ବ୍ରାଡମ୍ୟାନଙ୍କ ପରେ କୋହଲି


 

ବିଶ୍ୱର ବ୍ୟାଟିଂ କିମ୍ବଦନ୍ତୀ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ କଥା କିଏ ନ ଜାଣେ? ଯେତେବେଳେ ପଡିଆକୁ ଓହ୍ଲାନ୍ତି ଦୁର୍ଦ୍ଧଷ ବୋଲରମାନଙ୍କ ଆଖିରୁ ବି ନିଦ ହଜିଯାଏ । ୨୦ ବର୍ଷ କ୍ୟାରିୟର ମଧ୍ୟରେ ୨ ଟି ତ୍ରିଶତକ, ୧୨ଟି ଦ୍ୱିଶତକ ଓ ୨୯ଟି ଶତକ ତାଙ୍କ ନାମରେ ରହିଛି । ତାଙ୍କର ସର୍ବକାଳୀନ ବ୍ୟାଟିଂ ଏଭରେଜ ରେକର୍ଡ ୯୯.୯୪ ଏବେ ମଧ୍ୟ ଅଲଂଘନୀୟ । ସ୍ଥିର ପ୍ରଦର୍ଶନ ଓ ବ୍ୟାଟିଂ କୌଶଳ ଦୃଷ୍ଟିରୁ ସଂପ୍ରତି ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମହାନ ଖେଳାଳି ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଉଛି । କ୍ରିକେଟର ବାଇବେଲ କୁହାଯାଉଥିବା ୱିଜଡନ ପତ୍ରିକାର ପ୍ରଚ୍ଛଦରେ ସେ ଏବେ ସ୍ଥାନ ପାଇଛନ୍ତି ।
ସାର ଡନ୍ ବ୍ରାଡମ୍ୟାନ ଓ ବିରାଟ କୋହଲିଙ୍କୁ ତୁଳନା କଲେ ବ୍ରାଡମ୍ୟାନ ଯେ ସର୍ବଶ୍ରେଷ୍ଠ ଏହା ନିଃସନ୍ଦେହରେ କୁହାଯାଇପାରେ । ୧୯୨୮ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ବ୍ରାଡମ୍ୟାନ ଥିଲେ କ୍ରିକେଟ ଦୁନିଆର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା । କ୍ୟାରିୟର ଆରମ୍ଭରୁ ଶତକ ଉପରେ ଶତକ ବର୍ଷା କରି ଚାଲିଥିଲଲେ ସେ । କିନ୍ତୁ କ୍ୟାରିୟର ଆରମ୍ଭରୁ କୋହଲିଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିଲା । ପ୍ରଥମ ଦୁଇ ବର୍ଷ ପରେ ୨୦୧୦ ମସିହାରୁ ସେ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇଆସିଛନ୍ତି । ୨୦୧୧ ମସିହାରେ ଟେଷ୍ଟ ପଦାର୍ପଣ କରିବା ପରଠାରୁ କୋହିଲି ଏଇ ୫ ବର୍ଷ ଭିତରେ ୪ଟି ଦ୍ୱିଶତକ ଏବଂ ୧୬ଟି ଶତକ ହାସଲ କରିସାରିଲେଣି । ୧୯୨୮ରୁ କ୍ୟାରିୟର ଆରମ୍ଭ କରି ୫ ବର୍ଷ ମଧ୍ୟରେ ବ୍ରାଡମାନ ୧୩ଟି ଶତକ, ୬ଟି ଦ୍ୱିଶତକ ଓ ଗୋଟିଏ ତ୍ରିଶତକ କରିସାରିଥିଲେ । ଶତକ ଦୃଷ୍ଟିରୁ କୋହଲି ଆଗରେ ଥିଲେ ମଧ୍ୟ ବ୍ରାଡମ୍ୟାନ ଦ୍ୱିଶତକ ଓ ତ୍ରିଶତକ ହାସଲରେ ତାଙ୍କୁ ଅତିକ୍ରମ କରିଛନ୍ତି ।
କିନ୍ତୁ ବିଗତ ୮ ମାସ ମଧ୍ୟରେ ଟେଷ୍ଟ ମ୍ୟାଚ୍ରେ କୋହଲିଙ୍କ ପ୍ରଦର୍ଶନର ଧାରା ଅଚିନ୍ତନୀୟ । ୱେଷ୍ଟଇଣ୍ଡିଜ, ନିଉଜିଲାଣ୍ଡ , ଇଂଲଣ୍ଡ ଓ ବାଲାଂଦେଶ ବିରୋଧରେ କ୍ରମାଗତ ୪ଟି ସିରିଜରେ ୪ଟି ଦ୍ୱିଶତକ ସେ ହାସଲ କରିଛନ୍ତି । ପୂର୍ବରୁ ଡନ୍ ବ୍ରାଡମ୍ୟାନ ଓ ଭାରତର ରାହୁଲ ଦ୍ରାବିଡ କ୍ରମାଗତ ତିନିଟି ସିରିଜରେ ଦ୍ୱିଶତକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ । କୋହଲି ଯେଉଁ ହାରରେ ରନ୍ ସଂଗ୍ରହ କରୁଛନ୍ତି ତାହା ଯଦି ଅବ୍ୟାହତ ରହେ ଆସନ୍ତା ୧୦ ବର୍ଷରେ ସେ ବ୍ରାଡମ୍ୟାନଙ୍କ ଦ୍ୱିଶତକ ଓ ତ୍ରିଶତକ ରେକର୍ଡ ଭାଙ୍ଗି ଅନେକ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଏବେ ସୁଦ୍ଧା ୨୨ଟି ଟେଷ୍ଟରୁ ୨୦ଟି ଟେଷ୍ଟରେ ବିଜୟୀ ହୋଇଥିବାବେଳେ ବ୍ରାଡମ୍ୟାନଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୧୪ଟି ଟେଷ୍ଟରୁ ୧୨ଟି ମ୍ୟାଚ୍ରେ ବିଜୟଲାଭ କରିଥିଲା । ଦୁଇଟି ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଥିଲା । ବ୍ରାଡମ୍ୟାନଙ୍କ ଅଧୀନରେ ଅଷ୍ଟ୍ରେଲିଆ ଅପରାଜୟ ରହିଥିବାବେଳେ କୋହିଲିଙ୍କ ନେତୃତ୍ୱରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛି । ଏସବୁ ଦୃଷ୍ଟିରୁ ବିଚାର କଲେ କ୍ରିକେଟ ଦୁନିଆରେ ବ୍ରାଡମ୍ୟାନଙ୍କ ଭଳି ଆଉ ଜଣେ ଅପ୍ରତିଦ୍ୱନ୍ଦୀ ସମ୍ରାଟଙ୍କ ଅଭ୍ୟୁଦୟ ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Previous ବଜବଜିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର
Next ଦେହକୁ ହିତ ସୁନୁସୁନିଆ ଶାଗ

No Comment

Leave a reply

Your email address will not be published. Required fields are marked *