ଦକ୍ଷିଣ ଆଫ୍ରିକା ୨୮୬ରେ ଅଲ୍ ଆଉଟ୍:ଭାରତକୁ ସଅଳ ଝଟକା


ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ଘରୋଇ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁଁ ଦକ୍ଷିଣ ଆଫ୍ରିକା ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରମୁଖ ତିନିଟି ଉଇକେଟ ହରାଇ ୨୮ ରନ୍ ସଂଗ୍ରହ କରିଛି ।

ଟିମ ଇଣ୍ଡିଆ ପକ୍ଷରୁ ସବୁଠୁ ସଫଳ ବୋଲର ଭାବେ ଭୁବନେଶ୍ୱର କୁମାର ୪ଟି ଉଇକେଟ ନେଇଥିବାବେଳେ ମହମ୍ମଦ ସାମି, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିବାବେଳେ ସ୍ପିନର ଆର. ଅଶ୍ୱିନ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକାର ସଅଳ ତିନିଟି ଉଇକେଟର ପତନ ଘଟିଥିଲେ ମଧ୍ୟ ଦଳର ଦୁଇ ପୁରୁଖା ବ୍ୟାଟ୍ସମ୍ୟାନ ଫାଫ୍ ଡୁ ପ୍ଲେସିସ ଏବଂ ଏବି ଡିଭିଲିୟର୍ସ ଚମତ୍କାର ବ୍ୟାଟିଂ କରିଥିଲେ । ସେମାନଙ୍କ ମଧ୍ୟରେ ୧୧୪ ରନ୍ ର ଭାଗିଦାରୀ ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରି ଏକ ଦୃଢ ସ୍ଥିତିରେ ପହଞ୍ଚାଇଥିଲା । ଡିଭିଲିୟର୍ସଙ୍କୁ ବୋଲ୍ଡ କରି ଯୋଡି ଭାଙ୍ଗିଥିଲେ ବୁମରା । ପାଣ୍ଡ୍ୟାଙ୍କ ବୋଲରେ ଉଇକେଟ ପଛରେ ଧରା ପଡିଥିଲେ ଡୁ ପ୍ଲେସିସ୍ । ଦକ୍ଷିଣ ଆଫ୍ରିକା ୧୪୨ ରନ୍ ରେ ପ୍ରମୁଖ ୫ଟି ଉଇକେଟ ହରାଇଥିଲେ ମଧ୍ୟ ତଳ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ପାଳି ଯୋଗୁଁ ସମ୍ମାନଜନକ ୨୮୬ ରନ୍ କରିପାରିଥିଲା । ୪୩ ରନ୍ ର ଦାୟିତ୍ୱପୂର୍ଣ୍ଣ ଇଂନିସ ଖେଳିଥିଲେ ଡି କକ୍ ।

ପ୍ରଥମ ଇଂନିସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ବ୍ୟାଟିଂ ଆରମ୍ଭ କରି ୧୬ ରନ୍ ରେ ପ୍ରଥମ ଉଇକେଟ ହରାଇଲା ଭ୍ରମଣକାରୀ ଦଳ । ପ୍ରଥମେ ମୂରଲୀ ବିଜୟ ଆଉଟ୍ ହୋଇଥିବାବେଳେ ଆଉ ମାତ୍ର ୨ ରନ୍ ବ୍ୟବଧାନରେ ଶିଖର ଧାୱନ ଆଉଟ୍ ହୋଇଥିଲେ । ଅଧିନାୟକ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲେ ମଧ୍ୟ ସେ ନିରାଶ କରିଥିଲେ । ୫ ରନ୍ କରିଥିବାବେଳେ ମୋର୍କେଲଙ୍କ ଦ୍ୱାରା ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ ଅଧିନାୟକ ବିରାଟ । ଏବେ ପ୍ରଥମ ଇଂନିସରେ ଅଗ୍ରଣୀ ହାସଲ କରିବା ପାଇଁ ସବୁ କିଛି ନିର୍ଭର କରୁଛି ହିଟ୍ ମ୍ୟାନ ଶର୍ମା ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଉପରେ । ଘରୋଇ ଦଳର ଫିଲାଣ୍ଡର, ଷ୍ଟେନ ଓ ମୋର୍କେଲ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି । ରାବାଡା ଏକ ଓଭର ବୋଲିଂ କରି ଗୋଟିଏ ବି ଉଇକେଟ ପାଇନାହାଁନ୍ତି ।

Previous ଘର ପାଇଁ ମିନି ଗାର୍ଡେନ
Next ପ୍ରେମିକାର ଭାବନାରେ ପୁରୁଷ

No Comment

Leave a reply

Your email address will not be published. Required fields are marked *