ମଙ୍କଡେଡ୍ ଆଉଟ୍


ସଂପ୍ରତି କ୍ରିକେଟ ଖେଳର ଲୋକପ୍ରିୟତା ବେଶୀ । ପିଲାଠୁ ବୁଢା ପର୍ଯ୍ୟନ୍ତ ସଭିଏଁ କ୍ରିକେଟ ମାୟାରେ ବାୟା । ୧୯୭୧ ପୂର୍ବରୁ ତ କ୍ରିକେଟ କହିଲେ ଟେଷ୍ଟ ମ୍ୟାଚକୁ ବୁଝାଉଥିଲା । ସେହି ବର୍ଷ ଜାନୁୟାରୀ ୫ ତାରିଖରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ପ୍ରଥମ ତିନି ଦିନ ଯଦି ବର୍ଷା ଯୋଗୁଁ ଧୋଇ ଯାଇନଥାନ୍ତା ତେବେ ଆଜି ହୁଏତ ଏକଦିବସୀୟ ମ୍ୟାଚର ପରିକଳ୍ପନା ମନକୁ ଆସିନଥାନ୍ତା । ୨୦୦୩ ରୁ ଆରମ୍ଭ ହେଲା ଟି- 20, ଫଟାଫଟ କ୍ରିକେଟର ଯୁଗ । କର୍ମକ୍ଷେତ୍ରରେ ବ୍ୟସ୍ତ ରହୁଥିବା ଲୋକେ ଅଳ୍ପ ସମୟ ମଧ୍ୟରେ କ୍ରିକେଟ ଖେଳ ଉପଭୋଗ କରିବାର ସୁଯୋଗ ପାଇଲେ । କ୍ରିକେଟରେ ମଙ୍କଡେଡ୍, ଅବଷ୍ଟ୍ରକ୍ସନ୍ ଓ ହ୍ୟାଣ୍ଡେଲ୍ଡ ଦି ବଲ୍ ଭଳି କେତେକ ଅଣପାରମ୍ପରିକ ଆଉଟ୍ ରହିଛି । ଅମ୍ପାୟାରଙ୍କ ଏସବୁ ଆଉଟ୍ ନିଷ୍ପତ୍ତିରେ ଅନେକ ସମୟରେ ବିବାଦ ଉପୁଜିଥିଲେ ମଧ୍ୟ ଏଗୁଡିକ ନିୟମ ପରିସରଭୁକ୍ତ । କେଉଁ ପରିସ୍ଥିତିରେ ମଙ୍କଡେଡ୍ ଆଉଟ୍ ଲାଗୁ ହେଲା ତାହାର ବିବରଣୀ ହୁଏତ ଯୁବ କ୍ରିକେଟ ପ୍ରେମୀଙ୍କ ଜ୍ଞାତରେ ନଥିବ । ୧୯୪୭ ମସିହାର ଏହି ବିରଳ ପ୍ରୟୋଗ ସମ୍ପର୍କରେ କିଛି ତଥ୍ୟ ଆମେ ଏଠାରେ ଉପସ୍ଥାପନ କରୁଛୁ ।
କ୍ରିକେଟ ଖେଳର ନିୟମ ଅନୁଯାୟୀ ବୋଲିଂ କରିବା ପାଇଁ ବୋଲର ଦୌଡିବା ଆରମ୍ଭ କରିସାରିଥିବା ବେଳେ ଯଦି ନନ ଷ୍ଟ୍ର।ଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନ କ୍ରିଜ୍ ଛାଡି ଦେଇଥାନ୍ତି ତେବେ ବୋଲର ବଲରେ ଷ୍ଟମ୍ପ ଭାଙ୍ଗି ଅପିଲ୍ କଲେ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିବେ । ଯେଉଁ ବ୍ୟାଟ୍ସମ୍ୟାନ ଏଭଳି ଆଉଟ୍ ହୁଅନ୍ତି ସେ ମଙ୍କଡେଡ୍ ଆଉଟ୍ ଘୋଷିତ ହେଲେ ବୋଲି କୁହାଯାଏ । ବୋଲର ଏଭଳି ଉଦ୍ୟମ କରି ବିଫଳ ହୁଅନ୍ତୁ ଅବା ସଫଳ ଏହାକୁ ଓଭରର ଗୋଟିଏ ବଲ୍ ବୋଲି ଗଣନା କରାଯାଏ ନାହିଁ । ସେ ଯଦି ବିଫଳ ହୁଅନ୍ତି ତେବେ ଅମ୍ପାୟାର ଏହାକୁ ଡେଡ୍ ବଲ୍ ଘୋଷଣା କରନ୍ତି ।
ଏହି ନିୟମ ପ୍ରଥମେ ୧୯୪୭ ଡିସେମ୍ବର ୧୩ ତାରିଖରେ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବେଳେ ଲାଗୁ ହୋଇଥିଲା । ସେଦିନ ଭାରତୀୟ ବୋଲର ବିନୁ ମଙ୍କଡ ବୋଲିଂ କରୁଥାନ୍ତି । ସେ ବଲ୍ ହାତରୁ ଛାଡିବା ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବିଲ୍ ବ୍ରାଉନ୍ କ୍ରିଜ୍ ଛାଡି ଦେଇଥାନ୍ତି । ଷ୍ଟମ୍ପ ଭାଙ୍ଗିଦେଲେ ମଙ୍କଡ । ଅମ୍ପାୟାର ଆଉଟ୍ ଘୋଷଣା କଲେ । ଏହି ମ୍ୟାଚର ଠିକ୍ ପୂର୍ବରୁ ଅଷ୍ଟ୍ରେଲିଆ ଏକାଦଶ ସହିତ ଏକ ଅଭ୍ୟାସ ମ୍ୟାଚରେ ବିନୁ ମଙ୍କଡ ଏଭଳି ସମାନ ଶୈଳୀରେ ବିଲ୍ ବ୍ରାଉନଙ୍କୁ ଆଉଟ୍ କରିଥିଲେ । ପରେପରେ ଟେଷ୍ଟ ମ୍ୟାଚରେ ଏ ସମ୍ପର୍କରେ ବିଲ୍ ବ୍ରାଉନଙ୍କୁ ମଙ୍କଡ ସତର୍କ କରାଇଦେବା ସତ୍ତ୍ୱେ ସେ ସେହି ଭୁଲକୁ ଦୋହରାଇବାରୁ ଆଉଟ୍ ହୋଇଥିଲେ । ସିଡନୀ ଟେଷ୍ଟରେ ଏହି ନିୟମ ପ୍ରଥମ ଥର ପ୍ରୟୋଗ କରାଯାଇଥିବାରୁ ତାହା ବିନୁ ମଙ୍କଡଙ୍କ ନାମରେ ନାମିତ କରାଯାଇଛି । ଆନ୍ତର୍ଜାତିକ କ୍ରିକେଟରେ ଏହାକୁ ମଙ୍କଡେଡ୍ ଆଉଟ୍ କୁହାଯାଉଛି ।
ଏଯାବତ୍ ଅନ୍ତର୍ଜାର୍ତୀୟ ଟେଷ୍ଟ ମ୍ୟାଚରେ ୪ ଜଣ ଏବଂ ୱାନଡେ ମ୍ୟାଚରେ ୫ ଜଣ ବ୍ୟାଟ୍ସମ୍ୟାନ୍ ମଙ୍କଡେଡ୍ ଆଉଟ୍ ଘୋଷିତ ହୋଇଥିବାବେଳେ ଟି- 20ରେ ମାତ୍ର ଜଣେ ବ୍ୟାଟ୍ସମ୍ୟାନ୍ ଏଭଳି ଶୈଳୀରେ ଆଉଟ୍ ହୋଇଛନ୍ତି । ଏକଦିବସୀୟ ମ୍ୟାଚରେ ମଙ୍କଡେଡ୍ ଆଉଟ୍ ହୋଇଥିବା ୫ ଜଣ ବ୍ୟାଟ୍ସମ୍ୟାନ୍ ହେଲେ ବ୍ରାଏନ ଲକହଷ୍ଟ(ଇଂଲଣ୍ଡ), ଗ୍ରାଣ୍ଟ ଫ୍ଲାୱାର(ଜିମ୍ବାୱେ), ପିଟର କ୍ରିଷ୍ଟନ(ଦକ୍ଷିଣ ଆଫ୍ରିକା), ଜସ୍ ବଟଲର(ଇଂଲଣ୍ଡ) ଏବଂ ରିଚାର୍ଡ ନଗରଭା(ଜିମ୍ବାୱେ) । ୪ ଜଣ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହେଲେ ବିଲ୍ ବ୍ରାଉନ୍(ଅ ଷ୍ଟ୍ରେଲିଆ), ଇଆନ୍ ରେଡ଼ପ।ଥ (ଅଷ୍ଟ୍ରେଲିଆ), ଡେରେକ୍ ରାଣ୍ଡାଲ୍(ଇଂଲଣ୍ଡ), ସିକନ୍ଦର ବଖତ(ପାକିସ୍ତାନ) । ଟି- 20ରେ ମଙ୍କଡେଡ୍ ଆଉଟ୍ ହୋଇଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ହେଲେ ହଂକଂର ମାର୍କ ଚ୍ୟାପମାନ ।

Previous ଲେମ୍ବୁ ଚାଷ
Next ଅଁଳା ଚାଷ

No Comment

Leave a reply

Your email address will not be published. Required fields are marked *