ଏସିଆର ସଫାସୁତୁରା ଗାଁ ମାୱଲିନନଙ୍ଗ

Asia's cleanest village

ମାୱଲିନନଙ୍ଗ ଗାଁର ସଫା ରାସ୍ତା ଓ ସୁନ୍ଦର ପରିବେଶକୁ ଦେଖିଲେ ଲାଗେ ସତେ ଯେମିତି ବିଦେଶରେ ଥିବା ଏହା କୌଣସି ଏକ ଗାଁ । କିନ୍ତୁ ପ୍ରକୃତରେ ଏହା ହେଉଛି, ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ଗାଁ ମାୱଲିନନଙ୍ଗ । ପରିଷ୍କାର ପରିଚ୍ଛନ୍ନ ଗାଁ ଭାବେ ଏହା କେବଳ ଭାରତରେ ନୁହେଁ, ସମଗ୍ର ଏସିଆ ମହାଦେଶରେ ବେଶ ପରିଚିତ ।


ଗାଁକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାର ପରମ୍ପରା କାହିଁ କେବେଠୁଁ ଚାଲିି ଆସିଛି ମାୱଲିନନଙ୍ଗ ଗାଁରେ । ପୂର୍ବ ପୁରୁଷଙ୍କ ପରାମର୍ଶ ମୁତାବକ ପରିବେଶ ସଫା ରଖିବାର ନୀତିବାଣିକୁ ଅକ୍ଷରେ ଅକ୍ଷରେ ପାଳନ କରି ତହିଁର ସୁଫଳକୁ ଉପଭୋଗ କରୁଛନ୍ତି ଗ୍ରାମବାସୀମାନେ । ନିଜ ଘର ଭଳି ଗାଁ ରାସ୍ତା ଘାଟକୁ ସଫା ରଖିବାରେ କେହି କେବେବି ପଛାନ୍ତି ନାହିଁ । କାହା ଘର ପାଖରେ ଅଳିଆ ଆବର୍ଜନା ଜମା ରହିଲେ ଅବା କେହି ପରିବେଶକୁ ଅପରିଷ୍କାର କଲେ, ଗାଁର ମୁଖିଆଙ୍କ ଦ୍ୱାରା ସେ ଦଣ୍ଡିତ ହେବାର ପରମ୍ପରା ରହି ଆସିଛି ।


ଏହି ଗାଁର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଲୋକେ କୌଣସି ପରିସ୍ଥିତିରେ ପ୍ରଶାସନର ସାହାଯ୍ୟ ଉପରେ ନିର୍ଭର ନକରି ନିଜ ଗାଁ କଥା ନିଜେ ହିଁ ବୁଝିଥାନ୍ତି । ଗାଁର ବିଭିନ୍ନ ସ୍ଥାନରେ ବାଉଁଶର ଛୋଟ ଛୋଟ ଡଷ୍ଟବିନ୍ ଦେଖିବାକୁ ମିଳେ । ସ୍ଥାନୀୟ ଲୋକେ ରାସ୍ତାରେ ଯା’ଆସ କରୁଥିବା ସମୟରେ ଅଳିଆ ପଡ଼ିଥିବା ଦେଖିଲେ, ତାକୁ ନେଇ ଆଗ ଡଷ୍ଟବିନରେ ପକାଇବା ପରେ ହିଁ ନିଜ କାମରେ ଯାଆନ୍ତି । ଗାଁକୁ ସଫା ରଖିବାର ଏହି ପରମ୍ପରା କାହିଁ କେବେଠୁଁ ଲୋକେ ମାନି ଆସୁଛନ୍ତି । ଗାଁରେ ସୋଲାର ଲାଇଟର ବ୍ୟବସ୍ଥା କରିବା ଦ୍ୱାରା ବିଜୁଳି ଖର୍ଚ୍ଚ ମଧ୍ୟ ବଞ୍ଚୁଛି ।


ମାୱଲିନନଙ୍ଗ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିଚ୍ଛନ୍ନତା ଅନେକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଗାଁ ପରିବେଶ ଅସ୍ୱଚ୍ଛ କରୁଥିବା ପର୍ଯ୍ୟଟକଙ୍କ ଠାରୁ ଅର୍ଥ ଆଦାୟ କରି ପରିବେଶ ସଫାସୁତରା ରଖିବାରେ ତାହା ଖର୍ଚ୍ଚ କରାଯାଉଥିବାରୁ ଏହାର ଭଲ ପ୍ରଭାବ ମଧ୍ୟ ବାହାର ଲୋକଙ୍କ ଉପରେ ପଡ଼ିଥାଏ । ପ୍ରତିଦିନ ସକାଳୁ ଗାଁ ଲୋକେ ଝାଡ଼ୁ ଧରି ରାସ୍ତା ସଫା କରିବାରେ ଲାଗିପଡ଼ନ୍ତି । ପିଲାଠୁଁ ବୁଢ଼ା ଯାଏଁ ସମସ୍ତେ ଗାଁକୁ ସଫା ରଖିବା ଅଭିଯାନରେ ନିଜକୁ ସାମିଲ କରିଛନ୍ତି । ଗଛରୁ ଝଡ଼ୁଥିବା ଶୁଖିଲା ପତ୍ର ଓ ଫୁଲକୁ ଏକାଠି କରି ଗୋଟିଏ ଗାତରେ ପକାଇ ଦିଆଯାଏ । କିଛି ଦିନପରେ ତାହା ସଢ଼ି ଖତରେ ପରିଣତ ହେବା ପରେ ଗାଁ ଲୋକେ ତାହାକୁ ଚାଷ କାମରେ ବ୍ୟବହାର କରନ୍ତି ।

ସବୁଠାରୁ ବଡ଼ କଥା ହେଲା ଏହି ଗାଁର ସବୁ ଘରେ ଶୌଚାଳୟ ରହିଛି । ଗାଁରେ କେହି ନୂଆ ଘର ତୋଳିବା ବେଳେ ପ୍ରଥମେ ପାଇଖାନା ତିଆରି କରିବାଟା ସୁନିଶ୍ଚିତ । ବିଗତ ୨୪ ବର୍ଷ ଧରି ଗାଁର ଲୋକମାନେ ଏହି ଧାରାରେ ଚଳିଆସୁଛନ୍ତି । ଏଠାକାର ଲୋକଙ୍କ କହିବା ମୁତାବକ ଗାଁ ରାସ୍ତାରେ ଅଳିଆ କେବେବି ପଡ଼ି ରହେନି । ଟ୍ରାଭେଲ ମାଗାଜିନ୍ ‘ଡିସକଭର୍ ଇଣ୍ଡିଆ’ ଏହି ଗ୍ରାମକୁ ଭାରତ ତଥା ଏସିଆ ମହାଦେଶର ସବୁଠାରୁ ସଫାସୁତୁରା ଗ୍ରାମ ଭାବେ ଘୋଷଣା କରିଥିଲା । ବାସ୍ତବିକ ମାୱଲିନନଙ୍ଗ ସ୍ୱଚ୍ଛତା କ୍ଷେତ୍ରରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି ଭାରତରେ ।

ଦିପ୍ତିରଞ୍ଜନ ବେହେରା

Previous ବିଭିନ୍ନ ପାଠ୍ୟକ୍ରମ ପାଇଁ ପରୀକ୍ଷା - ୨୦୧୮
Next ଚିନ୍ତା ବଢ଼ାଉଛି ‘ଗୁଡ୍ ମର୍ଣ୍ଣିଂ’, ଗୁଗଲ୍ ବି ସ୍ତବ୍ଧ

No Comment

Leave a reply

Your email address will not be published. Required fields are marked *