2017-18 ରଣଜୀ ସିଜିନର ଶ୍ରେଷ୍ଠ ୫ ଜଣ ବ୍ୟାଟ୍ସମ୍ୟାନ


୨୦୧୭-୧୮ ରଣଜୀ ଋତୁର ଗ୍ରୁପ୍ ପର୍ଯ୍ୟାୟର ଖେଳ ଶେଷ ହୋଇଛି । ନକ୍ ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ପ୍ରାୟ ସମସ୍ତ ଦଳ ପ୍ରାଣପଣେ ଚେଷ୍ଟା କରିଥିଲେ । ଚଳିତ ରଣଜୀ ଋତୁରେ ଡାର୍କ ହର୍ସ ଭାବେ ବିବେଚିତ ମଧ୍ୟପ୍ରଦେଶ, କେରଳ ଓ ବିଦର୍ଭ ଅତ୍ୟନ୍ତ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟର ଦାବିଦାର ବିବେଚନା କରାଯାଉଥିବା ମୁମ୍ବାଇ, ଗୁଜୁରାଟ ଏବଂ ପଞ୍ଜାବ କ୍ୱାଟର ଫାଇନାଲ୍ ଟିକେଟ୍ ପାଇବା ପାଇଁ ପ୍ରତି ମ୍ୟାଚ୍ ରେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ।

ଅନେକ ହାଇ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଚଳିତ ରଣଜୀ ଋତୁର ରାଉଣ୍ଡ ରୋବିନ୍ ପର୍ଯ୍ୟାୟରେ ସମୁଦାୟ ୩ଟି ତ୍ରିଶତକ ଏବଂ ୯ଟି ଦ୍ୱିଶତକ ଦେଖିବାକୁ ମିଳିଥିଲା । ଖେଳାଳିଙ୍କ ସ୍ଥିର ପ୍ରଦର୍ଶନ, ସଂଗୃହୀତ ରନ୍, ହାରାହାରି, ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଆଧାର ରେ ଚଳିତ ରଣଜୀ ଋତୁର ୫ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ସମ୍ବନ୍ଧରେ ଆମେ ଏଠାରେ ଉପସ୍ଥାପନ କରୁଛୁ ।

ସଞ୍ଜୟ ରାମସ୍ୱାମୀ– ଚଳିତ ରଣଜୀ ସିଜିନ୍ ରେ ବିଦର୍ଭର ୨୨ ବର୍ଷୀୟ ଡାହାଣହାତି ବ୍ୟାଟ୍ସମ୍ୟାନ ସଞ୍ଜୟ ରାମସ୍ୱାମୀ ୯୫ ହାରରେ ୬୬୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ରହିଛି ତିନିଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ।

 

ଫୈଜ ଫୈଜଲ– ଚଳିତ ରଣଜୀ ସିଜିନରେ ବିଦର୍ଭର ବାମହାତି ବ୍ୟାଟ୍ସମ୍ୟାନ ଫୈଜ ଫୈଜଲ ମଧ୍ୟ ନିଜର ବ୍ୟାଟିଂ ପ୍ରଦର୍ଶନରେ କ୍ରିକେଟ ସମୀକ୍ଷକଙ୍କୁ ଅଭିଭୂତ କରିଛନ୍ତି । ୧୦୧.୪୨ ହାରରେ ଚାରିଟି ଦମଦାର ଶତକ ସହ ସେ ସଂଗ୍ରହ କରିଛନ୍ତି ୭୧୦ ରନ୍ । କ୍ରମାଗତ ତିନି ବର୍ଷ ରଣଜୀ ସିଜିନ୍ ରେ ସ୍ଥିର ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତାଙ୍କ ଦୃଷ୍ଟି ପଡିଲା ଫୈଜଲଙ୍କ ଉପରେ । ଭାରତ ସିନିୟର ଦଳରେ ସ୍ଥାନ ପାଇ ଜିମ୍ବାୱେ ବିରୋଧରେ ଏକମାତ୍ର ଏକଦିବସୀୟ ଖେଳିବାର ସୁଯୋଗ ପାଇଥିଲେ ସେ । ଆଉ ଚୟନକର୍ତ୍ତାଙ୍କ ଆସ୍ଥାକୁ ବଜାୟ ରଖି ସଂଗ୍ରହ କରିଥିଲେ ୫୫ ରନ୍ ।

ହନୁମା ବିହାରୀ– ଆନ୍ଧ୍ରପ୍ରଦେଶର ଏହି ତାରକା ଖେଳାଳି ଚଳିତ ରଣଜୀ ଟ୍ରଫିରେ ସଫଳ ପ୍ରଦର୍ଶନ କରିଛନ୍ତି । ଗୋଟିଏ ଅପରାଜିତ ତ୍ରିଶତକ ସହ ୯୪ ହାରରେ ହନୁମା ବିହାରୀ ସଂଗ୍ରହ କରିଛନ୍ତି ୭୫୨ ରନ୍ ।

 

ଅନମୋଲପ୍ରୀତ ସିଂହ– ୧୯ ବର୍ଷୀୟ ଅନମୋଲପ୍ରୀତ ୭ଟି ଇଂନିସରୁ ୩ଟି ବିଶାଳ ଶତକ ଏବଂ ଗୋଟିଏ ଅର୍ଦ୍ଧ ଶତକ ସହାୟତାରେ ସଂଗ୍ରହ କରିଛନ୍ତି ୭୫୩ ରନ୍ । ପଦାର୍ପଣ ମ୍ୟାଚ୍ ରେ ଅର୍ଦ୍ଧ ଶତକ ହାସଲ କରିଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚ୍ ରେ ଦଳରେ ସ୍ଥାନ ପାଇନଥିଲେ ଅନମୋଲପ୍ରୀତ । ସି.କେ. ନାୟଡୁ ଟ୍ରଫିରେ ଦମଦାର ଦ୍ୱିଶତକ ହାସଲ କରିବାରୁ ପୁଣି ଦଳରେ ତାଙ୍କୁ ସ୍ଥାନ ମିଳିଥିଲା । ପ୍ରତ୍ୟାବର୍ତ୍ତନ ମ୍ୟାଚ୍ ରେ ଗୋଆ ବିପକ୍ଷରେ ଶତକ ହାସଲ କରିବା ପରେ ପରବର୍ତ୍ତୀ ମ୍ୟାଚ୍ ରେ ଛତିଶଗଡ ବିରୋଧରେ ଚିତ୍ତାକର୍ଷକ ଦ୍ୱିଶତକ ହାସଲ କରିଥିଲେ । କ୍ୟାରିୟର ପଦାର୍ପଣରେ ଆଖିଦୃଶିଆ ପ୍ରଦର୍ଶନ ଯୋଗୁଁ ଅନମୋଲପ୍ରୀତଙ୍କୁ ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ମିଳିଥିଲା । ଚଳିତ ରଣଜୀ ଋତୁରେ ଏଯାବତ୍ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟନ ହୋଇଥିଲେ ମଧ୍ୟ ପଞ୍ଜାବ ନକ୍ ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ କରିବା ପାଇଁ ଏହା ଯଥେଷ୍ଟ ନଥିଲା ।

ମୟଙ୍କ ଅଗ୍ରୱାଲ– ଚଳିତ ରଣଜୀ ଋତୁରେ ଅଭୁତପୂର୍ବ ବ୍ୟାଟିଂ ଚାତୁରୀରେ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କର୍ଣ୍ଣାଟକର ପ୍ରତିଭାବାନ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ । ୧୩୩ ହାରରେ ଏଯାବତ୍ ୧୦୬୪ ରନ୍ ସଂଗ୍ରହ କରିସାରିଛନ୍ତି ମୟଙ୍କ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପ୍ରଥମ ଦୁଇଟି ମ୍ୟାଚ୍ରେ ବିଫଳ ହେବାରୁ ଦଳରେ ତାଙ୍କର ସ୍ଥାନକୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍ ରେ ମହାରାଷ୍ଟ୍ର ବିରୋଧରେ ବିଶାଳ ତ୍ରିଶତକ ହାସଲ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମୟଙ୍କ ।

Previous କୋହଲି ଓ ଅଶ୍ୱିନଙ୍କ ବିଶ୍ୱ କୀର୍ତ୍ତିମାନ
Next ଦିନିକିଆ କ୍ରିକେଟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିଥିବା ଖେଳାଳି

No Comment

Leave a reply

Your email address will not be published. Required fields are marked *