ଡାକୁଛି ତାଳସାରିର ନାଲି କଙ୍କଡ଼ା

Talsari beach, Odisha

talsari red crab

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ନିକଟସ୍ଥ ତାଳସାରି ବେଳାଭୂମି ପର୍ଯ୍ୟଟକଙ୍କୁ ଅନେକ ନିଆରା ଅନୁଭୂତି ପ୍ରଦାନ କରୁଥିବାରୁ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରେ ପର୍ଯ୍ୟଟକମାନେ ନୀଳ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲହଡ଼ି ଭାଙ୍ଗି ଗାଧୋଇବାର ମଜା ନେଇପାରିବେ ଓ ତା ସହିତ ସ୍ୱର୍ଣ୍ଣାଭ ବାଲୁକାରାଶି ଉପରେ ଅସଂଖ୍ୟ ବିରଳ ନାଲି କଙ୍କଡ଼ାର ଲୁଚକାଳି ଖେଳ ମଧ୍ୟରେ ନିଜକୁ ହଜାଇ ଦେବାର ସୁଯୋଗ ପାଇପାରିବେ। ଏଥିସହ ଏକ ଜଳଧାରାରେ ନୌବିହାର ଓ ଝାଉଁଜଙ୍ଗଲରେ ବଣଭୋଜି ବି କରି ପାରିବେ।

talsari beach odisha

  • ନିରାପଦ ସମୁଦ୍ରସ୍ନାନ: ରାଜ୍ୟର ଅନ୍ୟ ବେଳାଭୂମି ଠାରୁ ତାଳସାରିର ଢେଉ ଏବଂ ଜୁଆର ଅପେକ୍ଷାକୃତ ଶାନ୍ତ। ତେଣୁ ପର୍ଯ୍ୟଟକମାନେ ବଙ୍ଗୋପସାଗରର ନୀଳାଭ ଜଳରାଶିରେ ନିରାପଦରେ ଗାଧୋଇବାର ମଜା ନେବା ସହ ଢେଉଭାଙ୍ଗିବାର ଆନନ୍ଦ ଉପଭୋଗ କରିପାରିବେ। ଏଠାରେ ଅତି ଉଚ୍ଚ ଢେଉ ଆସୁନଥିବାରୁ ଲୋକେ ମହିଳା ଓ ଛୋଟ ପିଲାଙ୍କୁ ଧରି ନିର୍ଭୟରେ ସପରିବାର ସମୁଦ୍ରସ୍ନାନ କରିବାର ସୁଯୋଗ ନେଇପାରିବେ।
  • ଶାନ୍ତ ଜଳରାଶିରେ ନୌବିହାର: ତାଳସାରି ବେଳାଭୂମିକୁ ଯିବା ପୂର୍ବରୁ ଏକ ଛୋଟ ଜଳଧାରାକୁ ପାରି ହୋଇ ଯିବାକୁ ପଡେ। ଏହା ପ୍ରକୃତରେ ସମୁଦ୍ରର ବ୍ୟାକ୍ ୱାଟର୍। ଯେତେବେଳେ ସମୁଦ୍ରରେ ଜୁଆର ଆସିନଥାଏ, ସେତେବେଳେ ଏଠାରେ ଅଳ୍ପ ପାଣି ଥାଏ ଓ ଲୋକମାନେ ଏହାକୁ ଆରାମରେ ଚାଲିଚାଲି ପାରି ହୋଇଥାନ୍ତି। କିନ୍ତୁ ସମୁଦ୍ରର ଜୁଆରର ପ୍ରଭାବରେ ବର୍ଦ୍ଧିତ ଜଳରାଶିକୁ ନୌକାରେ ପାରିହେବା ପାଇଁ ପଡ଼େ। ତେଣୁ କିଛି ପର୍ଯ୍ୟଟକ ବେଳାଭୂମିକୁ ଯିବା ସମୟରେ ନୌଯାତ୍ରାର ମଜା ନିଅନ୍ତି । ନୌବିହାର ସମୟରେ ଝାଉଁବଣ, ପକ୍ଷୀ ଓ ଧୀବର ମାଛ ମାରିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ।
  • ବିସ୍ତୀର୍ଣ୍ଣ ବେଳାଭୂମି: ସମୁଦ୍ର ସ୍ନାନ ଓ ନୌବିହାର ସହିତ ଅନେକେ ବେଳାଭୂମିରେ ବୁଲିବାକୁ ପସନ୍ଦ କରିଥାନ୍ତି। ନିଜ ପ୍ରିୟ ମଣିଷ ସହିତ କିମ୍ବା ସାଥୀଙ୍କ ସହିତ ବୁଲିବା ପାଇଁ ଏଠାରେ ରହିଛି ସୁବିସ୍ତୀର୍ଣ୍ଣ ବେଳାଭୂମି। ଶାନ୍ତ ବାତାବରଣ, ଝାଉଁ ଓ କାଜୁ ଜଙ୍ଗଲରୁ ବହିଆସୁଥିବା ସୁଲୁସୁଲିଆ ପବନର ଅନୁଭୂତି ନିଆରା । ଅନେକେ ବେଳାଭୂମିରେ ପଡ଼ିଥିବା ଆକର୍ଷଣୀୟ ଶାମୁକା ଗୋଟାଇ ନିଜ ସାଥୀରେ ଘରକୁ ନେଇଯାଆନ୍ତି ସ୍ମୃତିର ପେଡ଼ିରେ ସାଇତି ରଖିବା ପାଇଁ । କିଛି ଦୂରକୁ ଗଲେ, ସୁବର୍ଣ୍ଣରେଖା ନଦୀ ସମୁଦ୍ରର ମିଳନ ଅତି ମନଲୋଭା। ଅନେକେ ବନ୍ଧୁମାନଙ୍କ ସହ ଏହି ବେଳାଭୂମିର ନିରାପଦ ସ୍ଥାନ ଦେଖି ଫୁଟବଲ୍ କିମ୍ୱା ଭଲିବଲ୍ ଭଳି ବିଭିନ୍ନ ପ୍ରକାର ଖେଳ ମଧ୍ୟ ଖେଳିଥାନ୍ତି। କିନ୍ତୁ ଖେଳିବା ସମୟରେ ଲକ୍ଷ୍ୟ ରଖିବେ, ଯେପରି ସେଠାରେ ବିଚରଣ କରୁଥିବା ନାଲିକଙ୍କଡ଼ାଙ୍କର କୌଣସି କ୍ଷତି ନଘଟେ।red crab at talsari
  • ନାଲି କଙ୍କଡ଼ା: ତାଳସାରି ବେଳାଭୂମିର ମୁଖ୍ୟ ଆକର୍ଷଣ ହେଲା ନାଲି କଙ୍କଡ଼ା। ଏହାକୁ କିଛି ଲୋକ ତାଳସାରିର ରାଣୀ ବୋଲି ମଧ୍ୟ କହନ୍ତି। ଏହି ବିରଳ ନାଲି କଙ୍କଡ଼ା ବେଳାଭୂମିର ବାଲୁକା ରାଶି ଉପରେ ହଜାର ହଜାର ସଂଖ୍ୟାରେ ଦଳ ବାନ୍ଧି ବୁଲନ୍ତି ଏବଂ ନିକଟକୁ ଗଲେ ଚଟାପଟ୍ ସେଗୁଡ଼ିକ ବାଲିରେ ଲୁଚିଯାଆନ୍ତି। ନାଲି କଙ୍କଡ଼ା ସହ ଏହି ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିଥାଏ। ଏହି ଦଳବାନ୍ଧି ବୁଲୁଥିବା ନାଲି କଙ୍କଡ଼ା ଗୁଡ଼ିକ ଦୂରରୁ ବାଲି ଉପରେ ଏକ ଗତିଶୀଳ ନାଲି ଚଦର ଭଳି ଦେଖାଯାଏ। ଏତେ ସଂଖ୍ୟାରେ ନାଲି କଙ୍କଡ଼ା ଅନ୍ୟ କୌଣସି ବେଳାଭୂମିରେ ପ୍ରାୟତଃ ଦେଖାଯାଆନ୍ତି ନାହିଁ। ଅନେକ ପରିବେଶ ଓ ଜୀବ ପ୍ରେମୀ ଖାସ୍ ଏହି ନାଲି କଙ୍କଡ଼ାକୁ ଦେଖିବା ପାଇଁ ତାଳସାରିକୁ ଆସନ୍ତି।
  • ଝାଉଁବଣରେ ଭୋଜି: ତାଳସାରି ବେଳାଭୂମିକୁ ଲାଗି ଏକ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ରହିଛି। ସେଠାରେ ପର୍ଯ୍ୟଟକମାନେ ପରିବାର କିମ୍ବା ବନ୍ଧୁ ମାନଙ୍କ ସହ ଯାଇ ବଣଭୋଜି କରିପାରିବେ। ପାଖରେ ସମୁଦ୍ର ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ମିଳୁଥିବାରୁ ଆୟୋଜିତ ଭୋଜିର ସ୍ୱାଦ ବଦଳିଯାଏ। ନିକଟସ୍ଥ ହୋଟେଲ ଓ ଉଠା ଦୋକାନୀ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ତରକାରୀ ରାନ୍ଧି ପର୍ଯ୍ୟଟକଙ୍କୁ ବିକ୍ରି କରିଥାନ୍ତି।

    ଚନ୍ଦନେଶ୍ୱର ମନ୍ଦିର
  • କେମିତି ଯିବେ ଓ ରହିବେ: ତାଳସାରି ବେଳାଭୂମିକୁ ଯିବାକୁ ହେଲେ ଆପଣଙ୍କୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ନିକଟରେ ପହଞ୍ଚିବାକୁ ପଡ଼ିବ। ସେଠାରୁ ତାଳସାରି ମାତ୍ର 3 କି.ମି. ଦୂର। ଚନ୍ଦନେଶ୍ୱରରେ ପହଞ୍ଚିବା ପାଇଁ ନିକଟସ୍ଥ ରେଳ ଷ୍ଟେସନ ହେଉଛି ଓଡ଼ିଶାର ଜଳେଶ୍ୱର ଏବଂ ପଶ୍ଚିମବଙ୍ଗର ଦୀଘା। ଜଳେଶ୍ୱର ରେଳ ଷ୍ଟେସନ ଠାରୁ ଚନ୍ଦନେଶ୍ୱରକୁ ଦୂରତା 36 କି.ମି. ଏବଂ ପଶ୍ଚିମବଙ୍ଗ ପଟୁ ଦୀଘା ରେଳଷ୍ଟେସନରୁ ଦୂରତା ପ୍ରାୟ 6 କିଲୋମିଟର। ଉଭୟ ରେଳଷ୍ଟେସନରୁ ଚନ୍ଦନେଶ୍ୱରକୁ ଟାକ୍ସି କିମ୍ବା ବସ୍ ସାହାଯ୍ୟରେ ଯାଇ ହେବ ଏବଂ ଚନ୍ଦନେଶ୍ୱରରୁ ରିକ୍ସା ବା ଅଟୋରିକ୍ସାରେ ତାଳସାରି ପହଞ୍ଚି ପାରିବେ। ଭୁବନେଶ୍ୱର ବିମାନବନ୍ଦର ଠାରୁ ଏହା 300 କି.ମି. ଦୂରରେ ଅବସ୍ଥିତ। ତାଳସାରିରେ ରହିବା ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସ ଏବଂ ଅନ୍ୟ ଘରୋଇ ହୋଟେଲ ଓ ଲଜ୍ ରହିଛି। ସୁଲଭ ମୂଲ୍ୟରେ ସେଠାରେ ରହିବା ଓ ଖାଇବା ଆଦିର ସୁବିଧା ଅଛି। ବର୍ଷର ପ୍ରାଯ ସବୁ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଲାଗି ରହିଥାଏ।
  • ନିକଟସ୍ଥ ପର୍ଯ୍ୟଟନସ୍ଥଳୀ: ତାଳସାରି ଠାରୁ ଅଳ୍ପ ଦୂରରେ ଚନ୍ଦନେଶ୍ୱର ଶୈବପୀଠ, ଭୁଷଣ୍ଡେଶ୍ୱର ଶୈବପୀଠ, ଉଦୟପୁର ବେଳାଭୂମି ଓ ପଶ୍ଚିମବଙ୍ଗର ଦୀଘା ବେଳାଭୂମି ଆଦି ପର୍ଯ୍ୟଟନସ୍ଥଳୀ ରହିଛି।
Previous ନୁଡୁଲ୍ସ ଓ ଚାଓମିନ୍ ତିଆରି ମେସିନ୍
Next ଜୈବିକ ଚାଷ ପାଇଁ ଜିଆଖତ

No Comment

Leave a reply

Your email address will not be published. Required fields are marked *