ରଣଜୀ ଟ୍ରଫି: ପ୍ରଥମ ଥର ଫାଇନାଲରେ ବିଦର୍ଭ



ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲ୍ ରେ ଦିଲ୍ଲୀ ବେଙ୍ଗଲକୁ ହରାଇଥିବାବେଳେ ଦ୍ୱିତୀୟ ସେମିଫାଇନାଲ୍ ରେ ଶକ୍ତିଶାଳୀ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲକୁ ପ୍ରଥମ ଥର ପାଇଁ ଉନ୍ନୀତ ହୋଇଛି ବିଦର୍ଭ । ଡାହାଣହାତୀ ମିଡିୟମ୍ ପେସ୍ ବୋଲର ରଜନିଶ ଗୁରବାନୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇତିହାସ ରଚିଛି ଏହି ଦଳ ।

ବିଦର୍ଭ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍ ରେ ସମସ୍ତ ୱିକେଟ ହରାଇଥିଲା । ଏହାର ଜବାବରେ କର୍ଣ୍ଣାଟକ ସଂଗ୍ରହ କରିଥିଲା ୩୦୧ ରନ୍ । ବିଦର୍ଭ ଦ୍ୱିତୀୟ ଇଂନିସରେ ୩୧୩ ରନ୍ ରେ ସମସ୍ତ ୱିକେଟ ହରାଇଥିଲା । କର୍ଣ୍ଣାଟକ ସମ୍ମୁଖରେ ଥିଲା ୧୯୮ ରନ୍ ର ବିଜୟ ଲକ୍ଷ୍ୟ । ଗୋଟିଏ ସମୟରେ ଏହା ସହଜ ବିଜୟ ଲକ୍ଷ୍ୟ ଭାବେ ପ୍ରତୀୟମାନ ହେଉଥିବା ବେଳେ ରଜନିଶ ଗୁର୍ବାନିଙ୍କ ଉଚ୍ଚକୋଟୀର ବୋଲିଂ କର୍ଣ୍ଣାଟକ ଆଶାରେ ପାଣି ଫିରାଇଦେଇଥିଲା ।

ମ୍ୟାଚ୍ ର ଅନ୍ତିମ ଦିବସରେ ବିନୟ କୁମାର(୩୬), ଅଭିମନ୍ୟୁ ମିଥୁନ୍(୩୩), ଶ୍ରେୟାସ ଗୋପାଳ(୨୪) ଉପଯୋଗୀ ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ । ବିଜୟ ଲକ୍ଷ୍ୟରୁ ୫ ରନ୍ ଦୂରରେ ରହିଗଲା କର୍ଣ୍ଣାଟକ । ରଜନିଶ ପ୍ରଥମ ଇଂନିସରେ ୫ଟି ଏବଂ ଦ୍ୱିତୀୟ ଇଂନିସରେ ୭ଟି ୱିକେଟ ନେଇ ମୋଟ ୧୨ଟି ୱିକେଟ ଅକ୍ତିଆର କରିଥିଲେ । ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ପାଇଁ ରଜନିଶଙ୍କୁ ମ୍ୟାଚରେ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ଦିଆଯାଇଥିଲା । ଡିସେମ୍ବର ୨୯ରୁ ଇନ୍ଦୋର ହୋଲକର ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଫାଇନାଲ୍ ମ୍ୟାଚରେ ଶକ୍ତିଶାଳୀ ଦିଲ୍ଲୀର ସାମ୍ନା କରିବ ବିଦର୍ଭ ।

Previous କୋହଲି-ଅନୁଷ୍କାଙ୍କ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ
Next ବିଶ୍ୱ ମହିଳା ଏକାଦଶରେ ମିତାଲି, ହରମନପ୍ରୀତ ଏବଂ ଏକତା

No Comment

Leave a reply

Your email address will not be published. Required fields are marked *