ବିଚିତ୍ରପୁରରେ ପ୍ରକୃତିର ବୈଚିତ୍ର‌୍ୟ

Bichitrapur – A Perfect Place for Weekend Travelers

ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହର କରି ଛୁଟି କାଟିବା ପାଇଁ ଚାହୁଁଥିଲେ ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଏଥିପାଇଁ ଉପଯୁକ୍ତ ସ୍ଥାନଟିଏ । ଲୁଣା ଜଙ୍ଗଲ ସହ ନାଲି କଙ୍କଡ଼ା, ବେଳାଭୂମି, ବୋଟିଂ, ହେନ୍ତାଳ ବଣ ଦେଖିବାର ସୁଯୋଗ ମିଳିଥାଏ ଏଠାରେ । ଏହାସହ ଗ୍ରାମ୍ୟ ପରିବେଶରେ ଛୁଟି କାଟିବା ପାଇଁ ସ୍ଥାନଟି ଅନେକଙ୍କ ପସନ୍ଦ । ରାଜ୍ୟରେ ରହିଥିବା ବିଭିନ୍ନ ଜୈବ ପର୍ଯ୍ୟଟନ ମଧ୍ୟରୁ ଏହା ଅନ୍ୟତମ । ଏହି ପର୍ଯ୍ୟଟନସ୍ଥଳୀର ସ୍ୱାତନ୍ତ୍ର‌୍ୟ ସମ୍ପର୍କରେ ଆମେ ଏଠାରେ କିଛି ତଥ୍ୟ ଉପସ୍ଥାପନା କରୁଛୁ ।

ରାଜ୍ୟ ରାଜଧାନୀଠାରୁ ୩୧୦ କିଲୋମିଟର ଦୂର ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଖଡ଼ିବିଲ ମଉଜାରେ ଅବସ୍ଥିତ ଏହି ବିଚିତ୍ରପୁର ଜୈବ ପର୍ଯ୍ୟଟନସ୍ଥଳୀ । ଦୀଘା ବେଳାଭୂମିରୁ ମାତ୍ର ୧୫ କିମି ଦୂରରେ ରହିଛି ସ୍ଥାନଟି । ସୁବର୍ଣ୍ଣରେଖା ନଦୀକୂଳରେ ୫୬୩ ବର୍ଗ କିମି ପରିବ୍ୟାପ୍ତ ଏହି ସ୍ଥାନଟି ପ୍ରକୃତିର ଏକ ନିଆରା ଦାନ କହିଲେ ଚଳେ । ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ଅଞ୍ଚଳ ପରିଦର୍ଶନ ଓ ଅବସ୍ଥାନ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଆଧୁନିକ ସୁବିଧା ସୁଯୋଗ ସହ ଚାରିଟି କଟେଜ, ପାଣି ଭିତରେ ବୁଲି ହେନ୍ତାଳ ଜଙ୍ଗଲ ଦେଖିବା ପାଇଁ ବୋଟ, ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ ଓ ଗାଇଡ଼ର ବ୍ୟବସ୍ଥା ପ୍ରଭୃତି ରହିଛି । ସ୍ଥାନଟି ସାମୁଦ୍ରିକ ଜୈବବ୍ୟବସ୍ଥାର ଏକ ନିଛକ ଉଦାହରଣ । ଏହି ପର୍ଯ୍ୟଟନସ୍ଥଳୀରୁ ୪ କିମି ଦୂରରେ ରହିଛି ଉଦୟପୁର ଓ ତାଳସରି ବେଳାଭୂମି । ଏଠାରେ ନାଲି କଙ୍କଡ଼ା, କଇଁଛ, ବିଭିନ୍ନ ପ୍ରଜାତିର ପକ୍ଷୀ, ସାମୁଦ୍ରିକ ଜୀବ, ହେନ୍ତାଳ ଓ ତାଳଚୁଆ ଗଛରେ ସୃଷ୍ଟି ଜଙ୍ଗଲର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହାଛଡ଼ା ସମୁଦ୍ର ଗାଧୁଆର ମଜା ମଧ୍ୟ ଏଠାରେ ନେଇ ପାରିବେ । ଶୀତଋତୁରେ ବିରଳ ଅଲିଭରିଡ୍ଲେ କଇଁଛ ଏହି ବେଳାଭୂମିରେ ଅଣ୍ଡା ଦେଉଥିବା ଦୃଶ୍ୟ ମଧ୍ୟ ଅନ୍ୟତମ ଆକର୍ଷଣ ।

ସ୍ଥାନୀୟ ଜଙ୍ଗଲରେ ଥିବା ବିଭିନ୍ନ ଔଷଧୀୟ ଗଛ ବିଷୟରେ ପର୍ଯ୍ୟଟକଙ୍କୁ ଜାଣିବାର ସୁଯୋଗ ରହିଛିି । ବିଚିତ୍ରପୁରଠାରୁ ମାତ୍ର ୮କିମି ଦୂରରେ ରହିଛି ଚନ୍ଦେନଶ୍ୱର ଓ ଭୁଷଣ୍ଡେଶ୍ୱର ଶିବମନ୍ଦିର । ସମୁଦ୍ରରେ ଜୁଆର ଆସିବା ସମୟରେ ହେନ୍ତାଳ ଜଙ୍ଗଲ ଏକ ବିରାଟ ନଦୀରେ ପରିଣତ ହେବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତିର ସୁଯୋଗ ସୃଷ୍ଟି କରିଥାଏ । କେତେକାଂଶରେ ସ୍ଥାନଟି ଆଣ୍ଡାମାନ ଓ ସୂନ୍ଦରବନର ଛବି ଆଙ୍କିଥାଏ ପର୍ଯ୍ୟଟକଙ୍କ ମନରେ । ଏହା ସୁବର୍ଣ୍ଣରେଖା ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳ ହୋଇଥିବାରୁ ତାହାର ମନୋରମ ଦୃଶ୍ୟ ଅନ୍ୟ ଏକ ଆକର୍ଷଣ ।


ରାଜ୍ୟସରକାରଙ୍କ ପକ୍ଷରୁ ବିଚିତ୍ରପୁରକୁ ଜୈବ ପର୍ଯ୍ୟଟନର ମାନ୍ୟତା ମିଳିଥିବା ବେଳେ ଅଞ୍ଚଳବାସୀ ପର୍ଯ୍ୟଟକଙ୍କୁ ବିଭିନ୍ନ ସେବା ଯୋଗାଇ ଉପର୍ଜନର ସୁଯୋଗ ପାଇପାରିଛନ୍ତି । ଏଠାରେ ଥିବା ଅତିଥିଶାଳରେ ସ୍ଥାନୀୟ ମହିଳାଙ୍କୁ ରୋଷେୟା ଓ ସହାୟିକା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟକଙ୍କ ଗାଇଡ୍ ଭାବେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇଛନ୍ତି । ଏହା ବ୍ୟତୀତ କେଟଜ୍ ସଫେଇ, ବଗିଚାରେ ଥିବା ଗଛର ରକ୍ଷାଣ ବ୍ୟକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଛି । ପର୍ଯ୍ୟଟକଙ୍କ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ ପକାରାସ୍ତା ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ନିତିଦିନିଆ ଓ ଜରୁରୀକାଳିନ ସୁବିଧା ସୁଯୋଗ ପାଇବାରେ ଆଉ ଅସୁବିଧା ହେଉନି । ପର୍ଯ୍ୟଟକଙ୍କୁ ସ୍ଥାନୀୟ ଲୋକ ବିଭିନ୍ନ ଖାଦ୍ୟ ଓ ଅବାଶ୍ୟକ ସାମଗ୍ରୀ ବିକ୍ରିକରି ଅର୍ଥରୋଜଗାର କରିପାରୁଛନ୍ତି । ବିଚିତ୍ରପୁର ଜୈବ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ସୃଷ୍ଟି ହୋଇଛି ।

Previous ଶୀତଦିନେ ତ୍ୱଚାର ଯତ୍ନ
Next ପେଟ କମାଇବା ଉପାୟ

No Comment

Leave a reply

Your email address will not be published. Required fields are marked *