ରୋହିତଙ୍କ ରେକର୍ଡ ବର୍ଷା


ଏକଦିବସୀୟ କ୍ରିକେଟରେ ପାକିସ୍ତାନର ସଇଦ୍ ଅନୱର ୧୯୯୭, ଇଣ୍ଡିପେଣ୍ଡେନ୍ସ କପ୍ରେ ଭାରତ ବିପକ୍ଷରେ ସଂଗ୍ରହ କରିଥିଲେ ୧୯୪ ରନ୍ । ଦୀର୍ଘ ୧୩ ବର୍ଷ ପରେ ଏହି ରେକର୍ଡ ଭଙ୍ଗ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ହାସଲ କରିଥିଲେ । ତାର ଠିକ୍ ପର ବର୍ଷ ୨୦୧୧ରେ କାରବିୟାନ୍ ଦଳ ବିରୋଧରେ ମୁଲତାନର ସୁଲତାନ ବିରେନ୍ଦ୍ର ସେହୱାଗ ସଂଗ୍ରହ କରିଥିଲେ ୨୧୯ ରନ୍ । ଭାରତର ଯୁବ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦ୍ୱିଶତକ କ୍ଲବରେ ସାମିଲ ହେଲେ ୨୦୧୩ରେ । ୨୦୧୪ରେ ନିଜ ରେକର୍ଡକୁ ନିଜେ ଅତିକ୍ରମ କରି ଶ୍ରୀଲଙ୍କା ବିପକ୍ଷରେ ଖେଳିଲେ ୨୬୪ ରନ୍ ର ମାରାଥନ୍ ଇଂନିସ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଳାଉଥିବା ରୋହିତ ଗତକାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅପରାଜିତ ୨୦୮ ରନର ଇଂନିସ ଖେଳି ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରେ ଏଯାବତ୍ ୭ଟି ଦ୍ୱିଶତକ ଦେଖିବାକୁ ମିଳିଛି । ସେଥିମଧ୍ୟରୁ ତିନିଟି ହାସଲ କରିଛନ୍ତି ରୋହିତ । ଅଧିନାୟକ ଭାବେ ସେହୱାଗ ୨୦୧୧ରେ ଇନ୍ଦୋରରେ କାରବିୟାନ୍ ଦଳ ବିପକ୍ଷରେ ସଂଗ୍ରହ କରିଥିବା ୨୧୯ ରନର ରେକର୍ଡଠାରୁ ମାତ୍ର ୧୧ ରନ୍ ଦୂରରେ ରହିଯାଇଛନ୍ତି ରୋହିତ । ରୋହିତ ଗତକାଲି ପ୍ରଥମ ୧୦୦ ରନ୍ ୧୧୫ ବଲ୍ ରେ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ୧୦୦ ରନ୍ ୩୬ ବଲ୍ ରେ ସଂଗ୍ରହ କରିଥିଲେ ।ଏପର୍ଯ୍ୟନ୍ତ ୧୭୩ଟି ଦିନିକିଆ ମ୍ୟାଚ୍ ଖେଳି ୧୬ଟି ଶତକ ସହାୟତାରେ ସେ ସଂଗ୍ରହ କରିଛନ୍ତି ୬୪୧୭ ରନ୍ । ଜଣେ ଅଧିନାୟକ ଓ ଖେଳାଳି ଭାବେ ଦ୍ୱିଶତକ ଅର୍ଜନ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହେବାର ମାଇଲସ୍ତମ୍ଭ ସ୍ଥାପନ କରିଛନ୍ତି ରୋହିତ । ୫ ଥର ୧୫୦ ରନ୍ ରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରି ଡେଭିଡ୍ ୱାର୍ଣ୍ଣର ଏବଂ ଭାରତ ରତ୍ନ ସଚିନ୍ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ସେ । ରୋହିତଙ୍କ ଏହି ଧମାକାଦାର ପାଳି ସହ ଭାରତ ୧୦୦ ଥର ୩୦୦ରୁ ଅଧିକ ରନ୍ ହାସଲ କରିବାର କୀର୍ତ୍ତି ସ୍ଥାପନ କରିଛି । ଏକମାତ୍ର ଭାରତୀୟ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪୧ଟି ଛକା ମାରିବାର ବିରଳ ରେକର୍ଡ ସ୍ଥାପନ କରିଛନ୍ତି ସେ । ଦୁଇଥର ଡଜନେ ଲେଖାଏଁ ଛକା ମାରିବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି ରୋହିତ । ୨୦୧୭ କ୍ୟାଲେଣ୍ଡର ବର୍ଷରେ ସେ ୬ଟି ଶତକ ହାସଲ କରି ବିରାଟ କୋହଲି, ରାହୁଲ ଦ୍ରାବିଡ ଏବଂ ସଚିନ୍ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ।

Previous ଏସିଆର କନ୍ଦର୍ପ ଶାହିଦ
Next ଅଦ୍ୱିତୀୟ ଅଭିଷେକ

No Comment

Leave a reply

Your email address will not be published. Required fields are marked *