ସବୁଜ ସୁନ୍ଦର ସତିଗୁଡ଼ା ଜୈବ ପାର୍କ

Satiguda eco park

ଆଦିବାସୀ ଅଧ୍ୟୁସିତ ମାଲକାନାଗିରି ଜିଲ୍ଲାର ମାଓ ପ୍ରବଣତା ପାଇଁ କୁଖ୍ୟାତି ଥିଲେ ମଧ୍ୟ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଅବସର ସମୟ କଟାଇବାକୁ ନଦୀ, ପାହଡ଼ ଓ ଆଦିବାସୀ ଗାଁର ସବୁଜିମା ଉପଭୋଗ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଆଦିବାସୀଙ୍କ ଜୀବନଶୈଳୀରେ ଥିବା ନିରିହପଣ ଓ ସରଳତା ସହ ସେମାନେ ଆବେଗିକ ସମ୍ପର୍କ ଯୋଡ଼ି ଏକ ଭିନ୍ନ ଅନୁଭବରେ ସମୟ କାଟିବାକୁ ଚାହାନ୍ତି । ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସତିଗୁଡ଼ା ଇକୋ ଟୁରିଜମ ପାର୍କ ହେଉଛି ଅନ୍ୟତମ । ସ୍ଥାନଟି ପ୍ରକୃତି ପ୍ରେମୀ ଓ ଜୈବ ପର୍ଯ୍ୟଟନରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ କିଛି ମୁହୂର୍ତ୍ତ ବାନ୍ଧିରଖିବ ନିଶ୍ଚୟ । ତେବେ ସେଠାରେ କ’ଣ ଦେଖିବେ ସେ ବିଷୟରେ ଜାଣନ୍ତୁ ।

ଜିଲ୍ଲା ସଦରମହକୁମାଠାରୁ ୮କି.ମି ଦୂରରେ ରହିଛି ସତିଗୁଡ଼ା ଜୈବ ପାର୍କ । ପରିବେଶୀୟ ପର୍ଯ୍ୟଟନସ୍ଥଳୀ ମାଲକାନଗିରି ବନାଞ୍ଚଳ ଅଧିନରେ ରହିଛି ଏହି ଜୈବ ପାର୍କ । ସଂରକ୍ଷିତ ଜଙ୍ଗଲକୁ ପାର୍କର ରୂପ ଦିଆଯାଇଛି ସରକାରଙ୍କ ଦ୍ୱାରା । ପ୍ରବେଶ ଫି ଦେଇ ପର୍ଯ୍ୟଟକଙ୍କୁ ପାର୍କ ବୁଲି ଦେଖିବାର ଯୁଯୋଗ ମିଳିିଥାଏ । ପାର୍କର ସବୁଜ ଓ ଶାନ୍ତ ପରିବେଶ ସବୁ ସମୟରେ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ଅନୁକୂଳ ପାଣିପାଗ ଦୃଷ୍ଟିରୁ ଅକ୍ଟୋବରରୁ ଫେବୃୟାରୀ ମାସ ମଧ୍ୟରେ ଅପେକ୍ଷାକୃତ ଏଠାରେ ଅଧିକ ଗହଳି ହୋଇଥାଏ । କେବଳ ଓଡ଼ିଶା ନୁହେଁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ମୁଖ୍ୟ ଆକର୍ଷଣ । ପାର୍କରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି । ଶୀତଦିନରେ ଏଠାରେ ଅନେକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ପ୍ରାକୃତିକ ପରିବେଶରେ ଏହି ପକ୍ଷୀମାନଙ୍କୁ ଦେଖିବା ପାଇଁ ଶୀତେଦିନରେ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ଶୀତଦିନିଆ ରଙ୍ଗବେରଙ୍ଗ ଫୁଲ ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି ଘଟାଇଥାଏ । ସବୁଜ ଗଛମାନଙ୍କ ଗହଳି ମଧ୍ୟରେ ସ୍ଥାପନା କରାଯାଇଥିବା ବିଭିନ ଜୀବଜନ୍ତୁ ଓ ପୈରାଣିକ ଚରିତ୍ରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କୁ ବେଶ କିଛି ସମୟ ବାନ୍ଧି ରଖିଥାଏ । ଏହାସହ ନିର୍ମିତ କୃତ୍ରିମ ଝରଣା ଓ ଆଦିବାସୀଙ୍କ ଜୀବନଶୈଳୀ ଚିତ୍ର ପ୍ରତି ଆକର୍ଷଣ ସବୁଠାରୁ ଅଧିକ ।


ଏହି ସତିଗୁଡ଼ା ଜୈବ ପାର୍କ ଭିତରେ ପିଲାଙ୍କ ମନକୁ ଛୁଇଁଲା ଭଳି ଡିଜ୍ନିଲ୍ୟାଣ୍ଡ ଅନୁରୂପ କଳାକୌଶଳ ପ୍ରଦର୍ଶନ କରାଯାଇଥିବାରୁ ପରିବାର ସହ ଉପଭୋଗ କରିବାର ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏଠାରେ ଥିବା ୱାଚ ଟାୱାର ଉପରୁ ପାର୍କର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର । ବିଭିନ୍ନ ପ୍ରକାର ଗୁଳ୍ମ ଓ ଔଷଧୀୟ ଗଛ ବିଷୟରେ ଜାଣିବାର ସୁଯୋଗ ମିଳିଥାଏ ଏହି ଜୈବ ପାର୍କରେ । ପାର୍କକୁ ଲାଗି ରହିଥିବା ସତିଗୁଡ଼ା ଡ଼୍ୟାମର ସଂରକ୍ଷିତ ଅଞ୍ଚଳରେ ବୋଟିଂ କରିବା ସୁଯୋଗ ମିଳିଥାଏ ପର୍ଯ୍ୟଟକଙ୍କୁ । ଉଭୟ ପେଡ଼ାଲ ଓ ମୋଟର ଚାଳିତ ବୋଟର ବ୍ୟବସ୍ଥା ଏଠାରେ ରହିଛି । ସୀମିତ ରହଣି ମଧ୍ୟରେ ବଣଭୋଜି କରିବାର ମଜା ମଧ୍ୟ ପାଇଥାନ୍ତି ପର୍ଯ୍ୟଟକ ।
ପାର୍କର ରକ୍ଷାଣ ବେକ୍ଷଣ, ସାଙ୍ଗକୁ ବୋଟିଂ, ଟିକେଟ କାଟିବା ଆଦିରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇ ଥିବାରୁ ସେମାନଙ୍କ ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ହେବାରେ ସହାୟକ ହୋଇଛି । ଏହାସହ ଏଠାରେ ରହିବା ପାଇଁ ସରକାରୀ ଗେଷ୍ଟ ହାଉସ କିମ୍ବା କଟେଜର ସୁବିଧା ନଥିବାରୁ ସ୍ଥନୀୟ ଲୋକଙ୍କ ଦ୍ୱାରା ଘରୋଇ ଭାବେ ରାତ୍ରି ଯାପନର ସୁବିଧା ସୁଯୋଗ ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥାଏ । ସ୍ଥାନୀୟ ଲୋକେ ଏହି ବାବଦରେ ମଧ୍ୟ ବେଶ ଭଲ ରୋଜଗାର କରିଥାନ୍ତି । ଏଥିସହ ସତିଗୁଡ଼ା ଜୈବ ପାର୍କ ଓ ଡ଼୍ୟାମ ସଂଲଗ୍ନ ରାସ୍ତାଘାଟର ଉନ୍ନତି କରଯାଇଥିବାରୁ ଅଞ୍ଚଳବାସୀଙ୍କ ଯୋଗାଯୋଗ ବ୍ୟବସ୍ଥାରେ ବିକାଶ ହୋଇଛି ।

 

Previous ବାହା ହେଲେ ସାଇନା- କାଶ୍ୟପ
Next ହକି ବିଶ୍ୱକପ୍: ବାଜିମାରିନେଲା ବେଲଜିୟମ

No Comment

Leave a reply

Your email address will not be published. Required fields are marked *