ହକି ବିଶ୍ୱକପ୍: ବାଜିମାରିନେଲା ବେଲଜିୟମ

Belgium beat Netherlands in shootout to win Men's Hockey World Cup 2018

ରବିବାର କଳିଙ୍ଗ ଷ୍ଟାଡ଼୍ୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ଫାଇନାଲ ମ୍ୟାଚ ଥିଲା ଅତ୍ୟନ୍ତ ରୋମାଞ୍ଚକର । ନେଦରଲାଣ୍ଡ୍ସ ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ଏହିମ୍ୟାଚ ୪୭ ବର୍ଷର ଇତିହାସ ଭାଙ୍ଗି ୟୁରୋପୀୟ ଦେଶ ବେଲଜିୟମ ହକି ବିଶ୍ୱକପ୍‌ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ଫାଇନାଲ ମ୍ୟାଚ୍‌ରେ ବେଲଜିୟମ ପଡୋଶୀ ତଥା ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ପେନାଲ୍ଟି ଜରିଆରେ ୩-୨ ଗୋଲରେ ପରାସ୍ତ କରି ବିଶ୍ୱକପ ବିଜୟୀ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ ମୁକାବିଲା ନିର୍ଦ୍ଧାରିତ ସମୟସୁଦ୍ଧା ଗୋଲ ଶୂନ୍ୟ ଭାବେ ଶେଷ ହାଇଥିଲା। ଫଳରେ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନେବାକୁ ପଡ଼ିଥିଲା। ବିଶ୍ୱକପ୍‌ ଇତିହାସରେ ଏହା ପ୍ରଥମଥର ହୋଇଛି ଯେ ଫାଇାନଲ ମ୍ୟାଚ୍‌ ଗୋଲ ଶୂନ୍ୟଭାବେ ଶେଷ ହୋଇଛି। ଉଭୟ ଦଳ ୫ଟି ପେନାଲ୍ଟି ଶଟ୍‌ ପାଇବା ପରେ ମଧ୍ୟ ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ଶେଷରେ ସଡନ ଡେଥ୍‌ରେ ବେଲଜିୟମ ବାଜି ମାରି ବିଜୟୀ ହୋଇଥିଲା ।

ପୂର୍ବରୁ ୩ଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ନେଦରଲାଣ୍ଡ୍ସକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି। ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ୪ଟି ଯାକ କ୍ୱାଟରରେ କୌଣସି ଦଳ ଗୋଲ କରିପାରି ନଥିଲା । ବେଲଜିୟମ ୧୨ଥର ନେଦରଲାଣ୍ଡ୍ସ ସର୍କଲ ଭିତରକୁ ପ୍ରବେଶ କରି ଆକ୍ରମଣ କରିଥିବା ବେଳେ ବେଲଜିୟମ ୧୮ଥର ନେଦରଲାଣ୍ଡ୍ସ ସର୍କଲ ଭିତରକୁ ପ୍ରବେଶ କରି ଆକ୍ରମଣ କରିଥିଲା । କେବଳ ସେତିକି ନୁହେଁ ବେଲଜିୟମ ୩ଥର ଓ ନେଦରଲାଣ୍ଡ୍ସ ୫ଥର ଶୁଟ୍ କରିଥିଲେ ହେଁ ତାହା ଗୋଲ ହୋଇନଥିଲା । ମ୍ୟାଚ୍ ଶେଷରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରିକେଟ ମହାନାୟକ ସଚିନ ତେନ୍ଦୁଲକର, କ୍ରିଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ଆନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ନରିନ୍ଦ୍ର ବାତ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ବେଲଜିୟମ ଦଳକୁ ସ୍ୱର୍ଣ୍ଣପଦକ,ସ୍ମାରକୀ ସହିତ ବିଶ୍ୱକପ ପ୍ରଦାନ କରିଥିଲେ । ଏହାସହ ରନର୍ସଅପ ହୋଇଥିବା ନେଦର ଲ୍ୟାଣ୍ଡ ଦଳକୁ ରୌପ୍ୟ ପଦକ ଓ ସ୍ମାରକୀ ଦେଇ ସମ୍ମାନୀତ କରାଯାଇଥିଲା । ଫାଇନାଲ ମ୍ୟାଚରେ ସଚିନଙ୍କ ଉପସ୍ଥିତି ଦର୍ଶକଙ୍କ ଭିତରେ ଅଧିକ ଉନ୍ମାଦନା ସହ ଷ୍ଟାଡ଼ିୟମରେ କୋଳାହଳ ସୃଷ୍ଟି କରିଥିଲା ।

Previous ସବୁଜ ସୁନ୍ଦର ସତିଗୁଡ଼ା ଜୈବ ପାର୍କ
Next ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ଼ ‘ପେଥାଇ’,ମୁକାବିଲା ପାଇଁ ଆନ୍ଧ୍ର-ଓଡ଼ିଶା ସଜାଗ

No Comment

Leave a reply

Your email address will not be published. Required fields are marked *