ପକ୍ଷୀଙ୍କ ଭୂସ୍ୱର୍ଗ ‘ମଙ୍ଗଳାଯୋଡ଼ି’ର ମନଛୁଆଁ ଅନୁଭୂତି

Tour to Mangalajodi

ସକାଳ ପ୍ରାୟ ସାଢ଼େ 8ଟା  । ଆମ ଗାଡ଼ି ଭୁବନେଶ୍ୱର ଡେଇଁ ଜାତୀୟ ରାଜପଥରେ ଆଗେଇ ଚାଲିଥାଏ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଆଡ଼କୁ । ଶୀତୁଆ ସକାଳ ହୋଇଥିଲେ ବି ଦେହରେ ପହିଲି ଖରା ବାଜିି ଆରାମ ଦେଉଥାଏ । କିଛି ସମୟ ପରେ ରାସ୍ତା ଦୁଇପାଖରେ ଦେଖିବାକୁ ମିଳିଲା କିଛି ଛୋଟବଡ଼ ଗଛଭର୍ତ୍ତି ସବୁଜ ପାହାଡ଼ । କିନ୍ତୁ ଆମ ମନ ସେଥିରେ ଲାଗୁ ନଥାଏ । ପ୍ରକୃତି କୋଳରେ କିଛି ସମୟ କାଟିବା ସହ ଦେଶବିଦେଶରୁ ଉଡ଼ି ଆସିଥିବା ବିଭିନ୍ନ ଜାତିର ପକ୍ଷୀଙ୍କୁ ଦେଖିବାର ଆଶା ନେଇ ଆମେ ଆଗେଇ ଚାଲିଥାଉ ଆମ ଗନ୍ତବ୍ୟ ସ୍ଥଳ ମଙ୍ଗଳାଯୋଡ଼ି ଆଡ଼କୁ ।

ଭୁବନେଶ୍ୱର ଅତିକ୍ରମ କରିବାର ପ୍ରାୟ 60 କିଲୋମିଟର ପରେ ଦେଖିଲୁ ରାସ୍ତାର ବାମ ପଟକୁ ‘ମଙ୍ଗଳାଯୋଡ଼ିକୁ ରାସ୍ତା’ ଲେଖାଯାଇଥିବା ଏକ ସାଇନ୍ ବୋର୍ଡ୍ ଲାଗିଛି । ଆମ ଉତ୍ସାହର ଆଉ ସୀମା ରହୁନଥାଏ । ମଙ୍ଗଳାଯୋଡ଼ି ସମ୍ପର୍କରେ ଇଣ୍ଟରନେଟରୁ ତଥ୍ୟ ସଂଗ୍ରହ ବେଳେ ଦେଖିଥିବା ଫଟୋ ଓ ଭିଡିଓ ଗୁଡ଼ିକ ଆମ ଆଖି ଆଗରେ ଭାସି ଉଠୁଥାଏ । ଆଖି ଖୋଜୁଥାଏ, ଏଇ ମୋଡ଼ ପରେ ଦିଶିବକି ବିସ୍ତୀର୍ଣ୍ଣ ଜଳରାଶି ଓ ତା ଭିତରେ ବୁଦା ବୁଦା ନଳବଣ? କାନ ଭାବୁଥାଏ, ଦୂରରୁ ପକ୍ଷୀଙ୍କ କଳରବ ଶୁଭିଲାଣି ନା କ’ଣ? ତଥାପି ଆସୁନଥାଏ ମଙ୍ଗଳାଯୋଡ଼ି । ରାଜପଥରୁ ବାମ ପଟକୁ ମୋଡ଼ିବା ପରେ ଗାଁ, ହାଟ, ବିଲ ଆଦି ଦେଇ ଏକ ଅଣଓସାରିଆ ରାସ୍ତାରେ ଆମ ଗାଡ଼ି ଆଗେଇ ଚାଲିଥାଏ । ମଝିରେ ଏକ ରେଳ ଲେବଲ୍ କ୍ରସିଂ ପାଖରେ ଅଟକି ରହିବା ବେଳେ ପ୍ରତି ସେକେଣ୍ଡ୍ ଗୋଟିଏ ଗୋଟିଏ ଘଣ୍ଟା ଭଳି ଲାଗୁଥାଏ  । ଏହିପରି ପ୍ରାୟ 6 କିଲୋମିଟର ଯିବା ପରେ ଆସିଲା ମଙ୍ଗଳାଯୋଡ଼ି ଗାଁ ଓ ତା ଆଗକୁ ଆଖିରେ ପଡ଼ିଲା ସେହି ବହୁ ଆକାଂକ୍ଷିତ ଦୃଶ୍ୟ । ଆଖି ପାଇବା ଯାଏଁ ଜଳରାଶି ଓ ମଝିରେ ମଝିରେ ନଳବଣ । ପ୍ରକୃତିର ଏକ ନିଆରା ରୂପ । ଏକ ଆକର୍ଷଣୀୟ ଆର୍ଦ୍ରଭୂମି ।

ଗାଡ଼ି ଅଟକିଲା ମଙ୍ଗଳାଯୋଡ଼ି ପରିବେଶ ପର୍ଯ୍ୟଟନ ପାଇଁ ହୋଇଥିବା ୱାଚ୍ ଟାୱାର୍ ନିକଟରେ । ପାଣି ଭିତରେ ବୁଲି ପକ୍ଷୀ ଦେଖିବା ପାଇଁ ଡଙ୍ଗା ଘାଟ ବି ଥିଲା ଠିକ୍ ସେଇ ୱାଚ୍ ଟାୱାର୍ ପାଖରେ । କିନ୍ତୁ ମଙ୍ଗଳାଯୋଡ଼ିର ପ୍ରକୃତିକୁ ଦେଖିବାର ଅଦମ୍ୟ ଇଚ୍ଛାକୁ ସମ୍ବରଣ କରିନପାରି ଆମେ ସେହି ୱାଚ୍ ଟାୱାର୍ ଉପରକୁ ଚଢ଼ିଗଲୁ । ଯାହା ଦେଖିଲୁ, ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । କିଛି ଫୁଟ୍ ଉପରୁ ବେଶ୍ ସୁନ୍ଦର ଦିଶୁଥାଏ ମଙ୍ଗଳାଯୋଡ଼ିର ବିସ୍ତୀର୍ଣ୍ଣ ଜଳରାଶି ଓ ନଳବଣ । ଲାଗିଲା ତା ଭିତରୁ ଭାସିଆସୁଥିବା ପକ୍ଷୀଙ୍କ ବିଭିନ୍ନ ପ୍ରକାର ଶବ୍ଦ ଆମକୁ ଡାକୁଛି ନୌବିହାର ପାଇଁ ।

ଆମେ ସେଠାରେ ନୌକା ପାଇଁ ଟିକେଟ୍ କଲାବେଳେ ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ଆମକୁ ବୁଝାଇ ଦେଲେ ନୌବିହାର ସମୟରେ ପାଳନ କରିିବାକୁ ଥିବା ସେଠାକାର ନିୟମାବଳୀ ସମ୍ପର୍କରେ । ତା ସହିତ ଆମ ଡଙ୍ଗା ଚାଳକ ଓ ଗାଇଡ୍ ସହିତ ମଧ୍ୟ ପରିଚୟ କରାଇଦେଲେ । ଜାଣିବାକୁ ପାଇଲୁ, ସେଠାରେ କାର୍ଯ୍ୟ କରୁଥିବା ଅଧିକାଂଶ ଗାଇଡ୍ ଓ ଡଙ୍ଗା ଚାଳକଙ୍କ ସମେତ ପକ୍ଷୀ ସୁରକ୍ଷା ସମିତିର ଅନ୍ୟ ସଦସ୍ୟ ମାନେ ପୂର୍ବରୁ ସେଠାରେ ପକ୍ଷୀ ଶିକାର କରୁଥିଲେ । କିନ୍ତୁ ପରେ ସେମାନଙ୍କୁ ପରିବେଶ ଓ ପ୍ରାଣୀ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ଫଳରେ ସେମାନେ ଏବେ ପକ୍ଷୀ ଶିକାର ଛାଡ଼ି ସେମାନଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ହୋଇଛନ୍ତି ଏବଂ ଏହି କାର୍ଯ୍ୟରେ ଖୁସି ମଧ୍ୟ ଅଛନ୍ତି ।

ମଙ୍ଗଳାଯୋଡ଼ିରେ ଶାନ୍ତ ବାତାବରଣ ବଜାୟ ରଖିବା ପାଇଁ ଓ ପକ୍ଷୀଙ୍କୁ ଏକ ନିରାପଦ ବାସସ୍ଥଳୀ ଯୋଗାଇ ଦେବା ପାଇଁ ମେସିନ ଚାଳିତ ଡଙ୍ଗାକୁ ନିଷିଦ୍ଧ କରାଯାଇଛି । ମେସିନ୍ ଚାଳିତ ଡଙ୍ଗା ବା ଭୁଟଭୁଟିରୁ ଜୋର ଶବ୍ଦ ବାହାରୁଥିବାରୁ ପକ୍ଷୀମାନେ ଭୟଭୀତ ହେବାର ଆଶଙ୍କା ଥାଏ । ତେଣୁ ସେଠାରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ କେବଳ ବାଉଁଶ କାତ ଚାଳିତ ଡଙ୍ଗା ଚାଲେ । ଆମେ ଡଙ୍ଗାରେ ବସିଲୁ । ଡଙ୍ଗା ଚଢ଼ିବା ବେଳେ ଏହା ଦୋହଲୁଥିବାରୁ ପ୍ରଥମେ ପ୍ରଥମେ ଭୟ ଲାଗୁଥିଲା । ତେବେ ପରେ ଧୀରେଧୀରେ ଏହା ସହଜ ହୋଇଗଲା । ସେଠାରେ ପ୍ରାୟ ଦୁଇଫୁଟ ଉଚ୍ଚ ପାଣି ଓ ଚାରିଆଡ଼େ କଇଁ, ବିଭିନ୍ନ ଜଳଜ ଉଦ୍ଭିଦ ଘେରି ରହିଥାଏ  । ତା’ରି ମଝିରେ ଡଙ୍ଗା ଚାଲିବା ପାଇଁ ସ୍ୱତନ୍ତ୍ର ରାସ୍ତା ହୋଇଥାଏ  । ଆମ ସହିତ ଯାଇଥିବା ଗାଇଡ୍ ଆମକୁ ଦୂରରୁ ପକ୍ଷୀ ଦେଖିବା ପାଇଁ ବାଇନୋକୁଲାର୍ ଦେଲେ । ଆରମ୍ଭ ହେଲା ଆମର ନୌବିହାରର ପର୍ବ ।

ଡଙ୍ଗା ଯେତେ ଆଗେଇ ଚାଲିଥାଏ, ଧୀରେ ଧୀରେ ପକ୍ଷୀମାନେ ସେତେ ଦୃଶ୍ୟମାନ ହେବାରେ ଲାଗିଥାନ୍ତି  । ବିଭିନ୍ନ ପ୍ରକାର ପକ୍ଷୀ । କିଛି ସ୍ଥାନୀୟ ପକ୍ଷୀ ଥିବା ବେଳେ ଅଧିକାଂଶ ଉଡ଼ିଆସିଥାନ୍ତି ଦୂର ଦେଶରୁ । ଗାଇଡ୍ ଆମକୁ ଗୋଟିଏ ପରେ ଗୋଟିଏ ପକ୍ଷୀ ଚିହ୍ନାଇବା ସହ ସେମାନଙ୍କ ସମ୍ପର୍କରେ ବର୍ଣ୍ଣନା କରିଚାଲିଥାନ୍ତି । ମଝିରେ ମଝିରେ ସେ ଧରିଥିବା ପକ୍ଷୀ ସମ୍ପର୍କିତ ଏକ ମୋଟା ବହିରୁ ଚିତ୍ର ଦେଖାଇ ସେ କେଉଁଠାରୁ ଆସିଛି, ସେହି ଜାତିର ମାଈ ଓ ଅଣ୍ଡିରା ପକ୍ଷୀ କିଭଳି ଦେଖିବାକୁ, ତାହା ବୁଝାଉଥାନ୍ତି  । ଆମେ ବି ପଚାରି ଚାଲିଥାଉ, ଗୋଟିଏ ପରେ ଗୋଟିଏ ପ୍ରଶ୍ନ । କେବଳ ପକ୍ଷୀ ନୁହେଁ, ମଙ୍ଗଳାଯୋଡ଼ି ସମ୍ପର୍କରେ ଓ ସେଠାକାର ଲୋକଙ୍କ ସମ୍ପର୍କରେ । ସେହି ଗାଇଡ୍ ତଥା ନୌକାଚାଳକଙ୍କ ଶିକାରୀରୁ ରକ୍ଷାକର୍ତ୍ତା ପାଲଟିବାର କାହାଣୀ ଆମକୁ ବେଶ୍ ରୋଚକ ଲାଗୁଥାଏ ।

ଏକ ତଥ୍ୟ ଅନୁସାରେ ଚିଲିକାର ଉତ୍ତର ଆଡ଼କୁ ଥିବା ଏହି ମଙ୍ଗଳାଯୋଡ଼ିକୁ ଶୀତ ଦିନେ ପ୍ରାୟ 200 ପ୍ରଜାତିର 3ଲକ୍ଷ ପକ୍ଷୀ ଆସିଥାନ୍ତି । ସେଠାରେ ନର୍ଦର୍ନ୍ ପିଣ୍ଟେଲ୍, ପର୍ପଲ୍ ସ୍ୱାମ୍ଫେନ୍, ଗ୍ଲସି ଆଇବିସ୍, ୟେଲୋ ବିଟର୍ନ, ବ୍ଲାକ୍ ୱିଙ୍ଗଡ୍ ସ୍ଟିଲ୍ଟ, ଓପେନ୍ ବିଲ୍ଡ ଷ୍ଟର୍କ୍, ବ୍ଲାକ୍ ଟେଲ୍ଡ ଗଡୱିଟ୍, ପର୍ପଲ୍ ମୁରେନ୍ ଆଦି ବହୁ ସଂଖ୍ୟାରେ ଦେଖାଯାଆନ୍ତି । ଆମେ ମଧ୍ୟ ନୌବିହାରର ମଜା ନେବା ସହ ବିଭିନ୍ନ ଜାତି ଓ ବିଭିନ୍ନ ରଙ୍ଗର ପକ୍ଷୀଙ୍କୁ ଦେଖିବାକୁ ପାଇଲୁ ଓ ଫଟୋ ମଧ୍ୟ ଉଠାଇଲୁ । ବତକ ଭଳି ଦେଖାଯାଉଥିବା ଏକ ପକ୍ଷୀ ଗୁଡ଼ିକର ଡେଣାଝାଡ଼ି ଉଡ଼ିଯିବାର ଦୃଶ୍ୟ ଖୁବ୍ ସୁନ୍ଦର ଲାଗୁଥିଲା । ନିକଟରେ ବସିଥିବା ଓ ଉଡ଼ୁଥିବା ପକ୍ଷୀ ଗୁଡ଼ିକ ଖାଲି ଆଖିରେ ଯେତିକି ସୁନ୍ଦର ଦେଖାଯାଉଥିଲେ, ଦୂରରେ ଧାଡ଼ି ଧାଡ଼ି ହୋଇ ବସିଥିବା  ଅସଂଖ୍ୟ ପକ୍ଷୀ ବାଇନାକୁଲରରେ ଦେଖିବା ବେଳକୁ ମନକୁ ସେତିକି ରୋମାଞ୍ଚିତ କରୁଥିଲେ  । ମଝିରେ ମଝିରେ ଶହଶହ ପକ୍ଷୀ ଏକ ଢେଉ ଭଳି ଘେରାଏ ଲେଖାଏଁ ଆକାଶରେ ଚକ୍କର କାଟି ବସିବାର ଦୃଶ୍ୟ ଅବର୍ଣ୍ଣନୀୟ  ।

ତଥାପି ଆମ ମନ ମାନୁ ନଥାଏ । ଆହୁରି ଅଧିକ ଓ ନୂଆ ପ୍ରଜାତିର ପକ୍ଷୀ ଦେଖିବାର ଇଚ୍ଛା ଆମକୁ ମଙ୍ଗଳାଯୋଡ଼ି ଜଳରାଶିର ଯେତିକି ଭିତରକୁ ଭିତରକୁ ଟାଣି ନେଉଥାଏ, ସେତିକି ଉଜ୍ଜୀବିତ ହେଉଥାଏ ବ୍ରାହ୍ମଣୀ ସିଲଡକ୍ ଦେଖିବାର ଇଚ୍ଛା । ଆମେ ମଙ୍ଗଳାଯୋଡ଼ି ଯିବା ପୂର୍ବରୁ ଶୁଣିଥିଲୁ, ଏହି ପକ୍ଷୀ ଦେଖିବା ପାଇଁ ଖୁବ୍ ସୁନ୍ଦର । ଏମାନେ ଯୋଡ଼ା ଯୋଡ଼ା ହୋଇ ରହନ୍ତି ଏବଂ ଦେଖିବାକୁ କମଳା-ବାଦାମୀ ରଙ୍ଗର ଛୋଟ ବତକ ଭଳି । ଏହାକୁ କେହିକେହି ଗୋଲ୍ଡେନ ଡକ୍ ମଧ୍ୟ କହନ୍ତି । ହଠାତ୍ ଆମକୁ ଗାଇଡ୍ କହିଲେ, ବାଇନୋକୁଲାରରେ ଟିକିଏ ଆଗକୁ ଦେଖନ୍ତୁ । ଆମେ ଦେଖିବା ବେଳକୁ ଆମ ଠାରୁ କିଛି ଦୂରରେ ପହଁରୁଥିଲେ ଏକ ବ୍ରାହ୍ମଣୀ ସିଲଡକ୍ ଯୋଡ଼ା । ଆମ ଖୁସିର ଆଉ ସୀମା ନଥିଲା । ପାଖକୁ ଗଲେ ସେମାନେ ଉଡ଼ିଯିବାର ଆଶଙ୍କା ଥିବାରୁ ଆମେ ସେଠାରେ କେଇ ମିନିଟ୍ ଅଟକି ସେହି ଅପୂର୍ବ ଦୃଶ୍ୟକୁ ଉପଭୋଗ କଲୁ  । ଏହାପରେ ଆଗକୁ ଚାଲିଲୁ ଓ ଆମ ଡଙ୍ଗା ଆସିବା ଦେଖି ସେହି ବତକ ଯୋଡ଼ା ଆକାଶରେ ଉଡ଼ିଗଲେ । ପ୍ରାୟ ତିନି ଘଣ୍ଟାର ନୌବିହାର ପରେ ଡଙ୍ଗା ଘାଟରେ ଲାଗିଲା, କିନ୍ତୁ ଆମ ମନ ବୁଲୁଥାଏ ସେଇ ପକ୍ଷୀଙ୍କ ଗହଣରେ  । ଇଚ୍ଛା ହେଉଥାଏ ଆହୁରି ଆହୁରି ବୁଲିବାକୁ ପକ୍ଷୀଙ୍କ ଭୂସ୍ୱର୍ଗରେ ।

Previous ବିଜ୍ଞାନ - ଅମ୍ଳ,, କ୍ଷାର, ଲବଣ (Acid, Base & Salt)
Next ମରାଠୀ ଫିଲ୍ମ ‘ଘାଟ୍’ ରେ କଣ୍ଠଦାନ କରିବେ ଓଡିଆ ଗାୟିକା ସୋନା

1 Comment

  1. Smruti nanda
    Reply

    Beautifully described. Well done

Leave a reply

Your email address will not be published. Required fields are marked *