ତାମ୍ପରାରେ ବୋଟିଂ-ବଣଭୋଜିର ମଜା

enjoy boating in the serene water while enjoying the green beauty

ବର୍ଷା ସରି ଶୀତଋତୁ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନଙ୍କରେ ଗହଳି ଦେଖିବାକୁ ମିଳିଲାଣି । ଯଦି ଆପଣ ବି ଏହି ପର୍ଯ୍ୟଟନ ଋତୁରେ ପରିବାର ବା ସାଙ୍ଗସାଥିଙ୍କ ସହ ବୁଲାବୁଲି ଓ ବଣଭୋଜି ପାଇଁ ଇଛା କରିଛନ୍ତି ତେବେ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ ଯାଆନ୍ତୁ । ପ୍ରକୃତିକୁ ମନଭରି ଉପଭୋଗ କରିବା ପାଇଁ ସ୍ଥାନଟି ସମ୍ପୁର୍ଣ୍ଣ ଉପଯୁକ୍ତ । ତେବେ ସେଠାକୁ ଯାଇ କ’ଣ କ’ଣ ସବୁ ଦେଖିବେ ସେ ବିଷୟରେ ଜାଣନ୍ତୁ…


ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠାରୁ ୫ନଂର ଜାତୀୟ ରାଜପଥ ଦେଇ ଆଗକୁ ଗଲେ ମାତ୍ର ୨କି.ମି ଦୂରରେ ପଡ଼ିଥାଏ ତାମ୍ପରା ହ୍ରଦ । ଝାଉଁ, କାଜୁ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ବିସ୍ତୀର୍ଣ୍ଣ ହ୍ରଦ ଓ ବେଳାଭୂମି । ତାମ୍ପରା ହ୍ରଦର ଗୋଟିଏ ପାଶ୍ୱର୍ରୁ ଆରପାଶ୍ୱର୍କୁ ଯିବା ପାଇଁ ଡଙ୍ଗାର ସୁବିଧା ରହିଛି । ଏଠାରେ ଥିବା ଝାଉଁ ଜଙ୍ଗଲ ବଣଭୋଜି ପାଇଁ ସବୁସମୟରେ ଏକ ଉପଯୁକ୍ତ ସ୍ଥାନ ପାଲଟିଥାଏ । ଜଙ୍ଗଲ ପରେ ଅଳ୍ପଦୂରରେ ରହିଛି ସମୁଦ୍ରର ବିଶାଳ ବେଳାଭୂମି । ଏଠାରେ ପର୍ଯ୍ୟଟକମାନେ ପ୍ରକୃତିକ ସୌନ୍ଦଯ୍ୟ ଉପଭୋଗ ସହ କ୍ୟାମ୍ପ ଫାଏରିଂର ସୁଯୋଗ ପାଇଥାନ୍ତି । ଏହି ବେଳାଭୂମିରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଦୃଶ୍ୟ ବେଶ୍ ମନ ମୁଗ୍ଧକର । ଏହି ଦୃଷ୍ୟ ପାଇଁ ସକାଳ ଓ ସନ୍ଧ୍ୟା ସମୟରେ ତାମ୍ପରା କୂଳରେ ପର୍ଯ୍ୟଟକଙ୍କ ବେଶି ଭିଡ଼ ଦେଖିବାକୁ ମିଳିଥାଏ ।


ଏହାସହ ହ୍ରଦର ପାରିପାଶ୍ୱର୍ସ୍ଥିତୀ ଫଟୋ ଉଠାଇବା ପାଇଁ ଉପଯୁକ୍ତ ହୋଇଥିବାରୁ ଆଜିର ସେଲ୍ଫି ପାଗଳ ଯୁବପିଢିଙ୍କୁ ସ୍ଥାନଟି ବେଶ ପସନ୍ଦ ଆସିବ । କେତେକ ଘରୋଇ ସଂସ୍ଥା ହ୍ରଦରେ ବୋଟିଂ କରିବାର ସୁବିଧା ଯୋଗାଉଛନ୍ତି । ବୋଟିଂରେ ଆଗ୍ରହ ରଖୁଥିବା ବ୍ୟକ୍ତି ସ୍ଥାନଟିକୁ ଓ ବୋଟିଂକୁ ମନଭରି ଉପଭୋଗ କରିବେ । ହ୍ରଦର ପାଣି ମିଠା ଥିବାରୁ ସ୍ଥାନୀୟ ମତ୍ସ୍ୟଜୀବିମାନେ ଏଠାରୁ ମାଛ ଧରି ସେମାନଙ୍କ ପରିବାର ଚଳାନ୍ତି । ଏହି ମାଛମରା ଦୃଶ୍ୟ ମଧ୍ୟ ଅନେକଙ୍କ କ୍ୟାମେରା ଲେନ୍ସରେ ବାନ୍ଧି ହୋଇଯାଏ । ପୂର୍ଣ୍ଣମୀ ରାତିର ଜହ୍ନ କିରଣରେ ହ୍ରଦର ଜଳରାଶିର ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଏକ ଆକର୍ଷଣ ପାଲଟିଥାଏ । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ପୋଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଗୋଟେ ଦୁଇଦିନିଆ ବୁଲା ବୁଲି ପାଇଁ ସ୍ଥାନଟି ସମ୍ପୂର୍ଣ୍ଣ ଉପଯୁକ୍ତ ।

କେମିତି ଯିବେ…
ଜିଲ୍ଲାସଦର ମହକୁମା ଛତ୍ରପୁର ଏନଏଚ୍୫ ଠାରୁ ଏହା ମାତ୍ର ୨ କିମି. ଛତ୍ରପୁର ରେଳ ଷ୍ଟେସନରୁ ମାତ୍ର ୪ କିମି । ପ୍ରତ୍ୟେକ ସମୟରେ ଅଟୋ କିମ୍ବା ଟ୍ୟାକ୍ସି ପାଇପାରିବେ । ଜାତୀୟ ରାଜପଥ ପାଶ୍ୱର୍ରେ ରହୁଥିବାରୁ ଯେକୌଣସି ବସ୍ରେ ଆସି ସେଠାରୁ ତାମ୍ପରାକୁ ଯାଇପାରିବେ । ରହିବା ପାଇଁ ଛତ୍ରପୁରରେ ହୋଟେଲ୍ ତଥା ଲଡ୍ଜିଂର ବ୍ୟବସ୍ଥା ରହିଛି ।

Previous କୁମ୍ଭାର ବୃତ୍ତିକୁ ନୂଆ ରୂପ ଦେଇଛି ଟେରାକୋଟା
Next ଭଂସାଲୀଙ୍କ ଫିଲ୍ମରେ ଏକାଠି ଅଭିନୟ କରିବେ ସଲମାନ-ଶାହାରୁଖ!

No Comment

Leave a reply

Your email address will not be published. Required fields are marked *