ଅନ୍ତିମ ଟେଷ୍ଟ: ପରାଜୟ ଏଡାଇବାକୁ ଭାରତର ସଂଘର୍ଷ

Final test, Indian top order collapsed

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ପରାଜୟ ଏଡାଇବାକୁ ଭ୍ରମଣକାରୀ ଦଳ ସଂଘର୍ଷ କରୁଛି । ପ୍ରଥମ ଇଂନିସରେ ଘରୋଇ ଦଳର ୩୩୨ ରନର ଜବାବରେ ଭାରତୀୟ ଦଳ ସଂଗ୍ରହ କରିଥିଲା ୨୯୨ ରନ । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ଦଳର ବ୍ୟାଟିଂ କିମ୍ବଦନ୍ତୀ ଆଲିଷ୍ଟାୟାର କୁକଙ୍କ ୧୪୭ ଓ ଅଧିନାୟକ ଜୋ ରୁଟଙ୍କ ୧୨୫ ରନ ସହାୟତାରେ ୪୨୩ ରନ କରି ପାଳି ସମାପ୍ତି ଘୋଷଣା କରିଛି ଘରୋଇ ଦଳ । ଭାରତ ସମ୍ମୁଖରେ ୪୬୪ ରନର ବିଜୟଲକ୍ଷ୍ୟ ରହିଛି । ଦ୍ୱିତୀୟ ଇଂନିସ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ ।

୩-୧ରେ ସିରିଜ ହାରିସାରିଥିବା ଭାରତୀୟ ଦଳ ପାଇଁ ଶେଷ ମ୍ୟାଚ ଥିଲା ସମ୍ମାନର ପ୍ରଶ୍ନ । କୋହଲି ବାହିନୀ କିଛି ଚମତ୍କାରିତା ଦେଖାଇବ ବୋଲି ଆଶା କରାଯାଉଥିଲା । ଟପ ଅର୍ଡର ଫେଲ ମାରିବାରୁ କମ ସ୍କୋର କରି ଦଳ ଅଲଆଉଟ ହୋଇଯିବ ବୋଲି ମନେ ହେଉଥିଲା । ତେବେ ପଦାର୍ପଣ ମ୍ୟାଚ ଖେଳୁଥିବା ହନୁମା ବିହାରୀ(୫୬) ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା(୮୬ ନଟଆଉଟ)ଙ୍କ ଆକର୍ଷଣୀୟ ବ୍ୟାଟିଂ ଫଳରେ ଭାରତୀୟ ଦଳ ୨୯୨ ରନର ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ବିଦାୟୀ ମ୍ୟାଚରେ କୁକଙ୍କ ବ୍ୟାଟିଂରେ ଯାଦୁ ଦେଖିବାକୁ ମିଳିଥିଲା । ସେ ୧୪୭ ରନର ଏକ ମାରାଥନ ଇଂନିସ ଖେଳି ଭାରତୀୟ ବୋଲିଂ ଶିବିରରେ ଆତଙ୍କ ଖେଳାଇଦେଇଥିଲେ । ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ ମଧ୍ୟ ୧୨୫ ରନର ଏକ ଆକର୍ଷଣୀୟ ଇଂନିସ ଖେଳିଥିଲେ । ୪୬୪ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପୂଜାରା ଏବଂ କୋହଲି ଖାତା ଖୋଲିପାରିନାହାଁନ୍ତି । ଧାୱନ ମଧ୍ୟ ୧ ରନ କରି ଆଣ୍ଡରସନଙ୍କ ଦ୍ୱାରା ଆଉଟ ହୋଇଯାଇଛନ୍ତି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ୪୭ ରନ କରି ଅପରାଜିତ ଅଛନ୍ତି । ମ୍ୟାଚ ସରିବାକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ବିଜୟ ଏକପ୍ରକାର ଅସମ୍ଭବ ମନେ ହେଉଛି । ତେବେ ଭାରତୀୟ ବ୍ୟାଟ୍ସମ୍ୟାନ ଶସ୍ତାରେ ଉଇକେଟ ନ ଫୋପାଡି ସ୍ଥିରତାର ସହ ଖେଳିଲେ ଅନ୍ତତଃପକ୍ଷେ ଅନ୍ତିମ ମ୍ୟାଚକୁ ଡ୍ର ରଖିପାରିବ ଭ୍ରମଣକାରୀ ଦଳ ।

Previous ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂ:ଇଂଲଣ୍ଡ ୨୧୯/୮
Next ଆଶା କର୍ମୀ ଓ ଅଙ୍ଗନବାଡି ଦିଦିଙ୍କ ପାରିଶ୍ରାମିକ ବୃଦ୍ଧି

No Comment

Leave a reply

Your email address will not be published. Required fields are marked *