ସୌନ୍ଦର୍ଯ୍ୟର ଗନ୍ତାଘର ତପ୍ତପାଣି ଉଷ୍ଣ ପ୍ରସବଣ

Taptapani is famous for its hot sulfur water spring

ତପ୍ତପାଣି ଉଷ୍ଣ ପ୍ରସବଣ ଗଞ୍ଜାମ ଜିଲ୍ଲାର ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ଏଠାକାର ମନୋଲୋଭା ଦୃଶ୍ୟ କାହାକୁ ବି କିଛି କ୍ଷଣ ବାନ୍ଧି ରଖି ପାରିବ । ଏହାର ଆକର୍ଷଣ ପାଇଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ ଏଠାକୁ ।

କଣ ଦେଖିବେ

ଉଷ୍ଣ ପାଣିର ଝରଣା ସାଙ୍ଗକୁ , ମୃଗ ବିହାର ଅପୂର୍ବ ଅନୁଭବ ଆଣେ ପର୍ଯ୍ୟଟକ ମନରେ । ବିଶେଷ କରି ଶୀତ ଦିନରେ ତପ୍ତପାଣିରେ ଗାଧୋଇବା ପାଇଁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ରେଶମ ନଗର ବ୍ରହ୍ମପୁର ଠାରୁ ୫୬ କିମି ଦୂରରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ । ବ୍ରହ୍ମପୁର-ରାୟଗଡା ରାଜ୍ୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ତପ୍ତପାଣି । ବର୍ଷସାରା ଏଠାରେ ଭିଡ଼ ଜମୁଥିଲେ ମଧ୍ୟ ଶୀତଦିନେ ଗାଧୋଇବା ପାଇଁ ଟିକେ ଅଧିକ ଭିଡ ହୁଏ । ମୂଖ୍ୟ କୁଣ୍ଡରୁ ଦୁଇଗୋଟି ପାଇପରେ ଆଉ ଦୁଇଗୋଟି କୁଣ୍ଡକୁ ପାଣି ଆସିଥାଏ । ଗୋଟିଏ କୁଣ୍ଡରେ ପୁରୁଷ ଅନ୍ୟଟିରେ ମହିଳାମାନେ ଗଧୋଇବା ପାଇଁ ଏଠାରେ ସୁବିଧା ରହିଛି । ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନଙ୍କ ପାଇଁ ବଣଭୋଜି କରିବାର ଏକ ପରିଚିତ ସ୍ଥାନ । ଏହା ସହ ଏଠାରୁ ବାହାରୁ ଥିବା ଗରମ ପାଣିରେ ଗନ୍ଧକ ମିଶି ଥିବାରୁ ଏଥିରେ ଗାଧୋଇବା ସ୍ୱସ୍ଥ୍ୟ ପାଇଁ ଭଲ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ତପ୍ତପାଣି କୁଣ୍ଡକୁ ଲାଗି ରହିଛି ମା କନ୍ଧୁଣୀ ଦେବୀଙ୍କ ମନ୍ଦିର । ଉଷ୍ଣ ପାଣିରେ ଗାଧୋଇବା ପରେ ମାଙ୍କ ଦର୍ଶନ କରିବାକୁ ଭୁଲି ନଥାନ୍ତି ଆସୁଥିବା ପର୍ଯ୍ୟଟକ ।
ମୃଗ ବିହାର

ଉଷ୍ଣ ପ୍ରସବଣ ସହ ଏଠାକାର ମୃଗ ବିହାର ଅନ୍ୟ ଏକ ଆକର୍ଷଣ ପାଲଟିଥାଏ ପର୍ଯ୍ୟଟକଙ୍କ ପାଇଁ । ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମୃଗ ବିହାର ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ଏଠାରେ ବିଭିନ୍ନ ପ୍ରଜାତିର ହରିଣ ଦେଖିବାକୁ ମିଳିଥାଏ । ଏହାସହ ହରିଣଙ୍କ ଚଲାବୁଲା ଡିଆଁଡେଇଁ ହେବାର ଦୃଶ୍ୟ ଅତି ନିଆରା । ଏଠାକାର ସୈାନ୍ଦର୍ଯ୍ୟ ପାଇଁ ଏଠାରେ ବହୁ ଚଳଚ୍ଚିତ୍ର ଅନେକ ସମୟରେ ସୁଟିଂ ହୋଇଛି ମଧ୍ୟ ।

ମା କନ୍ଧୁଣୀ ଦେବୀ

ଏଠାରେ ପୂଜା ପାଉଥିବା ମା କନ୍ଧୁଣୀ ଦେବୀ ପ୍ରତ୍ୟକ୍ଷ ଠାକୁରାଣୀ ବୋଲି କୁହାଯାଏ । ଦେବୀଙ୍କ ପାଖରେ ଅନେକ ନିଃସନ୍ତାନ ଦମ୍ପତି, ମହିଳା ମାନସିକ କରିଥାନ୍ତି । ଲୋକଙ୍କର ବଶ୍ୱାସ ଯେ ସନ୍ତାନହୀନ ମହିଳାମାନେ ମା ପୂଜା ପାଉଥିବା ମୂଖ୍ୟ କୁଣ୍ଡରେ ଥିବା ଗରମ ପାଣି ଭିତରେ ପାଞ୍ଚରୁ ସାତଥର ବୁଡି ଗୁଆ ଖୋଜିଥାନ୍ତି , ଆଞ୍ଜୁଳାଏ ଆଞ୍ଜୁଳାଏ ବାଲି କାଢି ପୂଜାରୀର ଥାଳରେ ତାହାକୁ ପକାଇଥାନ୍ତି । ଯଦି ସେ ବାଲିରୁ ଗୁଆ ମିଳିଲା ତା ହେଲେ ପାଚିଲା କଦଳୀରେ ସେହି ଗୁଆକୁ ରଖି ମହିଳାଙ୍କୁ ପୂଜାରୀ ଖାଇବାକୁ ଦେଇଥାନ୍ତି । ଏହାସହ ଏହା ସନ୍ତାନ ଜନ୍ମ ହେବାର ସଙ୍କେତ ବୋଲି କୁହାଯାଏ । ମହିଳାଙ୍କ ସନ୍ତାନ ଜନ୍ମ ହେଲା ପରେ ମା’ଙ୍କ ନିକଟକୁ ତାଙ୍କ ସନ୍ତାନକୁ ଆଣି ଏଠାରେ ମାନସିକ ବାଳ ପକାଯାଇଥାଏ । ଏହିପରି ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଥିବା ମାଙ୍କ ପୂଜକ ଚନ୍ଦ୍ର ଜାନୀ ପ୍ରକାଶ କରିଛନ୍ତି । ଏହି ବିଶ୍ୱାସରେ ବିବାହ ୨୦ବର୍ଷ ପରେ ମଧ୍ୟ ଦମ୍ପତ୍ତିମାନେ ଏଠାକୁ ଆସି ଗୁଆ ଖୋଜୁଥିବାର ଅଙ୍ଗେ ଲିଭାଇଥିବା ବ୍ୟକ୍ତିମାନେ କୁହନ୍ତି ।
ପାନ୍ଥ ନିବାସ

ତପ୍ତପାଣି ଭ୍ରମଣରେ ଗଲେ ଆପଣ ଯଦି ରାତ୍ରିଯାପନ କରିବା ସହ ସେଠାରେ କିଛି ଦିନ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ଏଠାରେ ଥିବା ପାନ୍ଥ ନିବାସ ସହ ଘରୋଇ ହୋଟେଲମାନଙ୍କରେ ରହିପାରିବେ । ପାନ୍ଥ ନିବାସର ବାଲକୋନିରୁ ତପ୍ତପାଣି,ମୃଗ ବିହାର ଓ ଏଠାକାର ଜଙ୍ଗଲ ପରିବେଶର ସୌନ୍ଦର୍ଯ୍ୟ ବେଶ ମନୋରମ ଲାଗିଥାଏ । ପାହାଡଘେରା ମଧ୍ୟରେ ଥିବା ଏହି ପାନ୍ଥ ନିବାସଟିକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି । ପାନ୍ଥନିବାସରେ ରହିବା ପାଇଁ ବେଶି ପସନ୍ଦ କରିଥାନ୍ତି । ପାନ୍ଥ ନିବାସରେ ଡିଲକ୍ସ ସୁଟ ୨ଟି,ଏସି ସୁଟ ୩ଟି,ଡିଲକ୍ସ ବେଡ୍ ୧ଟି,ନନ୍ ଏସି ୪ଟି ବେଡ୍, ଗୋଟିଏ ଟ୍ରି ହାଉସ୍ ମଡେଲ ଏସି, ଲକ୍ ହାଉସ୍ ୩ଟି ଓ ଦୁଇ ଶହ ଲୋକଙ୍କ ପାଇଁ କନ୍ଫରେନ୍ସ ହଲ ରହିଥିବା ବେଳେ ପର୍ଯ୍ୟଟକଙ୍କ ଚାହିଦା ଅନୁସାରେ ଖାଦ୍ୟ ପରଷାଯାଇଥାଏ ।

କେମିତି ଯିବେ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ୫୬କିମି ଦୂରରେ ବ୍ରହ୍ମପୁର ରାୟଗଡା ମୂଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ତପ୍ତପାଣି କୁ ଯିବାକୁ ହେଲେ ସ୍ଥଳପଥ ହେଉଛି ଏହାର ମାଧ୍ୟମ । ଆପଣ ଟ୍ରେନରେ ବ୍ରହ୍ମପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇ ସେଠାରୁ ଅଟୋ କିମ୍ବା ଟ୍ୟାକସିରେ ଯାଇପାରିବେ । ଯଦି ଆପଣ ବସ୍ରେ ଯାଉଛନ୍ତି ତେବେ ବ୍ରହ୍ମପୁର ଠାରୁ ବସ୍ କିମ୍ବା ଟ୍ୟାକସି ପାଇପାରିବେ । ତା ଛଡା ଓଟିଡିସିର ଟୁରିଷ୍ଟ୍ ଭେନ୍ ମଧ୍ୟ ରହିଛି । ଅନ୍ଲାଇନ ମାଧ୍ୟମରେ ମଧ୍ୟ ଓଟିଡିସିର ୱେବସାଇଟକୁ ଯାଇ କଟେଜ୍ ଓ ଭ୍ୟାନ ବୁକ୍ କରିପାରିବେ ଏବଂ ସମସ୍ତ ପ୍ରକାର ଯୋଗାଯୋଗ ତଥା ସମ୍ପର୍କ ରଖିପାରିବେ ।

Previous ଭୋଟ ପାଇଁ ଚୀନରୁ ଆସିବ ନୋଟ୍!
Next କର ବା ମର ମ୍ୟାଚରେ କୋହଲି ଓ ପୂଜାରାଙ୍କ ଅର୍ଦ୍ଧ ଶତକ: ଦୃଢ଼ ସ୍ଥିତିରେ ଭାରତ

No Comment

Leave a reply

Your email address will not be published. Required fields are marked *