ଧର୍ମ-ସୌନ୍ଦର୍ଯ୍ୟର ସଙ୍ଗମସ୍ଥଳୀ ଜାହାନିଆ ପୀଠ

It is a beautiful beach located in Astaranga

ଜାହାନିଆ ପୀଠ

ରାଜଧାନୀଠାରୁ ୮୦ କିମି ଦୂରରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପିର ଜାହାନିଆ । ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା । ପୀଠରେ ସାମ୍ପ୍ରଦାୟିକ ସଦଭାବନାର ଛାପ ଦେଖିବାକୁ ମିଳେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ଧର୍ମ ଅନୁଯାୟୀ ପୂଜା କରିଥାନ୍ତି । ହିନ୍ଦୁମାନେ ପତାକା ଲାଗାଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଚାଦର ଚଢାଇଥାନ୍ତ ପିର ବାବାଙ୍କ ଉପରେ । ଏଠାରେ ପୂଜା ପାଉଥିବା ମୁକୋଦମ ଜାହାନିଆଙ୍କ କଠଉ ଓ ବାଡ଼ି ଦେଖି ପାରିବେ । ଦର୍ଘାର କାନ୍ଥରେ ଅନେକ ଗୁଡ଼ିଏ ନାଲି ରଙ୍ଗର ସୂତା ଦେଖିବାକୁ ମିଳିଥାଏ । ଏହି ସୂତା ଗୁଡ଼ିକ ଏଠାକୁ ଆସୁଥିବା ବ୍ୟକ୍ତି ମାନସିକ କରି ବାନ୍ଧିଥାନ୍ତି । ଏଠାରେ ସୂତା ବାନ୍ଧିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ମନସ୍କାମନା ପୂର୍ଣ୍ଣ ହେବା ପରେ ଲୋକମାନେ ଏଠାକୁ ଆସି ପୂଜାର୍ଚ୍ଚନା କରି ସୂତା ଫିଟାଇଥାନ୍ତି । ଏଠାରେ କିଛି ସମୟ ବସିଲେ ମନକୁ ଶାନ୍ତି ମିଳିବ ନିଶ୍ଚୟ ।
ବଣ ଭୋଜି ସାଙ୍ଗକୁ ସମୁଦ୍ର ଗାଧୁଆ


ପିର ଜାହାନିଆ ପୀଠ ବ୍ୟତୀତ ଆପଣ ଏଠାରେ ସମୁଦ୍ର ବେଳାଭୂମି ଓ ଝାଉଁ ବଣରେ କିଛି ସମୟ ବିତାଇ ମଜା ନେଇ ପାରିବେ । ଏଠାରେ ଥିବା ବେଳାଭୂମିଟି ଏହାର ସୁନ୍ଦର ଓ ବୀସ୍ତୀର୍ଣ୍ଣ ବାଲୁକାରାଶି ପାଇଁ ଅନ୍ୟ ବେଳାଭୂମିଠୁ ନିଆରା ହେବା ସହ ଲୋକଙ୍କର ପ୍ରିୟ ହୋଇପାରିଛି । ଖରାଦିନରେ ସମୁଦ୍ର ଗାଧୁଆ ଓ ଜଳ କ୍ରୀଡ଼ା ପାଇଁ ସମ୍ପୁର୍ଣ୍ଣ ଉପଯୁକ୍ତ । ନିକଟରେ ଥିବା ଝାଉଁ ବଣରେ ବଣଭୋଜି କରିବା ପାଇଁ ସମସ୍ତପ୍ରକାର ସୁବିଧା ରହିଛି । ଏହାସହ ସମୁଦ୍ର କୂଳରେ ତିଆରି ହୋଇଥିବା ସେଡଗୁଡ଼ିକରେ ବସି ସମୁଦ୍ର ଦେଖିବାର ଏକ ସୁନ୍ଦର ଅନୁଭୁତି ସାଉଁଟି ପାରିବେ । ଏଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କିଛି ହାତ ତିଆରି ଜିନିଷ ଦେଖିବା ବା କିଣିବାର ସୁଯୋଗ ମଧ୍ୟ ପାଇ ପାରିବେ । ସମୁଦ୍ର ବେଳାଭୂମିରେ ସୂର୍ଯ୍ୟାସ୍ତ ଅତ୍ୟନ୍ତ ମନୋଲୋଭା ଦୃଶ୍ୟ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ଏଠାରେ ରହିଛି ଏକ ଛୋଟିଆ ମାଛ ବଜାର, ଯେଉଁଠି ସା୍ଥନୀୟ ମାଛ ଧରାଳିମାନେ ବିଭିନ୍ନ ପ୍ରକାର ସାମୁୂଦ୍ରିକ ମାଛ,କଙ୍କଡ଼ା ବିକ୍ରି କରୁଥିବାର ଦେଖିବାକୁ ପାଇବେ । ଏହା ପୁରୀ ଜିଲ୍ଲାର ଏକ ପ୍ରସିଦ୍ଧ ମାଛ ବଜାର । ଆପଣ ଚାହିଁଲେ ଏହି ମାଛ ବଜାରରୁ ଭଲ ଦାମରେ ବିଭିନ୍ନ ପ୍ରକାର ଫ୍ରେସ ମାଛ କିଣି ଆଣି ପାରିବେ ବା ରୋଷଇ କରିପାରିବେ ।
କୃତ୍ରିମ ହେନ୍ତାଳ ବଣ


ଜାହାନିଆ ପୀଠରୁ କିଛି ଦୂର ଗଲେ ପଡ଼େ ସହନ ନଦୀ ଓ ଦେବୀନାଶି ନଦୀ କୂଳରେ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କୃତିମ ଘଞ୍ଚ ହେନ୍ତାଳ ବଣ । ଏଠାକୁ ଗଙ୍ଗାଦେବୀ ନାମକ ସ୍ଥାନରୁ ଡ଼ଙ୍ଗାରେ ଯିବାକୁ ପଡ଼ିଥାଏ । ହେଲେ ଏଠାରେ କେବଳ ନଦୀରେ ଜୁଆର ଆସିବା ସମୟରେ ଡ଼ଙ୍ଗା ଯାତାୟତ କରେ । ଏଥି ପାଇଁ ସୂଚନା ସଂଗ୍ରହ କରି ସେହିସ୍ଥାନକୁ ଯିବାକୁ ପଡ଼ିଥାଏ । ଗଙ୍ଗାନଦୀରୁ ଦେବୀନାଶି ପର୍ଯ୍ୟନ୍ତ ରହିଛି କୃତିମ ହେନ୍ତାଳ ବଣ । ଏହାସହ ଏଠାରେ ରହିଥିବା କୃତ୍ରିମ କେନାଲରେ ବୋଟ୍ରେ ଯାତ୍ରା କରିବା ସମୟରେ ଦୁଇ ପାଶ୍ୱ ର୍ରେ ଥିବା ହେନ୍ତାଳ ବଣର ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ସୁନ୍ଦର । ପ୍ରାୟ ୨କିମି ଜଳ ଯାତ୍ରା ପରେ ଦେବୀ ନଦୀ ମୁହାଣ ଦେବୀନାଶିଠାରେ ସମୁଦ୍ର ଓ ନଦୀର ସଙ୍ଗମସ୍ଥଳୀ ଦେଖିପାରିବେ । ଏଠାରେ ଅଲିଭ ରିଡ଼ିଲେ କଇଁଛ ସଂଗ୍ରାହଳୟ ମଧ୍ୟ ଦେଖି ପାରିବେ । ଯଦି ଅଣ୍ଡାଦିଆ ଋତୁରେ ଯିବେ ତେବେ ଛୋଟଛୋଟ ଅଲିଭ ରିଡ଼ିଲେ କଇଁଛ ଦେଖିବାର ସୁଯୋଗ ପାଇ ପାରିବେ । ଜଙ୍ଗଲରେ ରହୁଥିବା ବନ୍ୟ ଜନ୍ତୁ ଓ ପକ୍ଷୀ ଦେଖିବାର ସୁଯୋଗ ମଧ୍ୟ ପାଇପାରିବେ । ଶୀତ ଦିନରେ ଏଠାକୁ କିଛି ବିଦେଶୀ ପକ୍ଷୀ ମଧ୍ୟ ଆସିଥାନ୍ତି ।
ଏକ ଗୋଡ଼ିଆ ନାଲିକଙ୍କଡ଼ା


ଏହାସହ ଅସ୍ତରଙ୍ଗରୁ କାକଟପୁର ଯିବା ରାସ୍ତାରେ ପଡ଼େ ନୂଆଗଡ଼ । ଏହିସ୍ଥାନଟି ଉକ୍ରଳ ନୌବାଣିଜ୍ୟର ପ୍ରତୀକ ଅଟେ । ଅତୀତରେ ସ୍ଥାନଟି ଥିଲା ପୂର୍ବ ଉପକୂଳର ଏକ ପ୍ରତିଷ୍ଠିତ ବନ୍ଦର । ନୂଆଗଡ଼ରୁ ଅଳ୍ପ ଦୂରରେ ରହିଛି ଦେବୀ ନଦୀ ମୂହାଣ । ପ୍ରତିଦିନ ଏଠାରୁ ସ୍ଥାନୀୟ ମତ୍ସ୍ୟଜିବୀ ଶହ ଶହ କୁଇଣ୍ଟାଲ ମାଛ ଓ ଶୁଖୁଆ ରପ୍ତାନି କରିଥାନ୍ତି । ଏଠାରେ ଆପଣ ଏକ ଗୋଡ଼ିଆ ନାଲି କଙ୍କଡ଼ା ଦେଖିବାର ସୁଯୋଗ ପାଇବେ । ଅନ୍ୟ କଙ୍କଡ଼ା ଗୁଡ଼ିକର ଦୁଇଟି ବଡ଼ ଗୋଡ଼ ରହୁଥିବା ବେଳେ ଏହି କଙ୍କଡ଼ା ଗୁଡ଼ିକର ଗୋଟିଏ ମାତ୍ର ବଡ଼ ଗୋଡ଼ ରହିଥାଏ । ଏହି ବିରଳ ପ୍ରଜାତିର କଙ୍କଡ଼ା କେବଳ ଚିଲିକା ଓ ଦେବୀ ନଦୀ ମୁହାଣରେ ଦେଖାଯାଇଥାନ୍ତି । ଏହାସହ ଆପଣ ଏଠାରୁ ଡ଼ଙ୍ଗାରେ ବୁଲିବାର ମଜା ନେଇ ପାରିବେ । ନୂଆଗଡ଼ରୁ ଡ଼ଙ୍ଗା ନେଇ ମୁହାଣ ପର୍ଯ୍ୟନ୍ତ ଯାଇ ପାରିବେ । ତେବେ ଗୋଟିଏ ଦିନର ବଣ ଭୋଜି ଓ ବୁଲାବୁଲି ପାଇଁ ଅସ୍ତରଙ୍ଗର ପିର ଜାହାନିଆ ସମ୍ପୁର୍ଣ୍ଣ ଉପଯୁକ୍ତ । ଏହିସ୍ଥାନକୁ ବୁଲିଯିବା ପାଇଁ ଉପଯୁକ୍ତ ସମୟ ହେଉଛି ଅକ୍ଟୋବର ମାସରୁ ଜୁନ ମାସ ।

Previous ଭାରତର ଵିଜୟ ଅଭିଯାନ ଜାରି:9 ଉଇକେଟରେ ହାରିଲା ପାକିସ୍ତାନ
Next ଚିକିତ୍ସା ବିିଜ୍ଞାନରେ ହୋଞ୍ଜୋ ଏବଂ ଆଲିସନଙ୍କୁ ନୋବେଲ

No Comment

Leave a reply

Your email address will not be published. Required fields are marked *