ଦୁନିଆର ୬ଟି ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା

Most Dangerous Road in the World

ଦୁନିଅ।ରେ ଏମିତି ଅନେକ ରାସ୍ତା ରହିଛି, ଯେଉଁ ବାଟ ଦେଇ ଥରେ ଗଲେ ଆଉ ଥରେ କେବେବି ସେହି ବାଟ ଦେଇ ଯିବାକୁ ଆପଣଙ୍କର ଇଚ୍ଛା ହେବନାହିଁ । ସେହି ରାସ୍ତା କଥା ଭାବିବା ମାତ୍ରେ ଆପଣଙ୍କର ରୁମ ଟାଙ୍କୁରି ଉଠିବ । ବିପଦପୂର୍ଣ୍ଣ ରାସ୍ତାରୁ ଜୀବନ୍ତ ଫେରି ଆସିବା ମାନେ ମୃତ୍ୟୁ ମୁଖରୁ ଫେରି ଆସିଲା ଭଳି ମନେ ହେବ । ରାସ୍ତା ଦେଖିବାକୁ ସୁନ୍ଦର ସତ, ହେଲେ କାଳ ସବୁବେଳେ ସେଠି ପଇଁତରା ମାରୁଥାଏ । କେତେବେଳେ କ’ଣ ଯେ ହବ କିଛି କହିବା ଅସମ୍ଭବ । ଅନେକ ପର୍ଯ୍ୟଟକ, ଫଟୋଗ୍ରାଫରଙ୍କ ପାଇଁ ଏହି ରାସ୍ତା କୌତୁହଳଜନକ ହୋଇଥିବା ବେଳେ ଅନେକ ସାଧାରଣ ଲୋକ ନିଜ ଜୀବିକା ପାଇଁ ଏଭଳି ବିପଦପୂର୍ଣ୍ଣ ରାସ୍ତାରେ ଯା’ଆସ କରିବାକୁ ବାଧ୍ୟ ହୁଅନ୍ତି । ଆସନ୍ତୁ ଜାଣିବା ଦୁନିଆର ଏଭଳି କିଛି ଅତି ବିପଦପୂର୍ଣ୍ଣ ରାସ୍ତା ବିଷୟରେ । 

ଆଟଲାଣ୍ଟିକ ରୋଡ୍, ନରୱେ : ଯଦି ଆପଣ ନିଜ ଜୀବନକୁ ପାଣି ଛଡ଼ାଇ ଗୋଟିଏ ସୁନ୍ଦର ସ୍ଥାନକୁ ଦେଖିବା ପାଇଁ ଚାହାନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ଠିକ୍ । ନରୱେର ଏହି ରାସ୍ତା ୧୯୮୬ରେ ଆରମ୍ଭ କରାଯାଇଥିଲା । ଆଟଲାଣ୍ଟିକ ରୋଡ୍ ‘ନ୍ୟାସନାଲ ଟୁରିଷ୍ଟ ରୁଟ୍’ ଭାବେ ବେଶ ଜଣାଶୁଣା । ଏହି ରାସ୍ତା ବହୁତ କଷ୍ଟରେ ତିଆରି କରାଯାଇଛି । ୮.୫ କିଲୋମିଟର ଲମ୍ବର ଏହି ବିପଦପୂର୍ଣ୍ଣ ରାସ୍ତା ନରୱେ ସମୁଦ୍ରରେ ଥିବା କେତେକ ଛୋଟ ଛୋଟ ଆଇଲ୍ୟାଣ୍ଡକୁ ସଂଯୋଗ କରିଛି ।

ସିଚୁଆନ୍ ତିବ୍ବତ ହାଇୱେ, ଚାଇନା : ଚାଇନାର ଚେଙ୍ଗଡ଼ୁ ଓ ତିବ୍ବତକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଭୂସ୍ଖଳନ, ପାହାଡ଼ରୁ ପଥର ଖଣ୍ଡ ଖସିବା ନିତିଦିନିଆ କଥା । ରାଜପଥରେ ୪୮ଟି ‘ସାର୍ପ ଟର୍ଣ୍ଣ’ ରହିଛି ଯାହା ଅତି ବିପଦଜନକ । ଏହି ରାସ୍ତା ନିଜର ଏକ ରେକର୍ଡ ସ୍ଥାପନ କରିଛି । ଏପର୍ଯ୍ୟନ୍ତ ୭,୫୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁର କାରଣ ହୋଇଛି ସିଚୁଆନ୍ – ତିବ୍ବତ ହାଇୱେ ।

ସ୍କିପର୍ସ କ୍ୟାନିଅନ୍ ରୋଡ୍ – ନ୍ୟୁଜିଲାଣ୍ଡ : ନ୍ୟୁଜିଲାଣ୍ଡର ଏହି ବିପଦଶଙ୍କୁଳ ରାସ୍ତାର ଓସାର ଅତିକମ୍ । ଏହି ରାସ୍ତାରେ ଗାଡ଼ି ଚଲାଇବାକୁ ହେଲେ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକ ପଡ଼େ । ଏହି ରାସ୍ତା ଅତିକ୍ରମ କରୁଥିବା ବେଳେ ସାମନାରୁ ଯଦି ଆଉ ଗୋଟିଏ ଯାନ ଆସୁଥିବ ତେବେ ଆପଣଙ୍କର ଭାଗ୍ୟ ସତେଜ ଥିଲେ ତାକୁ ପାର କରିଯିବା ସମ୍ଭବ ହେବ ।

ଦି ଜୋଜିଲା ପାସ୍ – ଭାରତ : ଶ୍ରୀନଗର ଏବଂ ଲେହକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ ୧ଡି ସବୁଠାରୁ ବିପଦପୂର୍ଣ୍ଣ ରାଜପଥ ଭାବେ ବେଶ ଜଣାଶୁଣା । ଏହି ରାଜପଥ ଦେଇ ଲାଦାଖ ଓ କାଶ୍ମୀରକୁ ଯିବାକୁ ପଡ଼େ । ଶୀତଦିନେ ବରଫ ଯୋଗୁଁ ଏହି ରାସ୍ତା ବନ୍ଦ ହୋଇଯାଏ । ଲାଦାଖ ବାସିନ୍ଦାଙ୍କ ପାଇଁ ବାହାର ଦୁନିଆକୁ ସଂଯୋଗ କରୁଥିବା ଏହା ଏକମାତ୍ର ରାସ୍ତା । ପାହାଡ଼ର ପାଦ ଦେଶରୁ ୩,୫୨୮ ମିଟର ଉଚ୍ଚରେ ଏହି ରାସ୍ତା ଯାଇଛି ।

ଜେମ୍ସ ଡାଲ୍ଟନ ହାଇୱେ – ଆଲାସ୍କା : ଆଲାସ୍କାର ଏହି ରାଜରାସ୍ତା ୬୬୭ କିଲୋମିଟର ଲମ୍ବ । ଚାରିଆଡ଼ କେବଳ ବରଫରେ ଆଚ୍ଛାଦିତ ଏହି ରାସ୍ତା ଅତି ବିପଦଶଙ୍କୁଳ । ଏହି ରାଜପଥକୁ ଅତିକ୍ରମ କରିବାକୁ ହେଲେ ଯାତ୍ରୀମାନେ ସାଙ୍ଗରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ନେଇ ଯିବା ଦରକାର । ରାଜପଥରେ ୩୮୬ କିଲୋମିଟର ପର୍ଯ୍ୟନ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଗ୍ୟାସ ଷ୍ଟେସନ୍ କିମ୍ବା ଅନ୍ୟ କୌଣସି ସୁବିଧା ଉପଲବ୍ଧ ନାହିଁ । ଏହି ହାଇୱେରେ ଲମ୍ବା ବାଟ ଅତିକ୍ରମ କଲାବେଳେ କେବଳ ବରଫ ଓ ଖାଲି ଜମି ଆପଣଙ୍କ ଯାତ୍ରାକୁ କଷ୍ଟକର କରିବାର ଅପେକ୍ଷାରେ ଥିବେ ।

ନର୍ଥ ୟୁଙ୍ଗାସ୍ ରୋଡ୍ – ବୋଲିଭିଆ : ‘ରୋଡ୍ ଅଫ୍ ଡେଥ୍’ ବା ମୃତ୍ୟୁର ରାସ୍ତା ଭାବେ ବୋଲିଭିଆର ରାସ୍ତା ବେଶ ଜଣାଶୁଣା । ପ୍ରତିବର୍ଷ ୨୦୦ରୁ ୩୦୦ ଯାତ୍ରୀଙ୍କର ଏହି ରାସ୍ତାରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥାଏ । ରାସ୍ତାର ଓସାର କମ୍ ଯୋଗୁଁ ଯାତ୍ରୀଙ୍କ ଦୁର୍ଘଟଣା ଘଟିଥାଏ ।

ଦିପ୍ତିରଞ୍ଜନ ବେହେରା
Previous ବିଶ୍ୱ ହକି ଲିଗ୍: ଭାରତକୁ ବ୍ରୋଞ୍ଜ
Next ରଣଜୀ ଟ୍ରଫି ସେମିଫାଇନାଲ୍ ପର୍ଯ୍ୟାୟ ଚୂଡାନ୍ତ

No Comment

Leave a reply

Your email address will not be published. Required fields are marked *