ନୂଆ ରଣଜୀ ଚାମ୍ପିୟନ ବିଦର୍ଭ

New champion of Ranji Trophy for the first time

ଫୈଜ ଫୈଜଲଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ରଣଜୀ ଚାମ୍ପିୟନ ହୋଇଛି ବିଦର୍ଭ । ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ୭ ଥରର ରଣଜୀ ଚାମ୍ପିୟନ ଦିଲ୍ଲୀକୁ ଧୂଳି ଚଟାଇଛି ଏହି ଦଳ ।

ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ବିଦର୍ଭ । ଦଳର ଷ୍ଟ୍ରାଇକ୍ ବୋଲର ରଜନିଶ ଗୁର୍ବାନୀଙ୍କ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ବଳରେ ୧୦୨ ଓଭରରେ ୨୯୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା ଦିଲ୍ଲୀ । ପ୍ରଥମ ଇଂନିସରେ ରଜନିଶଙ୍କ ହ୍ୟାଟ୍ରିକ ଥିଲା ମ୍ୟାଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ମାଇଲସ୍ତମ୍ଭ ସ୍ଥାପନ କରି ୪୪ ବର୍ଷ ତଳର ପୁରୁଣା ରେକର୍ଡ ସହ ସମକକ୍ଷ ହୋଇଛନ୍ତି ସେ । ୧୯୭୨-୭୩ରେ ମୁମ୍ବାଇ ବିରୋଧରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ ତାମିଲନାଡୁର ବି କଲ୍ୟାଣସୁନ୍ଦରଂ । ୫୯ ରନ୍ ରେ ୬ଟି ଉଇକେଟ ଅକ୍ତିଆର କରି ରଜନୀଶ ଦିଲ୍ଲୀର ବ୍ୟାଟିଂ ଦୁର୍ଗକୁ ଭାଙ୍ଗିଦେଇଥିଲେ ।

ଦିଲ୍ଲୀର ପ୍ରଥମ ଇଂନିସ ସ୍କୋର ୨୯୫ ରନ୍ ଜବାବରେ ବିଦର୍ଭ ସମସ୍ତ ଉଇକେଟ ହରାଇ ସଂଗ୍ରହ କଲା ୫୪୭ ରନ୍ । ବିଦର୍ଭ ପକ୍ଷରୁ ଅକ୍ଷୟ ବିନୋଦ ୱାଦକର ୧୩୩ ରନ୍ ସଂଗ୍ରହ କରିଥିବାବେଳେ ଅଧିନାୟକ ଫୈଜ ଫୈଜଲ ୬୭, ଭାରତୀୟ ଦଳର ପୂର୍ବତନ ସଦସ୍ୟ ୱାସିମ୍ ଜାଫର ୭୮ ରନ୍ ସଂଗ୍ରହ କରିଥିଲେ । ଶେଷ ଭାଗରେ ଆଦିତ୍ୟ ସରୱାତେ ଏବଂ ସିଦ୍ଦେଶ ନେରଲ ଯଥାକ୍ରମେ ୭୯ ଏବଂ ୭୪ ରନ୍ ର ଉପଯୋଗୀ ଇଂନିସ ଖେଳିଥିଲେ । ଦିଲ୍ଲୀ ପକ୍ଷରୁ ସଫଳ ବୋଲର ଭାବେ ନବଦୀପ ସାଇନି ୫ଟି ଉଇକେଟ ନେଇଥିଲେ ।

ଦିଲ୍ଲୀ ଦ୍ୱିତୀୟ ଇଂନିସରେ ମାତ୍ର ୭୬ ଓଭର ବ୍ୟାଟିଂ କରି ୨୮୦ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇଂନିସରେ ବିଦର୍ଭ ସମ୍ମୁଖରେ ବିଜୟ ଲକ୍ଷ୍ୟ ଥିଲା ମାତ୍ର ୨୯ ରନ୍ । ଏକ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ରଣଜୀର ନୂଆ ଚାମ୍ପିୟନ ହୋଇଥିଲା ବିଦର୍ଭ ।

Previous ଇନାବାୱି ଚାଷୀଙ୍କ ସଫଳତାର ମନ୍ତ୍ର: ଜୈବିକ କୃଷିକୁ ହାୟ୍, ରାସାୟନିକ ସାରକୁ ବାୟ୍ ବାୟ୍
Next କ୍ୟାମେରା ଓ ଫଟୋଗ୍ରାଫିର ଇତିହାସ ଏବଂ କିଛି ଜଣା ଅଜଣା କଥା

No Comment

Leave a reply

Your email address will not be published. Required fields are marked *