ବୁମେରାଂ ଓଜନିଆ ରୋଲର

VIRAT KOHLI'S DECISION PUT INDIA ON THE BACKFOOT

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ୭୨ ରନ୍ ରେ ପରାଜିତ ହୋଇଛି । ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ହିଁ ପରାଜୟର କାରଣ ହେଲା ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସ୍ୱୀକାର କରିଛନ୍ତି । କିନ୍ତୁ କ୍ୟୁରେଟର ଇଭାନ୍ ଫ୍ଲିଣ୍ଟଙ୍କ ସୂଚନାନୁଯାୟୀ ଓଜନିଆ ରୋଲରର ବ୍ୟବହାର ଭାରତକୁ ପରାଜୟ ମୁହଁକୁ ଠେଲି ଦେଲା ।

୨୦୧୭ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତ ପ୍ରଥମ ଟେଷ୍ଟରେ ଘରୋଇ ଦଳ ସମ୍ମୁଖରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି । ଖେଳାଳୀ ଚୟନରେ ତ୍ରୁଟି ମଧ୍ୟ ପରାଜୟର କାରଣ ସାଜିଛି ବୋଲି କୁହାଯାଇପାରେ । ଟେଷ୍ଟ ସ୍ପେଶାଲିଷ୍ଟ ଆଜିଙ୍କ୍ୟ ରାହାଣେ, ଲୋକେଶ ରାହୁଲ ଏବଂ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ସୀମିତ ଓଭର ବିଶେଷଜ୍ଞ ରୋହିତ ଶର୍ମା, ଶିଖର ଧାୱନ ଏବଂ ଜସ୍ପ୍ରୀତ ବୁମରାଙ୍କୁ ଖେଳାଇବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରଥମ ଇଂନିସରେ ୧୨ ରନ୍ ରେ ତିନିିଟି ପ୍ରମୁଖ ଉଇକେଟ ଅକ୍ତିଆର କରିବା ପରେ ଅବଶିଷ୍ଟ ଉଇକେଟ ଅକ୍ତିଆର କରିବା ପାଇଁ ଭାରତୀୟ ବୋଲର ବିଫଳ ହୋଇଥିଲେ । ଉଭୟ ଇଂନିସରେ ଦଳର ତାରକା ଖେଳାଳୀଙ୍କ ନିମ୍ନମାନର ବ୍ୟାଟିଂ ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାର ବିଜୟପଥକୁ ସୁଗମ କରିଥିଲା ।

ନ୍ୟୁଲାଣ୍ଡ କ୍ୟୁରେଟର ଇଭାନ୍ ଫ୍ଲିଣ୍ଟଙ୍କ ମତାନୁଯାୟୀ ଦ୍ୱିତୀୟ ଇଂନିସ ପୂର୍ବରୁ ଓଜନିଆ ରୋଲର ବ୍ୟବହାର ନେଇ ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଲା । ଗୋଟିଏ ଦଳ ବ୍ୟାଟିଂ କରିସାରିଲା ପରେ ବିପକ୍ଷ ଦଳ ବ୍ୟାଟିଂ କରିବା ପୂର୍ବରୁ ପିଚ୍ ରେ ରୋଲର ବ୍ୟବହାର ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ସଂପୃକ୍ତ ଦଳର ଅଧିନାୟକଙ୍କର ରହିଛି । କୋହଲି ପ୍ରଥମ ଇଂନିସ ବ୍ୟାଟିଂ କରିବା ପୂର୍ବରୁ ହାଲୁକା ରୋଲର ବ୍ୟବହାର ନେଇ ନିଷ୍ପତ୍ତି ନେଇଥିବାବେଳେ ଦ୍ୱିତୀୟ ଇଂନିସରେ ଓଜନିଆ ରୋଲର ବ୍ୟବହାର କରିବା ସକାଶେ କ୍ୟୁରେଟରଙ୍କୁ ପରାମର୍ଶ ଦେଇଥିଲେ । ଓଜନିଆ ରୋଲର ବ୍ୟବହାର ଯୋଗୁଁ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିବା ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ସହଜସାଧ୍ୟ ନଥିଲା । ପିଚ୍ ର ଆର୍ଦ୍ରତା ବଢିବା ସଙ୍ଗେସଙ୍ଗେ ଏକ ଜୀବନ୍ତ ପିଚ୍ ରେ ପରିଣତ ହୋଇଥିଲା କେପ୍ ଟାଉନ୍ ଉଇକେଟ । ବଲ୍ ପିଚ୍ ରେ ପଡିଲା ମାତ୍ରେ ଗତି ବଢିବା ସହ ଦୁଇ ପଟକୁ ଅନାୟାସରେ ସୁଇଂ ହେବା ଦେଖାଯାଇଥିଲା । ଯାହାକି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରିଦେଇଥିଲା । ପ୍ରଥମ ଇଂନିସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୯୩ ରନର ଉପଯୋଗୀ ପାଳିକୁ ଛାଡିଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ କରିସ୍ମା ଦେଖାଇପାରିନଥିଲେ ।

Previous ରହସ୍ୟମୟୀ ସିନ୍ଦୁର
Next ଦୀପିକାଙ୍କ ପ୍ରଥମ ପସନ୍ଦ 'ସବ୍ୟସାଚୀ'! ଆଶ୍ଚର୍ଯ୍ୟ ହୋଇଗଲେ କି?

No Comment

Leave a reply

Your email address will not be published. Required fields are marked *