ଚେସ୍ କୋଚ୍ ଅପରାଜିତା ଅନନ୍ୟା


ସଂପ୍ରତି ଚେସ୍ ଖେଳରେ ଓଡିଆ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର । ସେ କିରଣ ମନୀଷା ମହାନ୍ତି ହୁଅନ୍ତୁ ଅବା ପଦ୍ମିନୀ ରାଉତ କିମ୍ବା ଦେବାଶିଷ ଦାସ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚେସରେ ପଦକ ଜିଣି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସେଭଳି ଆଉଜଣେ ଅନ୍ତର୍ଜାତୀୟ ସ୍ୱନାମଧନ୍ୟ ତାରକା ହେଉଛନ୍ତି ପୁରୀ ଜିଲ୍ଲାର ୨୪ ବର୍ଷୀୟା ଅପରାଜିତା ଗୋଚ୍ଛିକାର । ସେ ଏସିଆନ୍ ୟୁଥ୍ ଚେସ୍ ଚମ୍ପିଆନସିପ୍-୨୦୧୭ ପାଇଁ କୋଚ୍ ଭୂମିକା ତୁଲାଇାବେ । ଏ ସଂକ୍ରାନ୍ତରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ଅପରାଜିତା କହନ୍ତି ସବ୍ ଜୁନିୟର ଦଳର କୋଚ୍ ଭୂମିକା ତୁଲାଇବା ନେଇ ସେ ବେଶ୍ ଉତ୍ସାହିତ । ପ୍ରତିପକ୍ଷ ଦଳର ଶକ୍ତି ଓ ଦୁର୍ବଳତାକୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ । ଅନ୍ୟ ଦେଶରୁ ପ୍ରତିନିଧିତ୍ୱ କରିବା ପାଇଁ ଆସିଥିବା ଚେସ୍ ଖେଳାଳୀଙ୍କ କ୍ରୀଡା ନୈପୁଣ୍ୟ ବିଶ୍ଳେଷଣ କରି ଦଳକୁ ତଦନୁଯାୟୀ ପ୍ରସ୍ତୁତ କରିବେ ବୋଲି ଅପରାଜିତାଙ୍କ ମତ । ଏସିଆନ ୟୁଥ ଚମ୍ପିଆନସିପରେ ଭାଗ ନେବାକୁ ଯାଉଥିବା ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କୁ ସେ ଅନ୍ ଲାଇନ୍ କୋଚିଂ ଦେବା ସହ ସେମାନେ କିପରି ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ରହିବେ ସେଥିପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି ।

ଅପରାଜିତା ଗୋଚ୍ଛିକାର ଉଭୟ ଜାତୀୟ ଓ ଅନ୍ତର୍ଜାର୍ତୀୟ ସ୍ତରରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରି ସାରିଛନ୍ତି । ଏବେ ଦେଖିବାକୁ ବାକି ରହିଲା କୋଚିଂରେ ସେ କଣ କମାଲ୍ ଦେଖାଉଛନ୍ତି । ଗ୍ରୀସର ହଲକିଡିକିଠାରେ ଅନୁଷ୍ଠିତ ହୋଇଥିବା ୱାଲ୍ଡ ଏମିଟର ଚେସ୍ ଚମ୍ପିଆନସିପ -୨୦୧୬ରେ ରୌପ୍ୟ ଓ କାଂସ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ଅପରାଜିତା । ରାଜ୍ୟଗୋଷ୍ଠୀ ଚେସ ଚମ୍ପିଆନସିପରେ କ୍ରମାଗତ ୨୦୧୨ ଓ ୧୩ ବର୍ଷ ପାଇଁ ରୌପ୍ୟ ପଦକ ଜିତି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସେ ବିଶ୍ୱ ଚେସ୍ ସଂଘ ଦ୍ୱାରା କ୍ୟାଣ୍ଡିଡେଟ୍ ମାଷ୍ଟର ଓ ଫିଡେ ଟ୍ରେନର୍ସ କମିଶନ ପକ୍ଷରୁ ନ୍ୟାସନାଲ ଇନଷ୍ଟ୍ରକ୍ଟର ଭାବେ ସମ୍ମାନିତ ହୋଇଛନ୍ତି । କୋଚ୍ ହେବା ପରେ ଖେଳ ଶେଷ ହୋଇଗଲାକି ପ୍ରଶ୍ନରେ ଅପରାଜିତା କହିଲେ ଆଦୌ ନୁହେଁ, ଖେଳ ଆଗକୁ ବି ଜାରି ରହିବ । ଉଜବେକିସ୍ତାନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ୍ ଗେମ୍ସ ରେ ଭାରତ ୮ ରୁ ୧୦ ଟି ପଦକ ଜିଣିବ ବୋଲି ଆଶା ବାନ୍ଧିଛନ୍ତି ଏହି ସର୍ବକନିଷ୍ଠା ଓଡିଆ କୋଚ୍ ।

Previous ଭାଜପାର କ୍ଷମତା ପିପାସା
Next ଫିଲ୍ଡିଂରେ ଉଡନ୍ତା ଚଢେଇ ଜଣ୍ଟି

No Comment

Leave a reply

Your email address will not be published. Required fields are marked *