ସ୍ଥାପତ୍ୟ ସହ ପ୍ରକୃତିର ସହର ବାରିପଦା

Baripada is the cultural centre of North Odisha

ସବୁଜ ପଥପ୍ରାନ୍ତ ସାଙ୍ଗକୁ ମନଲୋଭା ପ୍ରାକୃତିକ ଦୃଶ୍ୟ, ଛଉ ଓ ଝୁମରା ନୃତ୍ୟର ନାଦରେ ଆତ୍ମହରା କରିପକାଉଥିବା ସହର ହେଉଛି ମୟୁରଭଞ୍ଜ ଜିଲ୍ଲାର ବାରିପଦା । ସହରର ପ୍ରାକୃତିକ ପରିବେଶ ଯେପରି ମନଲୋଭା ଏଠାକାର ଐତିହ୍ୟ ମଧ୍ୟ ସେପରି ଆକର୍ଷଣୀୟ । ଏଠାରେ ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଗଢି ଉଠିଛି ଅନେକ ଐତିହ୍ୟ କିର୍ତ୍ତିରାଜ । ଆଜିର ଦିନରେ ସେଗୁଡ଼ିକ ଇତିହାସ ହୋଇଥିଲେ ମଧ୍ୟ ସହରର ସୌନ୍ଦର୍ଯ୍ୟ ବୃଦ୍ଧିକରିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟ ହେଉଛି । ବାରିପଦା ଗଲେ କଣ କଣ ଦେଖିବାକୁ ପାଇବେ ସେ ବିଷୟରେ କିଛି ଉପସ୍ଥାପନା ।
ସହରକୁ ସ୍ୱାଗତ କରୁଛି ‘ବୁଢି ଗାଡ଼ି’!


ରାଜଧାନୀରୁ ୨୫୦ କିମି ଦୂରରେ ରହିଛି ବାରିପଦା ସହର । ଏହା ମୟୁରଭଞ୍ଜ ଜିଲ୍ଲାର ସଦରମହକୁମା ମଧ୍ୟ । ଆପଣ ବସ ଓ ଟ୍ରେନ ସାହାର୍ଯ୍ୟରେ ଏଠାକୁ ଯାତ୍ରା କରିପାରିବେ । ବସ ଅପେକ୍ଷା ରେଳରେ ଯାତ୍ରା ଟିକିଏ ନିଆରା ଅନୁଭୂତି ଦେଇଥାଏ । ଷ୍ଟେସନରୁ ଓହ୍ଲାଇ ବାହାରକୁ ଆସିଲେ ନଜର ପଡ଼ିଥାଏ ଏକ ଛୋଟ ରେଳ ଇଞ୍ଜିନ ଉପରେ । ଏହି ଇଞ୍ଜିନ ଦ୍ୱାରା ୧୯୦୪ ମସିହାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ପ୍ରଚେଷ୍ଟାରେ ରୂପସା ଜଙ୍କସନରୁ ବାଙ୍ଗିରିପୋଷିକୁ ଛୋଟ ରେଳ ଗାଡ଼ିଟି ଚାଲୁଥିଲା । ରେଳ ଗାଡ଼ିଟିର ଗୋଟିଏ ଶ୍ରଦ୍ଧାନାମ ମଧ୍ୟ ଥିଲା ‘ବୁଢି ଗାଡ଼ି’ ବୋଲି । ସମୟ କ୍ରମେ ଅଣ ଓସାରିଆ ରେଳଲାଇନଗୁଡ଼ିକ ଓସାରିଆ ହେବା ସହ ଅନେକ ବଡ଼ ଟ୍ରେନ ସେହି ରାସ୍ତା ଦେଇ ଗଡ଼ୁଛି ହେଲେ ଏବେବି ସେହି ଛୋଟିଆ ଟ୍ରେନଟି ବିଗତ ଦିନର ସ୍ମୃତି ବହନ କରିବା ସହ ଷ୍ଟେସନ ଦେଇ ଆସୁଥିବା ଯାତ୍ରୀଙ୍କୁ ସ୍ୱାଗତ କରିବା ପ୍ରାୟ ଛିଡ଼ା ହୋଇଛି ।
ବ୍ରିଟେନ ବଙ୍କିମହାମ୍ ପ୍ୟାଲେସ ଓ ହାଇଦ୍ରାବାଦ ଚାରମିନାର ଝଲକ 

ଏଠାରୁ କିଛି ଦୂର ଯିବା ପରେ ପଡ଼େ ହରି ବଳଦେବ ଜୀଉ ମନ୍ଦିର । ମନ୍ଦିରଟି ୧୫୭୫ ମସିହାରେ ରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା ଗଢା ହୋଇଥିଲା । ପୁରୀମନ୍ଦିର ସହ ଏହାର ଅନେକ ସାମଞ୍ଜସ୍ୟ ରହିଥିବା ବେଳେ ଏଠାରେ କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ଝଲକ ଦେଖିବାକୁ ମିଳେ । ଏଠାରେ ଜଗନ୍ନାଥ,ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସହିତ ଅନ୍ୟାନ୍ୟ ପାଶ୍ୱର୍ ଦେବାଦେବୀ ପୂଜା ପାଆନ୍ତି । ଏଠାରେ ଆୟୋଜିତ ରଥଯାତ୍ରାରେ ମଧ୍ୟ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ । ରଥଯାତ୍ରା ଦିନ ମା’ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିଥାନ୍ତି । ବଡ଼ ଦାଣ୍ଡରେ କିଛି ଦୂରଗଲେ ବାମ ପଟରେ ପଡ଼ିବ ମୟୁରଭଞ୍ଜ ରାଜପ୍ରସାଦ । ୧୯୦୪ ମସିହାରେ ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରାଜ ପ୍ରସାଦ ବ୍ରିଟେନର ବଙ୍କିମହାମ୍ ପ୍ୟାଲେସ ଢାଞ୍ଚାରେ ତିଆରି ହୋଇଛି ବୋଲି କୁହାଯାଏ । ଏହାର ଭିତରେ ଦରବାର ଗୃହ, ରାଣୀ ହଂସପୁର, ସନ୍ତରଣ କକ୍ଷ ଓ ମୁକ୍ତାକାଶ ରଙ୍ଗମଞ୍ଚ ରହିଛି । ରାଜ ପ୍ରସାଦର ଦକ୍ଷିଣ ଦ୍ୱାରର ସ୍ଥାପତ୍ୟ ଶୈଳୀ ହାଇଦ୍ରାବାଦର ଚାରମିନାର ପରି କିଛିମାତ୍ରାରେ ଦେଖାଯାଏ । ଏହାର ବାମ ପାଶ୍ୱର୍ରେ ରାଜ ପରିବାରର ଇଷ୍ଟଦେବୀ ମା’ କୀଚକେଶ୍ୱରୀ ପୂଜା ପାଉଛନ୍ତି । ବର୍ତ୍ତମାନ ଏହି ପ୍ୟାଲେସ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି ଏଠାରେ ଦୁଇଟି ସରକାରୀ ମହାବିଦ୍ୟାଳୟ ପରିଚାଳିତ ହେଉଛି । ଏହା ସହ ରାଜବାଟି ଭିତରେ ରହିଥିବା ମୃଣ୍ମୟୀ ମନ୍ଦିରର ନିର୍ମାଣ ଶୈଳୀ ମଧ୍ୟ ଆକର୍ଷଣୀୟ ରହିଛି । ଏଠାରେ ଲକ୍ଷ୍ମୀ ନାରାୟଣ ପୂଜା ପାଆନ୍ତି ।
ଆକର୍ଷଣୀୟ ରୋମାନ ସ୍ଥାପତ୍ୟକୁ-ବାଘଘର


ସେହିଭଳି ଆପଣ ବାରିପଦାରେ ବୁଢାବଳଙ୍ଗ ନଦୀ କୁଳରେ ବଣ ଭୋଜିର ମଜା ନେବା ସହ ମା’ ଅମ୍ବିକାଙ୍କ ଦର୍ଶନ କରିବା ସହ ବୁଢା ରାଉଳ ମଠରେ ଥିବା ଧ୍ୱନି ମନ୍ଦିର ସହ ମହିମା ଧର୍ମର ଝଲକ ଦେଖିପାରିବେ । ଏଠାରୁ ଟିକିଏ ଆଗକୁ ଗଲେ ଦେଖିବାକୁ ପାଇବେ ବେଲ ଗଡ଼ିଆ ରାଜ ପ୍ରସାଦ । ଏଠାରେ ରୋମାନ୍ ସ୍ଥାପତ୍ୟ ଶୈଳୀର ବିଶାଳ ସ୍ତମ୍ବ, କାରୁକାର୍ଯ୍ୟପୂର୍ଣ୍ଣ କାଠର ଶିଡ଼ି, ରାସାୟନିକ ଉପଚାର ଦ୍ୱାରା ମୃତ ପଶୁମାନ ଦେଖିପାରିବେ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପାଖାପାଖି ରହିଛି ୧୫ ଫୁଟ ଉଚ୍ଚର ଲୌହ ନିର୍ମିତ ମୁକ୍ତାକାଶ ପିଞ୍ଜରା, ବାଘଘର । ଏହାର ନିର୍ମାଣ ଶୈଳୀ ଏପରି ହୋଇଛି ଯେ ବାଘଟେ ବା ପଶୁଟେ ମୁକ୍ତରେ ଥିଲେ ମଧ୍ୟ କୁଦା ମାରି ପିଞ୍ଜରା ବାହାରକୁ ଯାଇ ପାରିବ ନାହିଁ । ସ୍ଥାନୀୟ ବୟସ୍କ ଲୋକଙ୍କ ମତରେ ଏହି ପିଞ୍ଜରାଟି ଅପରାଧୀମାନଙ୍କୁ ସର୍ବ ସମୁଖରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ରାଜାମାନେ ବ୍ୟବହାର କରୁଥିଲେ । ଏହା ସହ ବ୍ରିଟିଶ ବ୍ୟାଣ୍ଡ ଷ୍ଟାଣ୍ଡ, ପୂର୍ଣ୍ଣଚନ୍ଦ୍ର ସ୍ମୃତି ସୌଧ,ବାପଟିଷ୍ଟ ଚର୍ଚ୍ଚ, ବ୍ରାହ୍ମ ମନ୍ଦିର, ବାଣ୍ଠିଆ ଜଗନ୍ନାଥ ମନ୍ଦିର ଦେଖିପାରିବେ । ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମୟରେ କେବଳ ଛୋଟପିଲା ବା କିଶୋରମାନଙ୍କ ଦ୍ୱାରା ରଥଟଣା ହୋଇଥାଏ । ଏହା ସହ ସହରର ରାଣୀବାଗ, ସାଇ ମନ୍ଦିର, ଜ୍ୱଳାମୁଖୀ ମନ୍ଦିର ମଧ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ ।

Previous ନେତୃତ୍ୱ ନେଇ ପ୍ରଶ୍ନବାଚୀ
Next ୨୪ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ

No Comment

Leave a reply

Your email address will not be published. Required fields are marked *