ବିଦାୟୀ ମ୍ୟାଚରେ କୁକଙ୍କ ଜଲୱା: ଟିମ ଇଣ୍ଡିଆ ପରାସ୍ତ

Kook shine, England win

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବା ସତ୍ତ୍ୱେ ୧୧୮ ରନ ବ୍ୟବଧାନରେ ପରାଜିତ ହୋଇଛି ଭ୍ରମଣକାରୀ ଦଳ । ଦ୍ୱିତୀୟ ଇଂନିସରେ ୪୬୪ ରନର ବିଜୟଲକ୍ଷ୍ୟକୁ ପିଛା କରି ୩୪୫ ରନରେ ଅଲଆଉଟ ହୋଇଯାଇଥିଲା ଭାରତୀୟ ଦଳ । ନବାଗତ ଉଇକେଟ କିପର ରିଶଭ ପନ୍ତ ଏବଂ ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କ ଶତକ ସତ୍ତ୍ୱେ ନିର୍ଦ୍ଧାରିତ ଲକ୍ଷ୍ୟରେ ପହଂଚିପାରିନଥିଲା ଟିମ୍ ଇଣ୍ଡିଆ ।

ଆଗରୁ ୩-୧ରେ ସିରିଜ ହାରିସାରିଥିବା ଭାରତୀୟ ଦଳ ପାଇଁ ଅନ୍ତିମ ଟେଷ୍ଟ ମ୍ୟାଚ ଥିଲା ସମ୍ମାନର ପ୍ରଶ୍ନ । ଟପ ଅର୍ଡର ଓ ବୋଲରଙ୍କ ବିଫଳତା ଯୋଗୁଁ ପୁଣି ଥରେ ଇଂଲଣ୍ଡ ନିକଟରୁ ଦଳ ପରାଜିତ ହେଲା । କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳଠାରୁ ଅନେକ କିଛି ଆଶା ରଖିଥିଲେ ଭାରତୀୟ ପ୍ରଶଂସକ । ଅଧିନାୟକ କୋହଲିଙ୍କୁ ଛାଡି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବ୍ୟାଟିଂରେ ସ୍ଥିରତା ବଜାୟ ରଖିପାରିନଥିଲେ । ଠିକଣା ସମୟରେ ବୋଲରଙ୍କ ବିଫଳତା ଯୋଗୁଁ ଟିମ୍ ଇଣ୍ଡିଆର ସବୁ ଆଶା ପାଣିରେ ମିଳେଇ ଯାଇଥିଲା । ବିଦାୟୀ ମ୍ୟାଚରେ ଆଲିଷ୍ଟାୟାର କୁକଙ୍କ ଆକର୍ଷଣୀୟ ପ୍ରଦର୍ଶନ ଭାରତୀୟ ବୋଲରଙ୍କ ଆଖିରୁ ନିଦ ହଜାଇଦେଇଥିଲା ।

ପ୍ରଥମ ଇଂନିସରେ କୁକ, ଅଲି ଓ ବଟଲରଙ୍କ ଅର୍ଦ୍ଧ ଶତକ ସହାୟତାରେ ୩୩୨ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ ଦଳ । ଏହାର ଜବାବରେ ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତୀୟ ଦଳ । ଅଧିନାୟକ କୋହଲିଙ୍କ ଉପଯୋଗୀ ୪୯, ପଦାର୍ପଣ ମ୍ୟାଚ ଖେଳୁଥିବା ହନୁମା ବିହାରୀଙ୍କ ୫୬ ଏବଂ ନିମ୍ନ ଭାଗରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୮୬ ରନ ସହାୟତାରେ ୨୯୨ ରନ କରି ଅଲଆଉଟ ହୋଇଯାଇଥିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ଦଳର ଓପନିଂ ବ୍ୟାଟ୍ସମ୍ୟାନ କୁକ ନିଜର ଶେଷ ମ୍ୟାଚରେ ଚମତ୍କାରିତା ଦେଖାଇଥିଲେ । ୧୪ଟି ଆକର୍ଷଣୀୟ ଚୌକା ସହାୟତାରେ ୧୪୭ ଜଣ ସଂଗ୍ରହ କରିଥିଲେ ଇଂଲଣ୍ଡର ଏହି ପ୍ରତିଭାବାନ ବ୍ୟାଟ୍ସମ୍ୟାନ । ମଧ୍ୟକ୍ରମରେ ଜୋ ରୁଟ ୧୨୫ ରନର ଏକ ଦମଦାର ଇଂନିସ ଖେଳି ଭାରତୀୟ ଶିବିରରେ ନିରାଶା ଖେଳାଇଦେଇଥିଲେ । ୮ ଉଇକେଟରେ ୪୨୩ ରନ ସଂଗ୍ରହ କରି ପାଳି ଘୋଷଣା କରିଥିଲା ଇଂଲଣ୍ଡ । ୪୬୪ ରନର ବିଜୟଲକ୍ଷ୍ୟକୁ ପିଛା କରି ୯୪.୩ ଓଭରରେ ୩୪୫ ରନ କରି ଅଲଆଉଟ ହୋଇଯାଇଥିଲା ଭାରତୀୟ ଦଳ । ଓପନିଂ ବ୍ୟାଟ୍ସମ୍ୟାନ ରାହୁଲ ଓ ଉଇକେଟ କିପର ରିଶଭ ପନ୍ତଙ୍କ ଶତକ ସତ୍ତ୍ୱେ ଆଉ ୧୧୮ ରନ ପଛରେ ରହିଗଲା ଭ୍ରମଣକାରୀ ଦଳ । ଉଭୟ ଇଂନିସରେ ଦମଦାର ପ୍ରଦର୍ଶନ କରିଥିବା ଆଲିଷ୍ଟାୟାର କୁକଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

Previous ବଲିଉଡ଼ ଷ୍ଟାରଙ୍କ ଡ଼ର
Next ଦୁଃଖ ଆପଣଙ୍କ ପାଖ ମାଡିବନି, ଆପଣାନ୍ତୁ ନିମ୍ନୋକ୍ତ ସୂତ୍ର

No Comment

Leave a reply

Your email address will not be published. Required fields are marked *