ଭାରତର ଵିଜୟ ଅଭିଯାନ ଜାରି:9 ଉଇକେଟରେ ହାରିଲା ପାକିସ୍ତାନ

Rohit & Dhawan shine, India win

ଦୁବାଇରେ ଚାଲିଥିବା ଏସିଆ କପରେ ଟିମ୍ ଇଣ୍ଡିଆର ଦବଦବା ଜାରି ରହିଛି । ସୁପର ଫୋରର ଏକ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ୧୯ତମ ଏବଂ ଶିଖର ଧାୱନଙ୍କ ୧୫ତମ ଶତକ ସହାୟତାରେ ପାକିସ୍ତାନକୁ ଏକ ତରଫା ଭାବେ ପରାସ୍ତ କରିଛି ଭାରତ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ବୁମରା, ଚହଲ, ଯାଦବଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ପାକିସ୍ତାନକୁ ୨୩୭ ରନ ମଧ୍ୟରେ ସୀମିତ ରଖିପାରିଥିଲା ଭାରତ । ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକଙ୍କ ୭୮ ଏବଂ ସଂପ୍ରତି ଅଧିନାୟକ ଦାୟିତ୍ୱ ତୁଲାଉଥିବା ସର୍ଫରାଜ ଅହମ୍ମଦଙ୍କ ୪୪ ରନ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୨୩୭ ରନ ସଂଗ୍ରହ କରିଥିଲା ପାକିସ୍ତାନ । ଦ୍ରୁତ ବୋଲର ବୁମରା ଏବଂ ସ୍ପିନ ଯୋଡି କୁଲଦୀବ ଓ ଚହଲ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ଭାରତୀୟ ଦଳର ଦୁଇ ଓପନର ରୋହିତ ଏବଂ ଶିଖର ଚମତ୍କାର ଆରମ୍ଭ କରିଥିଲେ । ପ୍ରଥମ ଉଇକେଟରେ ୨୧୦ ରନର ଭାଗିଦାରୀ କରି ପାକିସ୍ତାନ ଶିବିରରେ ନୈରାଶ୍ୟ ଖେଳାଇଦେଇଥିଲେ । ୭ଟି ଚୌକା ଓ ୪ଟି ଛକା ସହ ୧୧୯ ବଲରେ ୧୧୧ ରନ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଅଧିନାୟକ ରୋହିତ ଶର୍ମା । ଏସିଆ କପରେ କ୍ରମାଗତ ଆକର୍ଷଣୀୟ ପ୍ରଦର୍ଶନ କରିଆସୁଥିବା ଶିଖର ଧାୱନ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିବା ପୂର୍ବରୁ ନିଜ କ୍ୟାରିୟରର ୧୫ତମ ଶତକ ହାସଲ କରିସାରିଥିଲେ । ଅମ୍ବାତି ରାୟୁଡୁ ୧୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଶତକୀୟ ପାଳି ପାଇଁ ଶିଖର ଧାୱନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

Previous ଏସିଆ କପରେ ଚମକିଲେ ଓଡିଆ ପୁଅ ଅଂଶୁମାନ
Next ଧର୍ମ-ସୌନ୍ଦର୍ଯ୍ୟର ସଙ୍ଗମସ୍ଥଳୀ ଜାହାନିଆ ପୀଠ

No Comment

Leave a reply

Your email address will not be published. Required fields are marked *