଲଗୋଦାମ ଥାନା ଥିବାରୁ କୌଣସି ବିପଦର ଆଶଙ୍କା ନାହିଁ। ଏହାଛଡ଼ା ବର୍ଷାଦିନେ ବଢ଼ି ପାଣି ଦେଖିବାର କୌତୁହଳ ରୋକିନପାରି ବେଶ ଭିଡ଼ ଜମାଇଥା’ନ୍ତି ଏଠାରେ ସହାବାସୀ।Jobra Anicut

ଆନିକଟ ପାଖକୁ ଲାଗିକି ରହିଛି ଗୋଟିଏ ଛୋଟ ପାର୍କ। ସୁନ୍ଦର ସୁନ୍ଦର ଫୁଲଗଛରେ ପରିପୁର୍ଣ୍ଣ ଏହି ପାର୍କରେ ବସିଲେ ଆନିକଟ ଓ ମହନଦୀର ସୁନ୍ଦର ଛବି ଦେଖିବାକୁ ମିଳେ। ପରିବାର ସହ ଆସି ସୁନ୍ଦର ବାତାବରଣରେ ନିଜକୁ ହଜାଇ ପାର୍କ ପାଖରେ ଥିବା ଚାଟ୍, ଆଇସ୍କି୍ରମ, ଗୁପଚୁପ୍ ଖାଇ ଘରକୁ ଫେରନ୍ତି ସହରବାସୀ। ନିଜର ପ୍ରିୟ ବ୍ୟକ୍ତିଙ୍କ ସହ ଏଠି କିଛି ସମୟ ଅତିବାହିତ କରିବାର ମଜା କିଛି ନିଆରା।Jobra Park

କଟକ ଷ୍ଟେସନ ଠାରୁ ମାତ୍ର ୨କି.ମି ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ଠାରୁ ୭ କି.ମି ଦୂରରେ ଅବସ୍ଥିତ ଏହି ଆନିକଟ। ଟ୍ୟାକ୍ସି କିମ୍ବା ଅଟୋ ରିଜର୍ଭ କରି ଏଠାରେ ପହଞ୍ଚିବାରେ କୌଣସି ପ୍ରତିବନ୍ଧକ ନାହିଁ।

ଦିପ୍ତିରଞ୍ଜନ ବେହେରା

Previous ଶୁଦ୍ଧ ଜଳ, ସୁସ୍ଥ ଜୀବନ
Next ଇଂରାଜରେ ଦରଖାସ୍ତ ଲିଖନ ବା Application writing

No Comment

Leave a reply

Your email address will not be published. Required fields are marked *