ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

Daringbadi is God gifted with heavenly beauty

ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପ୍ରାକୃତିକ ଦୃଶ୍ୟ ଯିଏ ଥରେ ଦେଖିଛି ସେ ବାରମ୍ବାର ସେଠାକୁ ଯିବାକୁ ଇଛା କରିବ ନିଶ୍ଚୟ । ସୁନ୍ଦର ବନରାଜି ସାଙ୍ଗକୁ ଅଦିବାସୀଙ୍କ ଜୀବନଶୈଳୀ, ଝରଣାର କୂଳୁକୂଳୁ ନାଦ ଚିତ୍ତଚୋରି କରିନେଇଥାଏ ପର୍ଯ୍ୟଟକଙ୍କର । ରାଜ୍ୟ ସରକାର ଦାରିଙ୍ଗବାଡ଼ିକୁ ଜୈବ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରିଥିବାରୁ ପର୍ଯ୍ୟଟକଙ୍କ ଅବସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସେଠାରେ ଉପଲବ୍ଧ ହେଉଛି ।


ରାଜଧାନୀ ଭୁବନେଶ୍ୱରରୁ ୨୦୦ କିଲୋମିଟର ଦୂରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳ ଅଧିନରେ ରହିଛି ଦାରିଙ୍ଗବାଡ଼ି ଜୈବ ପର୍ଯ୍ୟଟନ କେନ୍ଦ୍ର । ସମୁଦ୍ର ପତନଠାରୁ ପ୍ରାୟ ୧୦୦୦ ମିଟର ଉଚ୍ଚରେ ରହିଥିବା ଏହି ସ୍ଥାନଟି ହିଲ ଷ୍ଟେସନ ଓ ଜୈବ ପର୍ଯ୍ୟଟନରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ବିଶେଷ ଆନନ୍ଦ ଦେଇଥାଏ । ଏଠାକୁ ବୁଲିଯିବା ପାଇଁ ସେଭଳି କୌଣସି ଋତୁକାଳୀନ ପ୍ରତିବନ୍ଧକ ନଥିଲେ ମଧ୍ୟ ଶୀତ ଦିନର ଭିନ୍ନ ଆକର୍ଷଣ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ସେତେବେଳେ ଏଠି ବିଯୁକ୍ତ ତାପମାତ୍ରା ରହୁଥିବାରୁ ବରଫପାତ ହୋଇଥାଏ । ଦୁଇ ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ ସ୍ଥାନଟି ସମ୍ପୂର୍ଣ୍ଣ ଉପଯୁକ୍ତ ।

ଏଠାରେ କୁଟିଆ କନ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ଜୀବନଶୈଳୀ, ପରମ୍ପରା, ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପାଇଥାନ୍ତି ପର୍ଯ୍ୟଟକମାନେ । ସେମାନଙ୍କ ଦ୍ୱାରା ପରିବେଶିତ ଶିଙ୍ଗ ନୃତ୍ୟରେ ମାଟିମା’ର ବନ୍ଦନା ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥାଏ । ଏଠିକାର ସବୁଜ ଜଙ୍ଗଲ ମଧ୍ୟରେ ବୁଲି ବିଭିନ୍ନ ପ୍ରଜାତିର ପକ୍ଷୀ ଓ ବନ୍ୟଜନ୍ତୁ ଦେଖିବାର ସୁଯୋଗ ମିଳିବ । ବନବିଭାଗ ଦ୍ୱାରା କରାଯାଇଥିବା କଫି, ଗୋଲମରିଚ ବଗିଚା ବୁଲି ଦେଖିବାରେ ବେଶ ଆନନ୍ଦ ମିଳିଥାଏ । ସ୍ଥାନୀୟ ସବୁଜ ଜଙ୍ଗଲରେ ଶାଳ, ପିଆଶାଳ, ଶାଗୁଆନ ଗଛ ସହ ସୁଉଚ୍ଚ ପାଇନ ଗଛ ଦାରିଙ୍ଗବାଡ଼ି ଜୈବ ପର୍ଯ୍ୟଟନର ଶୋଭାବର୍ଦ୍ଧନ କରିଥାଏ । ସ୍ଥନୀୟ ଅଧିବାସୀ ଚାଷ କରିଥିବା ବିରଳ ଏମୁ ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ କିଛି ସମୟ ବାନ୍ଧି ରଖିଥାଏ ।


ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସରକାରଙ୍କ ପକ୍ଷରୁ ହିଲ ଭିୟୁ ପାର୍କ ନିର୍ମାଣ କରାଯାଇଛି । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପାର୍କ ସହ ୱାଚ ଟାୱାର ରହିଛି ଏହାରି ପରିସରରେ । ସେଠାରୁ ସମ୍ପୂର୍ଣ୍ଣ ଦାରିଙ୍ଗବାଡି଼ ସହରର ଦୃଶ୍ୟ ଦେଖିବାର ସୁଯୋଗ ମିଳିଥାଏ । ଏଠାରୁ ଅଳ୍ପ ଦୂରରେ ରହିଛି ମୁଦୁବନ୍ଧ ଜଳ ପ୍ରପାତ । ଘଞ୍ଚ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ନିରୋଳାରେ କିଛି ସମୟ ବିତେଇବା ପାଇଁ ଜଳପ୍ରପାତ ସ୍ଥଳଟି ସମ୍ପୂର୍ଣ୍ଣ ଉପଯୁକ୍ତ ।

ପର୍ଯ୍ୟଟକଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ୬ଟି ଟ୍ରାଇବାଲ କଟେଜ ତିଆରି କରାଯାଇଛି । ଏଠାରେ ରାତ୍ରି ଜାପନ ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ । କଟେଜରେ ରହିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ଆଗୁଆ ଓଟିଡ଼ିସି ସାଇଟିକୁ ଯାଇ ଅନଲାଇନରେ ବୁକିଂ କରିବାକୁ ପଡ଼ିଥାଏ । ଏହି କଟେଜ ଗୁଡ଼ିକର ରକ୍ଷାଣବେକ୍ଷଣ ସହ ଖାଦ୍ୟ ପ୍ରସ୍ତୁତି ଆଦିରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯିବା ଦ୍ୱାରା ସେମାନଙ୍କ ସାମାଜିକ ଓ ଆର୍ôଥକ ଅବସ୍ଥାରେ ଉନ୍ନତି ଘଟିଛି । ଏହାସହ ଏଠାକୁ ଅସୁଥିବା ପର୍ଯ୍ୟଟକମାନଙ୍କୁ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ଆଦିବାସୀ ଖାଦ୍ୟ ବିକ୍ରି କରି ସ୍ଥାନୀୟ ଲୋକ ଉପାର୍ଜନର ସୁଯୋଗ ପାଇଛନ୍ତି । ପର୍ଯ୍ୟଟନସ୍ଥଳୀକୁ ସରକାରୀ ଉଦ୍ୟମରେ ବିକଶିତ କରାଯିବା ସହ ସ୍ଥାନୀୟ ରାସ୍ତ ଘାଟ, ଚିକିତ୍ସାଳୟ ଉନ୍ନତି ଘଟିଛି । ଦାରିଙ୍ଗବାଡ଼ି ଆଉ ଅପହଞ୍ଚ ଇଲାକା ହୋଇ ରହି ନାହିଁ । ଏଠାରେ ବସବାସ କରୁଥିବା ଆଦିବାସୀଙ୍କ କଳା ସଂସ୍କୃତିର ପ୍ରଚାରପ୍ରସାର ହେବା ସହିତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ସହାୟକ ହୋଇଛି ଏହି ଜୈବ ପର୍ଯ୍ୟଟନସ୍ଥଳୀ ।

Previous ଭିଜା କିସମିସର ଫାଇଦା
Next 'ପିହୁ'ର କମାଲ

No Comment

Leave a reply

Your email address will not be published. Required fields are marked *