ପର୍ଯ୍ୟଟକଙ୍କ ଆଢୁଆଳେ ‘ହୁକିଟୋଲା’


ଆଜିକାଲି ନୂଆ କଥା ଜାଣିବା ଓ ନୂଆ ଜାଗା ବୁଲି ଦେଖିବା ଅନେକଙ୍କର ସଉକରେ ପରିଣତ ହୋଇଗଲାଣି । ଖାସ୍ କରି ଯୁବପିଢିଙ୍କ ଭିତରେ ଏହି ଉତ୍ସାହ ବେଶୀ ଦେଖିବାକୁ ମିଳୁଛି । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରୁ ଟିକିଏ ସମୟ କାଢି ନିଜ ଜୀବନକୁ ଉପଭୋଗ କରିବା ପାଇଁ କେହି କେହି ତାଙ୍କ ସାଙ୍ଗ ସାଥୀଙ୍କ ମେଳରେ ବଣଭୋଜି କରିବାକୁ ପସନ୍ଦ କରନ୍ତି ତ ଆଉ କେହି ଭିନ୍ନ ଭିନ୍ନ ସ୍ଥାନ ବୁଲି ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ହଜିଯିବାକୁ ଚାହାଁନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏମିତି ଗୋଟେ ଜାଗାକୁ ନେଇଯିବୁ ଯାହାକୁ ବହୁତ କମ୍ ଲୋକ ଜାଣିଥିବେ ।

‘ହୁକିଟୋଲା’ ରାଜ୍ୟ ସରକାରଙ୍କ ମାନ୍ୟତା ପ୍ରାପ୍ତ ଏକ ପର୍ଯ୍ୟଟନ ସ୍ଥଳୀ । ଓଡ଼ିଶାର ପାରାଦ୍ୱୀପ ବେଳାଭୂମି ତଥା ଖରନାସୀ ଜାହାଜ ଘାଟ ଅନ୍ତର୍ଗତ କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ଦ୍ୱୀପରେ ଅବସ୍ଥିତ ଏହି ହୁକିଟୋଲା ଅଟ୍ଟାଳିକା । କହିବାକୁ ଗଲେ ଏହା ବଙ୍ଗୋପସାଗରର ଏକ ଦ୍ଵୀପ । ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆପଣ ବିମୋହିତ ହେବା ସହ ଏକ ଐତିହାସିକ ଅନୁଭୂତି ମଧ୍ୟ ପାଇପାରିବେ । ଏହି ଦ୍ଵୀପରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ଡ଼ଙ୍ଗାରେ ଯିବାକୁ ପଡିବ ଯାହାକି ଆହୁରି ରୋମାଞ୍ଚକର । ବାଟରେ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କ ସମାଗମ ସହିତ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ନଦୀ ଓ ସମୁଦ୍ର ସଙ୍ଗମର ସୁନ୍ଦର ଦୃଶ୍ୟାବଳୀକୁ ଆପଣ ଖୁବ ଉପଭୋଗ କରିପାରିବେ । ହୁକିଟୋଲାରେ ପାଦ ଥାପୁ ଥାପୁ ଆପଣଙ୍କୁ ଦେଖିବାକୁ ମିଳିବ ଏକ ୧୪୮ ଵର୍ଷର ପୁରୁଣା ଐତିହାସିକ ସ୍ମାରକୀ ସୌଧ ।

ତଥ୍ୟ ଅନୁସାରେ ୧୭୫୦ ମସିହାରେ ପ୍ରଥମେ ବ୍ରିଟିଶମାନେ ନିଜର ବ୍ୟବସାୟ ନିମନ୍ତେ ଏଠାରେ ଏକ ବନ୍ଦର ପ୍ରତିଷ୍ଠା କରିବା ସହିତ ବଡ଼ ଗୋଦାମ ଘରଟିଏ ମଧ୍ୟ ନିର୍ମାଣ କରିଥିଲେ । ଏଥିସହ ବର୍ଷାଜଳର ସଂରକ୍ଷଣ କରି ତାକୁ କିପରି ପୁନଃ ବ୍ୟବହାର କରାଯାଇପାରିବ ତା’ର ବ୍ୟବସ୍ଥା ମଧ୍ୟ କରିଥିଲେ ଯାହା ସେତେବେଳେ ଦେଶକୁ ଗୌରବାନ୍ଵିତ କରିଥିଲା । ୧୮୮୫ ମସିହା ସେପ୍ଟେମ୍ବର ୨୨ ତାରିଖରେ ଏକ ବିଧ୍ୱଂସୀ ଝଡ଼ରେ ବନ୍ଦରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଅନ୍ୟ ଏକ କାରଣ ସମୁଦ୍ରର ସ୍ଥିତି ପରିବର୍ତ୍ତନ ଏବଂ ନଦୀବାହିତ ବାଲି ଓ ପଟୁମାଟି ଦ୍ୱାରା ବନ୍ଦରଟି ପୋତି ହୋଇଯିବା ଯୋଗୁଁ ଏହା ବନ୍ଦର ନିମନ୍ତେ ଅନୁପଯୁକ୍ତ ହୋଇପଡ଼ିଲା । ଫଳରେ ୧୯୨୪ ମସିହା ଅକ୍ଟୋବର ୨୨ ତାରିଖରେ ଏହାକୁ ବନ୍ଦ କରି ଦିଆଗଲା । ପ୍ରଥମେ ଏହି ସ୍ଥାନଟିର କୌଣସି ନାମ ନଥିଲା । ତେଣୁ ଏଠାକୁ ଆସିଥିବା ବ୍ରିଟିଶ ବ୍ୟବସାୟୀ ‘ମାକ୍‌ଫର୍ସନ’ଙ୍କ ପ୍ରସ୍ତାବ ଅନୁସାରେ ବନ୍ଦର ନିର୍ମାଣ କରିଥିବା ଇଞ୍ଜିନିୟର୍‌ (ହୁକିୱାକର)ଙ୍କ ନାମାନୁଯାୟୀ ‘ହୁକିଟୋଲା’ ନାମ ରଖାଗଲା ।

୨୦୧୩ ମସିହା ବେଳକୁ ଏହା ଏକ ପର୍ଯଟନ ସ୍ଥଳୀର ମାନ୍ୟତା ପାଇଲା । ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ଏଠାରେ ଥିବା ଏକ ପଵନ କଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ଦ୍ୱୀପର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ଦେଖିବାକୁ ମିଳୁଥିବା ‘ଅଶ୍ୱ ଖୁରାକୃତି କଙ୍କଡା’ । ଯାହା ଓଡ଼ିଶାରେ ବିରଳ । ଥରୁଟିଏ ଆପଣଙ୍କ ପରିବାର ସହିତ ‘ହୁକିଟୋଲା’ ଆସନ୍ତୁ ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ଓ ଅତୀତ ଇତିହାସର ମଜା ନିଅନ୍ତୁ ।

–  ସୁନୈନା ମହାନ୍ତି

Previous ବିଶ୍ୱ ମହିଳା ଏକାଦଶରେ ମିତାଲି, ହରମନପ୍ରୀତ ଏବଂ ଏକତା
Next ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟଲର୍

No Comment

Leave a reply

Your email address will not be published. Required fields are marked *