ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଓ ବୋଲର ଲୟକୁ ଫେରିଛନ୍ତି । ପ୍ରଥମ ଇଂନିସରେ ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଦୃଢ ବ୍ୟାଟିଂ ଜରିଆରେ ୧୬୮ ରନର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳ ଦ୍ୱିତୀୟ ଇଂନିସରେ ମଧ୍ୟ ଚମତ୍କାର ଆରମ୍ଭ କରିଛି ।
ଘରୋଇ ଇଂଲଣ୍ଡ ଦଳ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟକୁ ଭୁଲି ଭାରତୀୟ ବ୍ୟାଟ୍ସମ୍ୟାନ ଦୃଢ ମନୋବଳ ନେଇ ପଡିଆକୁ ଓହ୍ଲାଇଥିଲେ । ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ଦୁଇ ଓପନର ଶିଖର ଧାୱନ ଓ କେ.ଏଲ୍. ରାହୁଲ । ଭଲ ପ୍ରାରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ଧାୱନ । ଦଳୀୟ ରନ୍ ସଂଖ୍ୟା ୬୦ ଥିବାବେଳେ ଓକ୍ସଙ୍କ ବଲରେ ବଟଲରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନକୁ ଫେରିଥିଲେ ସେ । ରାହୁଲ ଓ ପୂଜାରାଙ୍କ ଉଇକେଟ ସଅଳ ହରାଇଥିଲେ ମଧ୍ୟ ଅଧିନାୟକ କୋହଲି ଏବଂ ରାହାଣେଙ୍କ ଦୃଢ ଭାଗିଦାରୀ ଭାରତର ସ୍ଥିତି ସୁଦୃଢ କରିଥିଲା । ରାହାଣେଙ୍କ ଉଇକେଟ ପତନ ପରେ କୋହଲି କିଛି ସମୟ ଲଢେଇ କରିଥିଲେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ । ଦଳୀୟ ସ୍କୋର ୨୭୯ ରନ୍ ଥିବାବେଳେ ଅଧିନାୟକ କୋହଲିଙ୍କ ଉଇକେଟ ପତନ ପରେ ସମୁଦାୟ ୩୨୯ ରନ ରେ ଅଲଆଉଟ୍ ହୋଇଯାଇଥିଲା ଭାରତୀୟ ଦଳ ।
ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂର ସାମ୍ନା କରିନପାରି ମାତ୍ର ୧୬୧ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ହାର୍ଦ୍ଦିକ ପ୍ୟାଣ୍ଡା ସର୍ବାଧିକ ୫ଟି ଉଇକେଟ ଅକ୍ତିଆର କରି ଇଂଲଣ୍ଡ ଶିବିରରେ ଆତଙ୍କ ଖେଳାଇଦେଇଥିଲେ । ଦ୍ୱିତୀୟ ଇଂନିସର ମଧ୍ୟ ଅତ୍ୟନ୍ତ ସତର୍କତାର ସହ ବ୍ୟାଟିଂ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ରାହୁଲ ଏବଂ ଶିଖରଙ୍କ ଉଚ୍ଚକୋଟୀର ବ୍ୟାଟିଂ ଭାରତକୁ ଭଲ ପ୍ରାରମ୍ଭ ଦେଇଛି । ପୂଜାରା ଉଭୟ ସ୍ପିନ ଏବଂ ଫାଷ୍ଟ ବୋଲିଂକୁ ଚମତ୍କାର ଢଙ୍ଗରେ ଖେଳୁଛନ୍ତି । 194 ରନରେ ଦୁଇ ଉଇକେଟ ହରାଇ ଭାରତ ଦୃଢ ସ୍ଥିତିରେ ରହିଛି । କୋହଲି ଏବଂ ପୂଜାରା ଅର୍ଦ୍ଧ ଶତକ ହାସଲ କରି କ୍ରିଜରେ ମହଜୁଦ ଅଛନ୍ତି ।
No Comment