ଚାଲ ବୁଲି ଯିବା କେନ୍ଦୁଝର

Keonjhar, a stunning tourist destination

କେନ୍ଦୁଝର ପ୍ରାକୃତିକ ସୌନ୍ଦର୍ଯ୍ୟ, ଖଣିଜ ସମ୍ପଦ ପାଇଁ ଯେତିକି ପରିଚିତ ମା ତାରିଣୀଙ୍କ ପାଇଁ ମଧ୍ୟ ସେତିକି ପରିଚିତ । ବୈତରଣୀ ଉତ୍ପତ୍ତିସ୍ଥଳ ସହ ଆଦିମ ଅଧିବାସୀଙ୍କ ଜୀବନଶୈଳୀ ବିଷୟରେ ଜାଣିପାରିବେ ଆପଣ ଏଠାକୁ ବୁଲିଗଲେ । ପରିବାର, ସାଙ୍ଗସାଥି ଓ ଏକୁଟିଆ କେନ୍ଦୁଝର ତାରେଣି ଦେଖି ଯାଆନ୍ତୁ । ଟିକିଏ ହାଲୁକା ଅନୁଭବ ପାଇଁ କେନ୍ଦୁଝର ବୁଲିଯାଆନ୍ତୁ ନା…

ଘଟଗାଁ ତାରିଣୀ

କେନ୍ଦୁଝର ଜିଲ୍ଲା ଘଟଗାଁରେ ରହିଛି ପ୍ରସିଦ୍ଧ ମା ତାରିଣୀଙ୍କ ପିଠ । ଶାଳ ଗଛ ମୂଳରେ ମା’ ତାରିଣୀ ପୂଜା ପାଆନ୍ତି । ଏହି ମନ୍ଦିରଟି ୧୪୮୦ ମସିହାରେ ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରିଥିବାର କୁହାଯାଏ । ଏଠାକୁ ଆପଣ ସବୁ ସମୟରେ ବୁଲିଯାଇ ପାରିବେ । ମନ୍ଦିର ନିର୍ମାଣ ଶୈଳୀ ସହ ମନ୍ଦିର ସୁନ୍ଦର କାରୁକାର୍ଯ୍ୟ ଦେଖି ପାରିବେ । ଏଠାରେ ଯାହା ମାନସିକ କଲେ ତାହା ପୁରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ଏଠାରେ ଚଇତି ଓ ଆଷାଢି ପର୍ବ ବହୁ ଧୂମଧାମରେ ପାଳିତ ହେବା ସହ ଏଠାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଦେହୁରୀ ପୂଜାରୀମାନଙ୍କ ଦ୍ୱାରା ଠାକୁରାଣୀ ପୂଜା ପାଇଥାନ୍ତି । ଏହି ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କୁହାଯାଏ ରାମ ବନବାସ ଓ ସୀତାଙ୍କ ହରଣ ପରେ ରାମ ଏଠାରେ ଦୁର୍ଗାଙ୍କୁ ପୂଜାକରିଥିଲେ । ମା ଦୁର୍ଗା ରାମଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଶୂନ୍ୟବାଣୀ କରିଥିଲେ ଯେ ତାଙ୍କ ସହିତ ତାରିଣୀ ଭାବେ ରହିବେ ହେଲେ ଯଦି ସେ ଦେଖିବାକୁ ଚାହିଁବେ ସେ ପାଷାଣ ପାଲଟି ଯିବେ । ଦେବୀଙ୍କ ଅଭୟ ବାଣୀ ଶୁଣିବା ପରେ ଶ୍ରୀରାମ ଓ ଲକ୍ଷ୍ମଣ ପୂଜାରେ ଧ୍ୟାନମଗ୍ନ ହେବା ସହ ଦେବୀଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ମାଙ୍କ ଚରଣ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ଆଖି ଖୋଲିଯାଇଥିଲା । ମାତାଙ୍କୁ ସ୍ୱଚକ୍ଷୁରେ ରାମଚନ୍ଦ୍ର ଦର୍ଶନ କଲେ ସିନା ଦେବୀ ସେଠାରେ ହିଁ ପାଷାଣ ଭାବରେ ରହିଗଲେ ।

ମୁର୍ଗା ମହାଦେବ

କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ମୁର୍ଗା ମହାଦେବ । ଠାକୁରାଣୀ ପାହଡ଼ତଳେ ଏକ ସୁନ୍ଦର ରମଣୀୟ ପରିବେଶରେ ଏଠି ପୂଜା ପାଆନ୍ତି ମୁର୍ଗା ମହାଦେବ ଧବଳେଶ୍ୱର । ମୁର୍ଗା ନାମକ ଜଙ୍ଗଲି ଗଛ ଅନୁଯାୟୀ ଏହାର ନାମ ମୁର୍ଗା ମହାଦେବ ହୋଇଥିବାର କୁହାଯାଏ । ମନ୍ଦିର ନିକଟରେ ବହିଯାଉଥିବା ଝରଣା ଓ ଠାକୁରାଣୀ ପାହଡ଼ର ସବୁଜିମା ଏକ ସୁନ୍ଦର ପରିବେଶ ସୃୃଷ୍ଟି କରେ । ଏହି ଝରଣା ପାଣିଙ୍କୁ ସଂରକ୍ଷଣ କରାଯାଇ ଗାଧୋଇବା ପାଇଁ ସୁବିଧା ମଧ୍ୟ କରାଯାଇଛି ।

ଗୋନାସିକା

 

ଜିଲ୍ଲା ସଦରମହକୁମାରୁ ୩୦ କିମି ଦୂରରେ ରହିଛି ଗୋନାସିକା । ଏହା ଗୁପ୍ତ ଗଙ୍ଗା ଭାବେ ବେଶ ପରିଚିତ ମଧ୍ୟ । ଏହା ବୈତରଣୀ ନଦୀର ଉତ୍ପତିସ୍ଥଳ ହୋଇଥିବା ବେଳେ ଏଠାରେ ଗାଈର ନାକ ଆକୃତି ପଥର ସନ୍ଧିରୁ ବୈତରଣୀ ବାହାରି ବା ସହ କିଛି ଦୂରରେ ଅଦୃଶ୍ୟ ହୋଇ ଭୀମକୁଣ୍ଡରେ ଯାଇ ମିଶିଥିବାରୁ ତାହାକୁ ଗୁପ୍ତଗଙ୍ଗା ଓ ଗୋନାସିକା କୁହାଯାଏ । ଏଠାରେ ମାତା ଗଙ୍ଗା ଓ ବ୍ରହ୍ମେଶ୍ୱର ମହାଦେବଙ୍କ ମନ୍ଦିର ରହିଛି । କୁହାଯାଏ ଏହି ମହାଦେବ ମନ୍ଦିରକୁ ବ୍ରହ୍ମା ସ୍ଥାପନା କରିଥିଲେ । ଘଞ୍ଚ ଜଙ୍ଗଲ ସହ ସମୁଦ୍ର ପତନଠାରୁ ୩୦୦୦ ଫୁଟ ଉଚ୍ଚରେ ରହିଥିବା ଏହି ସୁନ୍ଦର ସ୍ଥାନଟି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ପାଖକୁ ଟାଣି ଆଣେ ।

ସୀତାବିଞ୍ଜି


କେନ୍ଦୁଝରରୁ ଆନନ୍ଦପୁର ଆଡ଼କୁ ଜାତୀୟ ରାଜପଥରେ କିଛି ବାଟଗଲାପରେ ଏହି ସୀତାବିଞ୍ଜି ଗୁମ୍ଫା ପଡ଼ିଥାଏ । ଏଠାରେ ଏକ ବିଶାଳ ଶିଳା ଉପରେ ଅଙ୍କାଯାଇଥିବା ଚିତ୍ର ପାଇଁ ଏହା ବେଶ୍ ପରିଚିତ । ଏହା ରାବଣ ଛାୟା ଭାବେ ମଧ୍ୟ ପରିଚିତ । ଅଧା ଖୋଲା ଛତାଭଳି ଦେଖିବାକୁ । ଏଠାରେ ସୀତା ମାତା ଲବ କୁଶଙ୍କୁ ଜନ୍ମ ଦେଇଥିବାର ବିଶ୍ୱାସ କରାଯାଏ । ସୀତା ନଦୀକୂଳରେ ଅବସ୍ଥିତ ଏହି ସ୍ଥାନଟିରେ ରଜ ମକର ସଂକ୍ରାନ୍ତିରେ ଅଧିକ ଭିଡ଼ ଲାଗିଥାଏ ।

କେମିତି ଯିବେ
ରାଜଧାନୀ ଭୁବନେଶ୍ୱରରୁ ଏଠାକୁ ଟ୍ରେନ ଓ ବସ୍ ସବୁଦିନ ଯିବା ଆସିବା କରିଥାଏ । ଏହା ସହ ଜିଲ୍ଲା ସଦରମହକୁମାରୁ ବିଭିନ୍ନ ଅଞ୍ଚଳକୁ ମିନ୍ ବସ୍ ଓ ଅଟୋ ଟ୍ୟାକ୍ସିର ବ୍ୟବସ୍ଥା ରହିଛି । ରହିବା ପାଇଁ କେନ୍ଦୁଝର, ଘଟଗାଁ, ଆନନ୍ଦପୁର ସହ ଅନ୍ୟ ଅଞ୍ଚଳ ଗୁଡ଼ିକରେ ହୋଟେଲ ସୁବିଧା ରହିଛି ।

Previous ଧାୱନଙ୍କ ନିଆରା ରେକର୍ଡ: ଲଞ୍ଚ ପୂର୍ବରୁ ଶତକ ଅର୍ଜନ
Next ଇଂରାଜୀ ଭାଷାରେ ଶବ୍ଦଜ୍ଞାନ ବଢାଇବାର ଉପାୟ

No Comment

Leave a reply

Your email address will not be published. Required fields are marked *