ରକ୍ତତୀର୍ଥ ଇରମ୍ – ମହିଳା ଶହୀଦ ପରୀ ବେୱା


ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରୁ ୧୬ କି.ମି. ଦୂରରେ ଅବସ୍ଥିତ ଐତିହାସିକ ତୀର୍ଥସ୍ଥଳ ଇରମ୍ । ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପୁଲିସର ନାରକୀୟ ଅତ୍ୟାଚାର ଏବଂ ର୍ନିବିରୋଧ ଆନ୍ଦୋଳନକାରୀଙ୍କ ଉପରେ ଅମାନୁଷିକ ଗୁଳିଚାଳନା ଇତିହାସକୁ ରକ୍ତରଞ୍ଜିତ କରିଥିଲା । ସେହି ହିଂସାରେ ଟଳି ପଡିଥିଲେ ଓଡିଶାର ମହିଳା ସଂଗ୍ରାମୀ ଶହୀଦ ପରୀ ବେୱା । ସଂଗ୍ରାମୀଙ୍କ ସମ୍ପର୍କରେ ଲିଖିତ ଇତିହାସ ପୃଷ୍ଠାରୁ ପରୀ ବେୱା ହଜି ଯାଇଛନ୍ତି ସତ ରକ୍ତରଞ୍ଜିତ ଇରମ୍ ମାଟିରୁ ସେହି ଦାଗ ଏପର୍ଯ୍ୟନ୍ତ ଲିଭି ନାହିଁ ।
ଗାଁର ଗୋଟିଏ ପାଶ୍ୱର୍ରେ ବେଙ୍ଗାପସାଗର ଓ ଅନ୍ୟ ତିନୋଟି ପାଶ୍ୱର୍ରେ ରହିଛି କାଂଶବାଁଶ ଓ ଗମେଇ ନଦୀ । ଚାରିପାଖ ଜଳ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ପ୍ରାକ୍ ସ୍ୱାଧୀନତା ସମୟରେ ପୁଲିସ କିମ୍ବା ପ୍ରଶାସନର ନାଲିଆଖିରୁ ବର୍ତ୍ତି ରହିଥିଲା ଏହି ଗ୍ରାମ । ତେଣୁ ସେତେବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ନିରାପଦ ଆଶ୍ରୟସ୍ଥଳ ତଥା ଗୋପନ ମସୁଧାର କେନ୍ଦ୍ର ଥିଲା ଇରମ୍ । ସେଠାରେ ଥିବା ଏକ ଖୋଲାପଡିଆକୁ ସ୍ୱାଧୀନତା ସଂଗ୍ରାମୀମାନେ ସଭାସ୍ଥଳ ଭାବେ ବ୍ୟବହାର କରୁଥିଲେ । ପଡିଆଟି ବାଉଣ୍ଡରି ପରିବେଷ୍ଟିତ ଓ ଏହାର ଉତ୍ତର-ପୂର୍ବ ଦିଗରେ ଲୋକଙ୍କ ଯିବା ଆସିବା ପାଇଁ ଏକ ଗେଟ୍ ରହିଛି । ୧୯୨୦ ମସିହାରୁ ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆନ୍ଦୋଳନର ବାର୍ତ୍ତାବହ ରୂପେ ଏହି ପଡିଆରେ ଜନସଭା ଆୟୋଜନ କରି ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ । ଲୋକଙ୍କୁ ଇଂରେଜ ଶାସନ ବିରୁଦ୍ଧରେ ଲଢିବା ପାଇଁ ଉତ୍ସାହିତ କରିବା ଥିଲା ଏହି ସଭା ଆୟୋଜନର ମୂଳ ଉଦ୍ଦେଶ୍ୟ । ଫଳରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସହ ଅଧିକ ସଂଖ୍ୟାରେ ଏହି ଅଞ୍ଚଳବାସୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ ।

୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ଏଠାରେ ଏକ ସଭା ଚାଲିଥାଏ । ସଭାରେ ବହୁ ସଂଖ୍ୟାରେ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେଇଥାନ୍ତି । ଇଂରେଜଙ୍କ ଦୂରାଚାରୀ ଶାସନ ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ ହେଉଥାଏ ଯୋଜନା । ଏହି ସଭା ସମ୍ବନ୍ଧରେ ଖବର ପାଇଲେ ବାସୁଦେବପୁର ଥାନା ଡିଏସ୍ପି କୁଞ୍ଜବିହାରୀ ମହାନ୍ତି । ଦଳବଳ ନେଇ ସେ ଇରମ୍ ଆଡେ ମୁହାଁଇଲେ । ଶାନ୍ତିପୂର୍ଣ୍ଣ ଉପାୟରେ ସଭା ଚାଲୁଥିବା ବେଳେ ଜେନେରାଲ ଡାୟାରଙ୍କ ଭଳି ଆଖିବୁଜା ଗୁଳି ଚଳାଇବାକୁ ସେ ନିର୍ଦ୍ଦେଶ ଦେଲେ । ପଡିଆର ତିନି ପାଖ ବାଉଣ୍ଡରୀ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ବାହାରକୁ ବାହାରିବାର କୌଣସି ଯୁ ନଥିଲା । ଅଳ୍ପ କିଛି ସମୟ ମଧ୍ୟରେ ଅକାଳରେ ଝରିପଡିଲା କେତୋଟି ନିରୀହ ଜୀବନ । ରକ୍ତରେ ସିକ୍ତ ହେଲା ଇରମ୍ ମାଟି । ୨୯ ଜଣ ଶହୀଦ ଏବଂ ୫୬ ଜଣ ଗୁରୁତର ଭାବେ ଆହତ ହେଲେ । ମୃତକଙ୍କ ମଧ୍ୟରେ ପରୀ ବେୱା ନାମ୍ନୀ ଜଣେ ମହିଳା ବି ଥିଲେ । ତାଙ୍କୁ ଆମ ରାଜ୍ୟର ସ୍ୱାଧୀନତା ସଂଗ୍ରାମରେ ଶହିଦ ହୋଇଥିବା ଏକମାତ୍ର ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ବିବେଚନା କରାଯାଏ ।
ଏପରି ଆଉ ଏକ ସାମୁହିକ ହତ୍ୟାକାଣ୍ଡ ୧୯୧୯ ମସିହାରେ ପଞ୍ଜାବର ଜାଲିୱାନାୱାଲାବାଗ୍ ଠାରେ ଜେନେରାଲ ଡାୟାରଙ୍କ ନିର୍ଦ୍ଧେଶରେ ହୋଇଥିଲା । ସରକାରୀ ହିସାବ ଅନୁଯାୟୀ ୩୭୯ ଜଣ ଶହୀଦ ହୋଇଥିବାବେଳେ ୧୦୦୦ ରୁ ଉଦ୍ଧ୍ୱର୍ ଆହତ ହୋଇଥିଲେ । ଜାଲିୱାନାୱାଲାବାଗ୍ ପରେ ଇଂରେଜ ସରକାରଙ୍କ ବର୍ବରତାର ଆଉ ଏକ ମୂକସାକ୍ଷୀ ହେଲା ଭଦ୍ରକର ଇରମ୍ । ସେହିଦିନ ଠାରୁ ଏ ଅଞ୍ଚଳକୁ ଭାରତର ଦ୍ୱିତୀୟ ଜାଲିୱାନାୱାଲାବାଗ୍ ଭାବେ ବିବେଚନା କରାଗଲା ଏବଂ ଏହି ଐତିହସ୍ଥଳ ରକ୍ତତୀର୍ଥ ନାମରେ ନାମିତ ହେଲା ।

Previous ଟାଗେର୍ଟ / ସ୍ପୋକନ୍ ଇଂଲିଶ - ଭାଗ - ୨
Next ଅବ୍ୟର୍ଥ ଔଷଧ ଘୃତକୁମାରୀ

No Comment

Leave a reply

Your email address will not be published. Required fields are marked *