ଚଳିତ ଆଇପିଏଲ ସିଜିନରେ ଲୋକେଶ ରାହୁଲ, ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଏବି ଡିଭିଲିୟର୍ସ ବିସ୍ପୋରକ ବ୍ୟାଟିଂ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କୁ ଅଭିଭୂତ କରିଛନ୍ତି । ଦିଲ୍ଲୀ ଡେୟାରଡେଭିଲ୍ସର ରିଶଭ ପନ୍ତ ଆକର୍ଷଣୀୟ ବ୍ୟାଟିଂ ଜାରି ରଖି ଏଯାବତ ୬୮୪ ରନ ସଂଗ୍ରହ କରିସାରିଲେଣି ।
ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ୧୪ ବଲରୁ ୫୦ ରନ ସଂଗ୍ରହ କରି ସବୁଠୁ ଦ୍ରୁତତମ ଅର୍ଦ୍ଧ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ଲୋକେଶ ରାହୁଲ । ପୂର୍ବରୁ ୧୫ ବଲରେ ଅର୍ଦ୍ଧ ଶତକ ହାସଲ କରିଥିବା ସୁନୀଲ ନାରାୟଣ ଏବଂ ୟୁସୁଫ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି ଏହି ପ୍ରତିଭାବାନ ବ୍ୟାଟ୍ସମ୍ୟାନ । ଅମ୍ବାତି ରାୟୁଡୁ ଏବଂ କେନ ଓି୍ୱଲିୟମସନ ମଧ୍ୟ ବିସ୍ପୋରକ ବ୍ୟାଟିଂ କରି ନିଜ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ କ୍ରିକେଟପ୍ରେମୀ ଓ ସମୀକ୍ଷକଙ୍କୁ ଏକପ୍ରକାର ସମ୍ମୋହିତ କରି ରଖିଛି । ପ୍ରଥମ ଥର ପାଇଁ ତାଙ୍କୁ ଓପନିଂ କରିବାର ସୁଯୋଗ ମିଳିଛି ଏବଂ ସୁଯୋଗର ସଦବ୍ୟବହାର କରି ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି ସୂର୍ଯ୍ୟକୁମାର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ତରଫରୁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଥଲେଟିକ ଫିଲ୍ଡିଂ ଏବଂ ଚିତ୍ତାକର୍ଷକ ବ୍ୟାଟିଂ ଜରିଆରେ ଉପସ୍ଥିତ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରୁଛନ୍ତି । ଆଇପିଏଲ ପ୍ରଥମ ସିଜିନରୁ ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ କରିଆସୁଛନ୍ତି ସଂପ୍ରତି ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସଞ୍ଜୁ ସାମସନ । ୨୦୧୮ ଆଇପିଏଲ ସିଜିନରେ ବାଙ୍ଗାଲୁରୁ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ସଞ୍ଜୁ ସାମସନ ସଂଗ୍ରହ କରିଥିଲେ ଅବିଶ୍ୱସନୀୟ ୯୨ ରନ । ଯାହାକି ପୂର୍ବତନ କ୍ରିକେଟର ଏବଂ କ୍ରିକେଟଫ୍ୟାନଙ୍କୁ ଆହ୍ଲାଦିତ କରିଛି ।
ପ୍ଲେ ଅଫ ପୂର୍ବରୁ ସଫଳ ବ୍ୟାଟ୍ସମ୍ୟାନ
ରିଶଭ ପନ୍ତ ୬୮୪
ଓି୍ୱଲିୟମସନ ୬୬୧
ଲୋକେଶ ୬୫୯
ରାୟୁଡୁ ୫୮୬
ବଟଲର ୫୪୮
କୋହଲି ୫୩୦
ସୂର୍ଯ୍ୟକୁମାର ୫୧୨
ଡିଭିଲିୟର୍ସ ୪୮୦
ଧୋନି ୪୪୬
ୱାଟସନ ୪୩୮
No Comment