ଫିଲ୍ଡିଂରେ ଉଡନ୍ତା ଚଢେଇ ଜଣ୍ଟି


 

ଆନ୍ତର୍ଜାର୍ତୀୟ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଲା ୧୮୪୪ରୁ । କ୍ରିକେଟ୍ ଖେଳ ଦେଖିବାକୁ ଗଲେ ଦର୍ଶକ କେବଳ ବ୍ୟାଟିଂ ଓ ବୋଲିଂର ମଜା ଉଠାଉଥିଲେ । ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ସରିଲା ପରେ କ୍ରିକେଟପ୍ରେମୀଙ୍କ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ଥିଲା ବ୍ୟାଟିଂ ଓ ବୋଲିଂରେ ଖେଳାଳୀଙ୍କ ପ୍ରଦର୍ଶନ । ୧୯୯୨ ମାର୍ଚ୍ଚ ୮ ତାରିଖରେ ପାକିସ୍ତାନ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ କ୍ରିକେଟର ସଜ୍ଞା ବଦଳାଇଦେଲା । ବ୍ୟାଟିଂ ଓ ବୋଲିଂ ବ୍ୟତୀତ କ୍ଷେତ୍ରରକ୍ଷଣ ଦ୍ୱାରା ମଧ୍ୟ ମ୍ୟାଚ୍ ର ଗତିପଥ ବଦଳାଇ ଦିଆଯାଇପାରେ ବୋଲି ଏକ ବଦ୍ଧମୂଳ ଧାରଣା ସୃଷ୍ଟି ହେଲା କ୍ରିକେଟ୍ ବିଶେଷଜ୍ଞଙ୍କ ମନରେ । ଏହି ଆକର୍ଷଣୀୟ ମ୍ୟାଚ୍ ଆଜି ବି ଅଭୁଲା । କିନ୍ତୁ କାହିଁକି ଅଭୁଲା ଆପଣଙ୍କର କୌତୁହଳ ସୃଷ୍ଟି ହେଉଥିବ ନିଶ୍ଚୟ । ମ୍ୟାଚ୍ ର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଫିଲ୍ଡିଂ କିମ୍ବଦନ୍ତୀ ଜଣ୍ଟି ରୋଡ୍ସଙ୍କ ଚିତ୍ତାକର୍ଷକ ରନଆଉଟ ଏବେବି କ୍ରିକେଟପ୍ରେମୀଙ୍କ ମନରେ ଶିହରଣ ସୃଷ୍ଟି କରେ ।
ଋାଉଣ୍ଡ ରବିନ ପର୍ଯ୍ୟାୟର ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ଦକ୍ଷିଣଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୧୧ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପାକିସ୍ତାନ ୨୧.୩ ଓଭର ସୁଦ୍ଧା ୨ ୱିକେଟ୍ ବିନିମୟରେ ୭୪ ରନ୍ ସଂଗ୍ରହ କରିଥିବାବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲା । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଖେଳ ବନ୍ଦ ରହିଲା । ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ଥିଲା ୩୬ ଓଭରରେ ୧୯୪ ରନ୍ ।
କ୍ରିଜରେ ଥିଲେ ପାକିସ୍ତାନ ଦଳର ଅଧିନାୟକ ଇମ୍ରାନ ଖାଁ ଏବଂ ଯୁବ ବ୍ୟାଟିଂ ପ୍ରତିଭା ଇଞ୍ଜାମାମ ଉଲହକ୍ । ଶେଷ ୬ ଓଭରରେ ଦଳର ବିଜୟ ପାଇଁ ଆବଶ୍ୟକ ଥିଲା ୬୦ ରନ୍ ଏବଂ ହାତରେ ଥିଲା ୮ଟି ୱିକେଟ୍ । ମ୍ୟାଚ୍ ପାକିସ୍ତାନ ନିୟନ୍ତ୍ରଣରେ ରହିଥିଲା । ହଠାତ୍ ଗତିପଥ ବଦଳିଗଲା । ସେହି ଅବିଶ୍ୱସନୀୟ ଦୃଶ୍ୟ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଲା ।
ଦକ୍ଷିଣ ଆଫ୍ରିକାର ମିଡିୟମ୍ ପେସ୍ ବୋଲର ବ୍ରାଏନ ମାକମିଲନଙ୍କ ହାତରେ ବଲ୍ । ଷ୍ଟ୍ରାଇକରେ ଥିଲେ ଇଞ୍ଜାମାମ୍ । ସେ ବଲକୁ ଲେଗ ସାଇଡ଼ରେ ମାରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବଲ ବ୍ୟାଟରେ ସଂଯୋଗ ନହୋଇ ପ୍ୟାଡ଼ରେ ବାଜି ବ୍ୟାକୱାର୍ଡ ପଏଣ୍ଟ ଅଞ୍ଚଳକୁ ଚାଲିଯାଇଥିଲା । ଇଞ୍ଜାମାମ୍ ଏକ ବାଇ ରନ୍ ନେବା ପାଇଁ ପିଚର ମଧ୍ୟଭାଗ ପର୍ଯ୍ୟନ୍ତ ଦୌଡ଼ି ସାରିଥିଲେ । ବ୍ୟାକୱାର୍ଡ ପଏଣ୍ଟରେ ଥିବା ଫିଲ୍ଡର ଜଣ୍ଟି ରୋଡ୍ସଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କ୍ରିଜରେ ଜମି ସାରିଥିବା ପ୍ରତିଭାବାନ ଇଞ୍ଜାମାମଙ୍କ ଆକର୍ଷଣୀୟ ଇନିଂସର ପରିସମାପ୍ତି ଘଟିଲା । ସେ ବଲକୁ ହାତରେ ଧରି ୱିକେଟ ଦିଗକୁ କେବଳ ଧାଇଁ ଆସିଲେନି ନିଜେ ଲମ୍ପ ଦେଇଥିଲେ ଷ୍ଟମ୍ପ ଉପରକୁ । ରନ୍ ନେବାରେ ଇଞ୍ଜାମାମ ବ୍ୟର୍ଥ ହେବାରୁ ବିଜୟ ଲକ୍ଷ୍ୟରୁ ମାତ୍ର ୨୦ ରନ୍ ଦୂରରେ ରହି ହାରିଗଲା ପାକିସ୍ତାନ । ଜଣ୍ଟି ନିଜେ ସ୍ୱୀକାର କରିଛନ୍ତି ଯଦି ସେ ବଲଟି ସିଧାସଳଖ ଫିଙ୍ଗିବାକୁ ଚେଷ୍ଟା କରିଥାନ୍ତେ ତେବେ ରନ୍ ଆଉଟର ୫୦ ପ୍ରତିଶତ ସମ୍ଭାବନା ରହିଥାନ୍ତା । କିନ୍ତୁ ତତ୍କାଳ ନିଷ୍ପତ୍ତି ନେଇ ବଲ ହାତରେ ଧରି ଡାଇଭ ମାରିବାରୁ ମୁଁ ଇଞ୍ଜିଙ୍କୁ ରନ୍ ଆଉଟ୍ କରିବାରେ ଶତପ୍ରତିଶତ ସଫଳ ହେଲି ।
ଏହି ରନ୍ ଆଉଟ ପୂର୍ବରୁ ବ୍ୟାକୱାର୍ଡ ପଏଣ୍ଟ ଅଞ୍ଚଳକୁ ସଟ୍ ମାରି ରନ୍ ସଂଗ୍ରହ କରିବା ବ୍ୟାଟ୍ସମ୍ୟାନଙ୍କ ଏକପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଥିଲା । କାରଣ ପଡିଆର ଏ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଫିଲ୍ଡରକୁ ତିନୋଟିଯାକ ଷ୍ଟମ୍ପ ବଦଳରେ ମାତ୍ର ଗୋଟିଏ ଦେଖାଯାଇଥାଏ । ଏଭଳି ସ୍ଥିତିରୁ ଡାଇରେକ୍ଟ ହିଟର ସମ୍ଭାବନା ବହୁତ କମ୍ । କିନ୍ତୁ ଜଣ୍ଟିଙ୍କ ଏହି ଅବିଶ୍ୱସନୀୟ ରନ୍ ଆଉଟ୍ ପରେ ଷ୍ଟ୍ରାଇକ୍ ରୋଟେଟ ପାଇଁ ବ୍ୟାକୱାର୍ଡ ପଏଣ୍ଟ ଆଉ ସେଫ୍ ଜୋନ୍ ନୁହେଁ ବୋଲି ବ୍ୟାଟ୍ସମ୍ୟାନମାନେ ଭାବିବାକୁ ବାଧ୍ୟ ହେଲେ । କେବଳ ଡିରେକ୍ଟ ହିଟ୍ ନୁହେଁ ଉଡନ୍ତା ଚଢେଇ ଭଳି କିଭଳି ରନ୍ ଆଉଟ୍ କରାଯାଇପାରେ ତାହାର ଏକ ଚତ୍ମକାର ଦୃଶ୍ୟ ଦେଖିଲା ସାରା ବିଶ୍ୱ ଏବଂ ଜଣ୍ଟି ରୋଡ୍ସ ପାଲଟିଗଲେ ଫିଲ୍ଡିଂ କିମ୍ବଦନ୍ତୀ ।

Previous ଚେସ୍ କୋଚ୍ ଅପରାଜିତା ଅନନ୍ୟା
Next ଜଣେ ମହାନାୟକଙ୍କୁ ଇନାମ ‘ବେଇମାନ’

No Comment

Leave a reply

Your email address will not be published. Required fields are marked *