କ୍ରିକେଟର ୫ଟି କଷ୍ଟସାଧ୍ୟ କଳାକୌଶଳ


ରିଭର୍ସ ସୁଇଙ୍ଗ- ସତୁରୀ ଦଶକରେ ପାକିସ୍ତାନ ଦଳର ପ୍ରମୁଖ ବୋଲର ଥିଲେ ସର୍ଫରାଜ ନୱାଜ । ବିଶ୍ୱ କ୍ରିକେଟରେ ନୱାଜଙ୍କୁ ରିଭର୍ସ ସୁଇଙ୍ଗର ଜନକ ଭାବେ ବିବେଚନା କରାଯାଏ । ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ପ୍ରତିହତ କରିବା ପାଇଁ ତାଙ୍କର ମୁଖ୍ୟ ଅସ୍ତ୍ର ଥିଲା ରିର୍ଭସ ସୁଇଙ୍ଗ । ସର୍ଫରାଜ୍ କ୍ରିକେଟରୁ ଅବସର ଘୋଷଣା କରିବା ପରେ ୧୯୯୨ ବିଶ୍ୱକପ୍ ବିଜୟୀ ଦଳର ଅଧିନାୟକ ଇମ୍ରାନ ଖାନ୍ ରିର୍ଭସ ସୁଇଙ୍ଗ ଜରିଆରେ ବିପକ୍ଷ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲେ । ବୋଲିଂର ଏହି କଳାରେ ନିପୁଣତା ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।

 

ଅନ୍ ଡ୍ରାଇଭ୍- ମିଡିଲ କିମ୍ବା ଲେଗ୍ ଷ୍ଟମ୍ପରେ ଥିବା ଫୁଲ ଲେଙ୍ଗଥ ବଲକୁ ଫ୍ରଣ୍ଟ ଫୁଟରେ ମୁଣ୍ଡ ସିଧା ରଖି ଯେଉଁ ସଟ୍ ଖେଳାଯାଏ ତାହାକୁ ଅନ୍ ଡ୍ରାଇଭ୍ କୁହାଯାଏ । ଏହି ସଟ୍ ଖେଳିବା ପାଇଁ ଉନ୍ନତମାନର ଟେକନିକର ଆବଶ୍ୟକତା ରହିଛି । କ୍ରିକେଟ ବୁକର ଅନ ଡ୍ରାଇଭ ସଟରେ ସିଦ୍ଧହସ୍ତ ହେବା ପାଇଁ ଜୋରଦାର ଅଭ୍ୟାସ ସାଙ୍ଗକୁ ମାନସିକସ୍ତରରେ ସୁଦୃଢ ହେବାର ଆବଶ୍ୟକତା ରହିଛି ।

 

 

ସ୍ଲିପ୍ କ୍ୟାଚିଂ- ବଲ୍ ଆସିବା କ୍ଷଣି ତତକ୍ଷଣାତ୍ ପ୍ରତିକ୍ରିୟା ପ୍ରକାଶ କରିବା ଭଳି ବିଶେଷ ଗୁଣ ସ୍ଲିପ୍ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଫିଲ୍ଡରର ରହିବା ଆବଶ୍ୟକ । ସାଧାରଣତଃ ଦୃତ ଆକ୍ରମଣାତ୍ମକ ବୋଲର ବୋଲିଂ କଲାବେଳେ ବଲ୍ ବ୍ୟାଟ୍ସମ୍ୟାନର ବ୍ୟାଟ୍ ଧାରରେ ବାଜି ସ୍ଲିପ୍ ଅଞ୍ଚଳକୁ ଯାଇଥାଏ । ତେଣୁ ସମ୍ପୃକ୍ତ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଫିଲ୍ଡରର ଗଭୀର ଏକାଗ୍ରତା ରହିବା ବିଧେୟ । ବିଶ୍ୱର ପ୍ରମୁଖ ସ୍ଲିପ୍ ଫିଲ୍ଡରଙ୍କ ମଧ୍ୟରେ ମାର୍କ ୱଗ୍, ବ୍ରାଏନ୍ ମ୍ୟାକମିଲାନ୍, ମାର୍କ ଟେଲର, ରାହୁଲ ଦ୍ରାବିଡ, ମହମ୍ମଦ ଆଜାରୁଦ୍ଦିନ୍, ଷ୍ଟିଫେନ୍ ଫ୍ଲେମିଙ୍ଗ, ସେନ୍ ୱାର୍ଣ୍ଣେ, କାର୍ଲ ହୁପର, ମାହେଲା ଜୟବର୍ଦ୍ଧନେ ଏବଂ ଏଣ୍ଡ୍ରିୟୁ ଫ୍ଲିଣ୍ଟଫ୍ ଅନ୍ୟତମ ।

 

ଦୁସରା- ପାକିସ୍ତାନର ମହାନ୍ ସ୍ପିନର ସାକଲିନ୍ ମୁସ୍ତାକ୍ ଦୁସରାର ଜନକ ଭାବେ ବିବେଚନା କରାଯାଏ । ସେ ଆକ୍ସନରେ ବିଶେଷ ପରିବର୍ତ୍ତନ ନକରି ଲେଗ୍ ସ୍ପିନରଙ୍କ ଅବିକଳ ଗୁଗଲି ଭଳି ଯେଉଁ ଶୈଳୀରେ ବୋଲିଂ କରୁଥିଲେ ତାହାକୁ ଦୁସରା କୁହାଯାଏ । ୟୁଏଇର ସାରଜାରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବୋଲିଂ କରୁଥାନ୍ତି କିମ୍ବଦନ୍ତୀ ଅଫ୍ ସ୍ପିନର ସାକଲିନ୍ । ଓଭର ମଝିରେ ବୋଲିଂ କରିବା ପୂର୍ବରୁ ଉଇକେଟ୍ କିପର ମୋଇନ ଖାନଙ୍କ ପାଟିରୁ ସ୍ୱତଃପ୍ରବୃତ୍ତ ଭାବେ ବାହାରି ଆସିଲା “ସାକି ଭାଇ, ଦୁସରା ଅଭି କରନା ହେ ।” ଷ୍ଟମ୍ପ ମୂଳରେ ଲାଗିଥିବା ମାଇକ୍ରୋଫୋନରୁ ଏହା ଶୁଣିବାକୁ ପାଇଲେ ତତ୍କାଳୀନ ମହାନ୍ ଭାଷ୍ୟକାର ଟୋନି ଗ୍ରେଗ୍ ଏବଂ ତା ପରଠାରୁ ଦୁସରା କ୍ରିକେଟ୍ ଜଗତ ସହିତ ଯୋଡି ହୋଇଗଲା । ବୋଲିଂର ଏହି ଅଣପାରମ୍ପରିକ କଳାକୌଶଳରେ ସିଦ୍ଧହସ୍ତ ହେବା ଅସମ୍ଭବ ନହେଲେ ମଧ୍ୟ ଅତୀବ କଷ୍ଟକର ।

 

ଫ୍ଲିପର- ବୋଲିଂର ଏହି କଳାକୌଶଳକୁ ମୁଖ୍ୟତଃ ଲେଗ୍ ସ୍ପିନରମାନେ ଆପଣାଇଥାନ୍ତି । ସଠିକ୍ ଭାବରେ ଫ୍ଲିପର ବଲ୍ ପକାଇବାରେ ବୋଲର ସମର୍ଥ ହେଲେ ପ୍ରତିପକ୍ଷ ବ୍ୟାଟସମ୍ୟାନମାନଙ୍କ ପାଇଁ ହାତ ଖୋଲା ସଟ୍ ଖେଳିବା କଷ୍ଟକର ହୋଇଥାଏ । ଆଧୁନିକ କ୍ରିକେଟ ଜଗତରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣେ ଫ୍ଲିପର ବଲ୍ ପକାଇବାରେ ସିଦ୍ଧହସ୍ତ ।

Previous ସୁନ୍ଦର ସ୍ୱାସ୍ଥ୍ୟର ସାତଟି ମନ୍ତ୍ର
Next ଉନ୍ନତ ସପୁରୀ ଚାଷ

No Comment

Leave a reply

Your email address will not be published. Required fields are marked *