ସ୍ରଷ୍ଟା ଓ ସୃଷ୍ଟି-ଜୟଦେବଙ୍କ କେନ୍ଦୁବିଲ୍ୱ


ଭୁବନେଶ୍ୱରରୁ ୪୦ କି.ମି. ଦୂରରେ ରହିଛି ଅଷ୍ଟପଦୀ କାବ୍ୟଗ୍ରନ୍ଥ ଗୀତଗୋବିନ୍ଦର ସ୍ରଷ୍ଟା ଜୟଦେବଙ୍କ ଜନ୍ମସ୍ଥାନ । ଫୁଲନଖରାରେ ପହଞ୍ଚି ସେଠାରୁ ଡାହାଣକୁ ୧୬-୧୭ କି.ମି ଗଲାପରେ ପଡିବ ଜୟଦେବ ପୀଠକୁ ରାସ୍ତା ।

ଦ୍ୱାଦଶ ଶତାବ୍ଦୀର କବି ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସେମାନଙ୍କ ରାଜ୍ୟରେ ଥିବା କେନ୍ଦୁଲି ହିଁ ଜୟଦେବଙ୍କ ଜନ୍ମସ୍ଥାନ ବୋଲି ପଶ୍ଚିମବଙ୍ଗବାସୀ ଦାବି କରୁଥିବବେଳେ ଓଡିଶାବାସୀଙ୍କ ଦାବି ଥିଲା କେନ୍ଦୁବିଲ୍ୱ ହେଉଛି ଜୟଦେବଙ୍କ ପ୍ରକୃତ ଜନ୍ମସ୍ଥାନ । ତାଙ୍କ ରଚିତ ଗୀତଗୋବିନ୍ଦରେ ପ୍ରାଚୀ ନଦୀ କୂଳରେ ଥିବା ପାତାଳଫୁଟି ମହାଦେବ ଲକ୍ଷେଶ୍ୱର(ନଖରା), ବକ୍ରେଶ୍ୱର(ଭିଙ୍ଗାରପୁର), ଆଖଣ୍ଡଳମଣି(ପ୍ରତାପରୁଦ୍ରପୁର), ମୁକ୍ତେଶ୍ୱର(କେନ୍ଦୁବିଲ୍ୱ)ଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଏସବୁ ପ୍ରମାଣକୁ ଆଧାର କରି ପ୍ରମାଣିତ ହେଲା ଯେ ଜୟଦେବଙ୍କ ଜନ୍ମ ଓଡିଶାରେ । ଏଇଠି ବସି ସେ ଲେଖିଥିଲେ ବିଶ୍ୱ ପ୍ରସିଦ୍ଧ ଗୀତଗୋବିନ୍ଦ ।

ସହରର କୋଳାହଳଠାରୁ ଦୂର ଏକ ଶାନ୍ତ ପରିବେଶରେ ୩୦ ଏକର ପରିମିତ ଅଳରେ ରହିଛି ଜୟଦେବ ପୀଠ । ସେଠାରେ ରହିଛି ଏକ ସଂଗ୍ରହାଳୟ, ଲକ୍ଷମୀ ନାରାୟଣ ଓ ଦଶାବତାର ମୂର୍ତ୍ତି । ସଂଗ୍ରହାଳୟର ତିନିଟି କୋଠରୀରେ ରହିଛି ପ୍ରାଚୀନ ମୂର୍ତ୍ତି ଶିଳାଲେଖ, ପଟ୍ଟଚିତ୍ର ଓ ମାଟି ତଳୁ ଉଦ୍ଧାର କରାଯାଇଥିବା ମାଟିପାତ୍ର ଏବଂ ଘରୋଇ ଉପକରଣ । ପ୍ରଥମ କୋଠରୀରେ ନବମ ଶତାବ୍ଦୀର ତାରା ମୂର୍ତ୍ତି, ତ୍ରୟୋଦଶ ଶତାବ୍ଦୀର ବିଷ୍ଣୁଙ୍କ ସହିତ ଶ୍ରୀଦେବୀ ଏବଂ ଭୁଦେବୀ, ନବମ ଶତାବ୍ଦୀର ଭୈରବ ମୂର୍ତ୍ତି, ଦଶମ ଶତାବ୍ଦୀର ତୋରଣ, ଦଶମ, ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀର ବିଷ୍ଣୁ ମୁର୍ତ୍ତି, ଏକାଦଶ ଶତାବ୍ଦୀର ଭୈରବ ଶିଳାଲେଖ, ଦ୍ୱିତୀୟ କୋଠରୀରେ ଦେଖିବାକୁ ମିଳିବ ବିଭିନ୍ନ ପଟ୍ଟଚିତ୍ର । ମାଟିତଳୁ ଉଦ୍ଧାର କରାଯାଇଥିବା ବିଭିନ୍ନ ଘରୋଇ ଉପକରଣ ତୃତୀୟ କୋଠରୀରେ ରହିଛି । ଜୟଦେବ ପୀଠ ପରିସରରେ ରହିଛି ଏକ ବିଶାଳ ପାର୍କ, ମୁକ୍ତେଶ୍ୱର ମହାଦେବ ମନ୍ଦିର ଏବଂ ପଦ୍ମାବତୀ ମନ୍ଦିର । କବି ଜୟଦେବ ଯେଉଁ ନିମ୍ବ ବୃକ୍ଷମୂଳେ ବସି ଗୀତଗୋବିନ୍ଦ ରଚନା କରିଛନ୍ତି ତାହା ଏବେବି ବିଦ୍ୟମାନ । ଏଠାରେ ରହିଛି ଜୟଦେବଙ୍କର ଏକ ବିଶାଳ ମୂର୍ତ୍ତି ।

ଜୟଦେବ ପୀଠର ୧୪ ଏକର ପରିମିତ ସ୍ଥାନରେ ପ୍ରାୟ ୧୩୦ ପ୍ରକାରର ଗଛଲତା ରହିଛି । ଏହାଛଡା ଗୀତଗୋବିନ୍ଦରେ ଉଲ୍ଲେଖ କରାଯାଇଥିବା ୧୨ଟି କୁଞ୍ଜ କେନ୍ଦୁବିଲ୍ୱରେ ରହିଛି । ପ୍ରତ୍ୟେକ କୁଞ୍ଜରେ ଗୋଟିଏ ଗୋଟିଏ ମୂର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି । ଜୟଦେବ ପୀଠ ପରିସରରେ ରହିଛି ପଦ୍ମାବତୀ ପୁଷ୍କରିଣୀ । ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ ଦୃଶ୍ୟକୁ ଏଠାରେ ଜୀବନ୍ତ କରାଯାଇଛି ।

ଆମ ରାଜ୍ୟର ରାଜଧାନୀ ନିକଟରେ ଥିବା ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ ସମ୍ପର୍କରେ ଲୋକେ ଏବେବି ଠିକ୍ ଭାବେ ଜାଣନ୍ତି ନାହିଁ । ପୀଠ ପରିସର ଅନାବନା ଘାସରେ ପରିପୂର୍ଣ୍ଣ । ଜୟଦେବଙ୍କ ମୂର୍ତ୍ତି ରହିଥିବା ଘରେ ବର୍ଷା ଦିନେ ପାଣି ଗଳୁଛି । ପଦ୍ମାବତୀ ଓ ମୁକ୍ତେଶ୍ୱର ମନ୍ଦିରରେ ଶିଉଳି ଲାଗିଗଲାଣି । କେବଳ ସଂଗ୍ରହାଳୟ ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ରହିଛି, ବାକି ଜାଗାରେ ଅନ୍ଧାର ହିଁ ଅନ୍ଧାର । ସରକାରୀସ୍ତରରେ ଏହାର ରକ୍ଷଣାବେକ୍ଷଣ କରାଯାଇପାରିଲେ ଗୀତଗୋବିନ୍ଦ ରଚୟିତା ଜୟଦେବଙ୍କ ପୀଠ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇବ ।

Previous ନିଷ୍ଠା ସଫଳତାର ଚାବିକାଠି
Next ଅର୍ଥ ନୁହେଁ ଅଧ୍ୟବସାୟ ସଫଳତାର ମନ୍ତ୍ର

No Comment

Leave a reply

Your email address will not be published. Required fields are marked *