ଓଡ଼ିଶାର ଅନ୍ୟତମ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର

Balasore, Panchalingeshwar

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠ ଅନ୍ୟତମ । ସେହିଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ସ୍ଥାନଟି ମଧ୍ୟ ବେଶ ପରିଚିତ । ସୁନ୍ଦର ବନରାଜି ମଧ୍ୟରେ ବହିଯାଉଥିବା ଝରଣା ଜଳରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ପଞ୍ଚଲିଙ୍ଗେଶ୍ୱର । ଯଦି ଆପଣ ଛୁଟିରେ କୁଆଡ଼େ ବୁଲିଯିବା ପାଇଁ ଭାବୁଛନ୍ତି ତେବେ ପଞ୍ଚଲିଙ୍ଗେଶ୍ୱର ଯାଆନ୍ତୁ । ଏହାସହ ଶ୍ରାବଣ ସୋମବାରରେ ଏଠାରେ ଭିଡ ଅଧିକ ରହିଥାଏ । ସେଠାରେ କଣ ଦେଖିବେ ଆମେ ଜଣାଉଛୁ…

ଇତିହାସରୁ ଜଣାପଡ଼େ ଯେ ବନାସୁର ଏହିସ୍ଥାନରେ ସୁଗନ୍ଧ ପୁଷ୍ପ, ଝରଣା ଓ ବର୍ଣ୍ଣରାଜି ଦେଖିବା ପରେ ଏଭଳି ଏକ ମନୋରମ ସ୍ଥାନରେ ଶିବଙ୍କୁ ଏକାନ୍ତରେ ଆରାଧନା କରିବା ପାଇଁ ପଞ୍ଚଲିଙ୍ଗ ବିଶିଷ୍ଟ ମହାଦେବଙ୍କୁ ପ୍ରତିଷ୍ଠା କରିଥିଲା । ଏହାସହ କୁହାଯାଏ ୧୮୪୮ ରେ କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଶାସନଭାର ଗ୍ରହଣ କରିବା ପରେ ତାଙ୍କ ରାଣୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଭଗବାନ ଶିବ ସ୍ୱପ୍ନାଦେଶ କରି ଆହୁତି ପର୍ବତରେ ନିଜର ଆବିର୍ଭାବ ସଂପର୍କରେ ସୂଚନା ଦେଇଥିଲେ । ପରେ ରାଜା ନିଜର ସୈନ୍ୟ ସାମନ୍ତ ଓ ଦଳବଳ ସହ ସେଠାକୁ ଯାଇ ଅନେକ ଖୋଜାଖୋଜି ପରେ ଝରଣା ମଧ୍ୟରେ ବୁଡିରହିଥିବା ପାଞ୍ଚଟି ଶିବଲିଙ୍ଗଙ୍କୁ ଦର୍ଶନ କରିଥିଲେ । ଏହି ଦୃଶ୍ୟରେ ଉପସ୍ଥିତ ଦର୍ଶକଙ୍କ ମୁହଁରୁ ସ୍ୱତଃ “ଜୟ ବାବା ପଞ୍ଚଲିଙ୍ଗେଶ୍ୱର” ଉଚ୍ଚାରିତ ହୋଇଥିଲା । ସେହି ଦିନରୁ ଉକ୍ତ ସ୍ଥାନକୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ନାମିତ କରାଯାଇଛି ବୋଲି ବିଶ୍ୱାସ କରାଯାଏ ।


ବର୍ଷାଋତୁକୁ ଛାଡିଦେଲେ ବର୍ଷର ଅନ୍ୟ ଋତୁ ଗୁଡିକରେ ଏଠାକୁ ବୁଲିଯିବା ପାଇଁ ଉପଯୁକ୍ତ । ପୀଠଟି ଦେବଗିରି ରେଂଜ ଅଧୀନରେ ଥିବା ନୀଳଗିରି ପର୍ବତର କୁଲଡିହା ଜଙ୍ଗଲର ଅଂଶ ବିଶେଷ ଅଟେ । ପର୍ବତର ପାଦଦେଶରୁ ପ୍ରାୟ ୨୬୦ ଟି ପାହାଚ ଚଢି ପଞ୍ଚଲିଙ୍ଗେଶ୍ୱର ପୀଠରେ ପହଞ୍ଚିବାକୁ ପଡ଼ିଥାଏ । ଏହି ପାହାଚର ଉଭୟପାଶ୍ୱର୍ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲୁହା ଓ ସିମେଣ୍ଟ ଦ୍ୱାରା ବ୍ୟାରିକେଡ ନିର୍ମାଣ ହୋଇଛି । ଏହାସହ ମଝିରେ ମଝିରେ ପର୍ଯ୍ୟଟକମାନଙ୍କ ବିଶ୍ରାମ ପାଇଁ କଟେଜ୍ ମାନ ତିଆରି ହୋଇଛି । ପାହାଚ ଅତିକ୍ରମ ସମୟରେ ଉଭୟପାଶ୍ୱର୍ରେ ଝରିଯାଉଥିବା ଝରଣାର ମନୋରମ ଦୃଶ୍ୟ ଉପଭୋଗ କରି ପାଦଚଲାର କ୍ଲାନ୍ତି ଭୁଲାଇବା ପାଇଁ କଟେଜ୍ ରେ ବିଶ୍ରାମ ମଜାଦାୟକ ରହିଥାଏ । ଏଠାରେ ଠାକୁରମାନେ ମନ୍ଦିରରେ ନାହାଁନ୍ତି, ଝରଣା ଜଳରେ ପଞ୍ଚଲିଙ୍ଗେଶ୍ୱର ରହିଥିବାରୁ ଲିଙ୍ଗଗୁଡ଼ିକର ସମ୍ପୁର୍ଣ୍ଣ ଅଂଶ ଦେଖାଯାଏନି ପାଣି ଭିତରେ ହାତ ସ୍ପର୍ଶ କରି ଠାକୁରଙ୍କ ଦର୍ଶନ କରିବାକୁ ପଡ଼ିଥାଏ । ଏହି ଝରଣାରୁ ଜଳ ଝରିଆସି ଏକ ପୋଖରୀ ସୃଷ୍ଟି ହୋଇଛି । ଯାହାକୁ ପାର୍ବତୀ କୁଣ୍ଡ ବୋଲି କୁହାଯାଇଥାଏ । ଏଠାରେ ବିଭିନ୍ନ ପ୍ରକାର ସାପ ଦେଖାଯାଇଥାନ୍ତି । ମହାଦେବଙ୍କ ଦର୍ଶନ ସାଙ୍ଗକୁ ଏଠାକାର ସବୁଜିମା, ସରୀସୃପ ଏବଂ ହାତୀ, ଭାଲୁ, ବାରହା, ଚିତାବାଘ ଭଳି ବନ୍ୟଜନ୍ତୁଙ୍କ ଦେଖିବାର ସୁଯୋଗ ପାଇବେ । ପର୍ଯ୍ୟଟକମାନେ ରହିବା ପାଇଁ ପର୍ବତ ତଳେ ଓଟିଡିସି (ଓଡ଼ିଶା ଟୁରିଜିମ୍ ଡେଭେଲେପମେଣ୍ଟ କର୍ପୋରେସନ୍) ପକ୍ଷରୁ ପାନ୍ଥନିବାସ ରହିଛି ।

ଜରାସନ୍ଧ ଗୁମ୍ଫା :-

ଏହି ସ୍ଥାନର ଅନ୍ୟ ଏକ ଆକର୍ଷଣ ହେଉଛି ଜରାସନ୍ଧ ଗୁମ୍ଫା । ଏହି ବିଶାଳ ଗୁମ୍ଫା ଦ୍ୱାପର ଯୁଗରେ ଅସୁର ଜରାସନ୍ଧ ଦ୍ୱାରା ନିର୍ମିତ ହୋଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ମାଇଲ୍ ମାଇଲ୍ ଦୀର୍ଘ ଏହି ଗୁମ୍ପା ରେ ପୂର୍ବେ ଜରାସନ୍ଧ ସାଧନା କରିଥିବା ବେଳେ ପରବର୍ତ୍ତି ସମୟରେ ଗୁମ୍ପାକୁ ବହୁ ମୁନିଋଷି ସେମାନଙ୍କ ତପସ୍ୟା ପାଇଁ ଉତ୍ତମ ସ୍ଥାନ ଭାବେ ବାଛିନେଇଥିଲେ । ଏବେବି କେତେକ ସାଧୁସନ୍ଥଙ୍କୁ ସେଠାରେ ତପସ୍ୟା କରୁଥିବାର ଦେଖିବାକୁ ମିଳିଥାଏ । ପ୍ରବଳ ଖରାରେ ମଧ୍ୟ ଏହି ପର୍ବତର ଶିଖରରୁ ତଳକୁ ଝରିଆସିଥିବା ଚାରୁପଡିଆ, ଲକ୍ଷ୍ମୀପଡା ଓ ବଡମ୍ବା ଝରରେ ବସବାସ କରୁଥିବା ଲୋକଙ୍କୁ ଥଣ୍ଡା ଜଳ ପ୍ରଦାନ କରି ତୃଷା ମେଣ୍ଟାଇଥାଏ ।

ଆହୁତି କାନନ:-


ଏକ ବିଶାଳ ଘଂଚ ସବୁଜ ଘାସର ଉପତ୍ୟକା ଦେଖିବାକୁ ମିଳିଥାଏ ପଞ୍ଚଲିଙ୍ଗେଶ୍ୱର ପୀଠରେ । ଯାହା କି ଆହୁତି କାନନ ନାମରେ ପରିଚିତ, ଏଠାରେ ବନଦୁର୍ଗା ପୂଜା ପାଉଛନ୍ତି । ମନ୍ଦିର ସମ୍ମୁଖରେ ଛୋଟ ହ୍ରଦଟିଏ ମଧ୍ୟ ରହିଛି । ହ୍ରଦଟି ସହ କୌଣସି ବାହାର ଝରଣା ସଂଯୋଗ ହୋଇନଥିଲେ ମଧ୍ୟ ବର୍ଷସାରା ଏହାର ଜଳ ଉର୍ଷ୍ମ ରହିଥାଏ । ଏହାକୁ ଦ୍ୱିତୀୟ ଆହୁତି କୁଣ୍ଡ ମଧ୍ୟ କୁହାଯାଏ । ହ୍ରଦ ଟି କୁ ବନ୍ୟଜନ୍ତୁ ଜଳପାନ କରିବାକୁ ଆସୁଥିବାର ଦୃଶ୍ୟ ଦିନ ସମୟରେ ଗଲେ ଦେଖି ପାରିବେ । ଭାଲୁମାନେ ସନ୍ଧ୍ୟା ସମୟରେ ଏହାର ଚତୁଃପାଶ୍ୱର୍ରେ ଥିବା ମହୁଲ ଫୁଲ ଖାଇବାକୁ ଆସୁଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟା ୫ଟା ପରେ ଏହି ସ୍ଥାନ ଖାଲି କରିବାର ନିର୍ଦ୍ଦେଶ ରହିଛି । କାନନ ମଧ୍ୟରେ ଛୋଟବଡ ଅନେକ ଗୁମ୍ପାମାନ ମଧ୍ୟ ରହିଛି । ପଞ୍ଚଲିଙ୍ଗେଶ୍ୱରର ପର୍ବତମାଳାରେ ବହୁ କଲ୍ୟାଣୀକାରୀ ଔଷଧୀୟ ବୃକ୍ଷଲତା ରହିଛି । ଏହି ବୃକ୍ଷ ବ୍ୟତୀତ ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ, ଶିଶୁ ଭଳି ବହୁ ମୂଲ୍ୟବାନ ବୃକ୍ଷ ଏହାର କଳେବରକୁ ରୁଦ୍ଧିମନ୍ତ କରିଛି ।

ପାରମ୍ପରିକ କାରୁକାର୍ଯ୍ୟ:-

ପାହଡ଼ ଉପରକୁ ଯିବା ପାଇଁ ଥିବା ପ୍ରବେଶ ପଥରେ ଏକ ମନୋରମ ତୋରଣ ରହିଛି । ଏହି ତୋରଣର ଦୁଇପାଶ୍ୱର୍ରେ ବିଭିନ୍ନ ପାରମ୍ପରିକ କଳାକୃତି ଦେଖିବାକୁ ପାଇବେ । ଏହାର ଦୁଇ ପାଶ୍ୱରେ ବାଉଁଶ, ପଥର, ଶଙ୍ଖ ଓ ମାଟିରେ ତିଆରି ବିଭିନ୍ନ ଡିଜାଇନ୍ର ପାରମ୍ପରିକ ସାମଗ୍ରୀମାନ ବିକ୍ରି ହେଉଥିବାର ଦେଖିବାକୁ ପାଇବେ । ଘର ସଜାପାଇଁ ଏହି କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀଗୁଡିକୁ ପର୍ଯ୍ୟଟକମାନେ ବେଶ ପସନ୍ଦ କରିଥାନ୍ତି । ଏହାସହ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ହିନ୍ଦୁ ପରମ୍ପରା ଭିତିକ ଅଳଙ୍କାରମାନ ଏଠାରେ ବିକ୍ରିକରୁଥିବାର ଦେଖିବାକୁ ମିଳେ ।

କେମିତି ଯିବେ
ଭୁବନେଶ୍ୱରରୁ ବସ୍ ବା ଟ୍ରେନରେ ବାଲେଶ୍ୱରରେ ଯାଇ ସେଠାରୁ ଅଟୋ-ଟ୍ୟାକ୍ସି ଯୋଗେ ପଞ୍ଚେଲିଙ୍ଗେଶ୍ୱର ପିଠକୁ ଯାଇପାରିବେ । ଏହାସହ ମିନ୍ ବସରେ ଯାଇପାରିବେ ।

Previous ଇଂରାଜୀ ଭାଷାରେ ଶବ୍ଦଜ୍ଞାନ ବଢାଇବାର ଉପାୟ
Next ଅଗଷ୍ଟ ଶେଷରେ ପରଦାକୁ ଆସିବ‘ୟମଲା ପଗଲା ଦିୱାନା-୩’

No Comment

Leave a reply

Your email address will not be published. Required fields are marked *