ଲୋକପ୍ରିୟ କୁଇଜ୍ ରିୟଲିଟି ସୋ ‘କୌନ୍ ବନେଗା କରୋଡ଼ ପତି’ ବା କେବିସିରେ ଅମିତାଭ ବଚ୍ଚନ ଯେତେବେଳେ କହନ୍ତି ‘କମ୍ପ୍ୟୁଟର୍ ଜୀ ଲକ୍ କିୟା ଜାୟେ’, ସେତେବେଳେ କେବଳ ହଟ୍ ସିଟରେ ବସିଥିବା ପ୍ରତିଯୋଗୀ ନୁହନ୍ତି, ଟିଭି ଦେଖୁଥିବା ଦର୍ଶକଙ୍କ ମଧ୍ୟ ହୃତସ୍ପନ୍ଦନ ବଢ଼ିଯାଏ । ଆପଣ ଅନେକ ସମୟରେ କେବିସିରେ ପ୍ରତିଯୋଗୀଙ୍କ କମ୍ପ୍ୟୁଟର୍ ସ୍କ୍ରିନର ଝଲକ୍ ଦେଖିବାକୁ ପାଇଥିବେ । କିନ୍ତୁ କେବେ ସୋ’ର ହୋଷ୍ଟ୍ ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଆଗରେ ଲାଗିଥିବା କମ୍ପ୍ୟୁଟର୍ ସ୍କ୍ରିନ ଦେଖିଛନ୍ତି କି? ଜାଣିଛନ୍ତି କି, କମ୍ପ୍ୟୁଟର୍ ଜୀ ସେଥିରେ ତାଙ୍କୁ କ’ଣ ଦେଖାନ୍ତି?
ସୋସିଆଲ ମିଡିଆରେ ଏହି ପ୍ରଶ୍ନର ଉତ୍ତର ରଖିଥିଲେ କେବିସିରେ ଭାଗନେଇ ୧୨ଲକ୍ଷ ୫୦ ହଜାର ଟଙ୍କା ଜିତିଥିବା ଜଣେ ପ୍ରତିଯୋଗୀ ଅଭିନବ ପାଣ୍ଡେ । ସେ କହିବା ଅନୁସାରେ, କେବିସିରେ ପ୍ରତିଯୋଗୀଙ୍କ ଆଗରେ ଲାଗିଥିବା କମ୍ପ୍ୟୁଟର୍ ସ୍କ୍ରିନ ରେସପନସିଭ ନୁହେଁ । ଅର୍ଥାତ୍ ପ୍ରତିଯୋଗୀ ଚାହିଁଲେ ସେଥିରେ କିଛି ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ନିର୍ଦ୍ଦେଶ ଦେଇପାରିବେ ନାହିଁ । କିନ୍ତୁ ବିଗ୍ ବିଙ୍କ ଆଗରେ ଲାଗିଥିବା କମ୍ପ୍ୟୁଟର ସ୍କ୍ରିନ ରେସପନସିଭ୍ । ସେ ଚାହିଁଲେ କୌଣସି ପ୍ରଶ୍ନ ଏଡ଼ାଇ ପରବର୍ତ୍ତୀ ପ୍ରଶ୍ନକୁ ଯାଇପାରିବେ ଏବଂ ତାହା ଦର୍ଶକଙ୍କୁ ଜଣାପଡ଼ିବ ନାହିଁ । ସେ ଚାହିଁଲେ କାର୍ଯ୍ୟକ୍ରମର ନିର୍ଦ୍ଧାରିତ ପ୍ରକ୍ରିୟାରେ ମଧ୍ୟ ସ୍ୱଳ୍ପ ପରିବର୍ତ୍ତନ କରିପାରିବେ ।
ଅମିତାଭ ବଚ୍ଚନଙ୍କ କମ୍ପ୍ୟୁଟର ସ୍କ୍ରିନରେ ସାଧାରଣତଃ ପଚରାଯାଇଥିବା ପ୍ରଶ୍ନ, ସମସ୍ତ ବିକଳ୍ପ ଉତ୍ତର (ଅପସନ୍), ପୁରସ୍କାର ରାଶି ତାଲିକା, ବ୍ୟବହାର ହୋଇଥିବା ଏବଂ ବାକି ଥିବା ଲାଇଫ୍ ଲାଇନ୍ ଗୁଡ଼ିକ ଦେଖାଯାଏ । ଯଦି କେତେବେଳେ ଅମିତାଭ ପ୍ରତିଯୋଗୀଙ୍କ ନାଁ, ଠିକଣା, ବୃତ୍ତି କିମ୍ବା ତାଙ୍କ ସହ କିଏ ସାଥୀ ଆସିଛନ୍ତି ଭୁଲିଯାଆନ୍ତି, ତେବେ ସେସବୁର ବିବରଣୀ ଏହି କମ୍ପ୍ୟୁଟର ସ୍କ୍ରିନରେ ଏବଂ ପ୍ରତିଯୋଗୀଙ୍କ ପଛପଟେ ଲାଗିଥିବା ଏକ ବଡ଼ ସ୍କ୍ରିନରେ ଦେଖିପାରନ୍ତି । ଏଥିସହ ପ୍ରତିଯୋଗୀଙ୍କ ଉତ୍ତର ଲକ୍ ହୋଇଯିବା ପରେ ଏହାର ସଠିକ ଉତ୍ତର ସେହି କମ୍ପ୍ୟୁଟର ସ୍କ୍ରିନରେ ଦେଖିପାରନ୍ତି ବିଗ୍ ବି । ଉତ୍ତର ଲକ୍ ହେବା ଆଗରୁ ତାଙ୍କୁ ମଧ୍ୟ ପ୍ରଶ୍ନର ସଠିକ ଉତ୍ତର ଜଣାନଥାଏ । ଉତ୍ତର ଲକ୍ ହେବା ପରେ ୪ଟି ବିକଳ୍ପରୁ ସଠିକ ଉତ୍ତର ଏବଂ ତା ସମ୍ପର୍କିତ କିଛି ତଥ୍ୟ ସେହି ସ୍କ୍ରିନରେ ଦେଖାଯାଏ, ଯାହାକୁ ଅମିତାଭ ଦର୍ଶକଙ୍କୁ କହିଥାନ୍ତି । କେବଳ ଏତିକି ନୁହେଁ, ପ୍ରତିଯୋଗୀ ‘ଫୋନ ଏ ଫ୍ରେଣ୍ଡ୍’ ଲାଇଫଲାଇନ ବ୍ୟବହାର କଲେ ଅମିତାଭଙ୍କ କମ୍ପ୍ୟୁଟରରେ ତାଙ୍କ ବନ୍ଧୁମାନଙ୍କର ତାଲିକା ଓ ବିବରଣୀ ଦେଖାଯାଏ । ଏଥିସହ ସ୍କ୍ରିନରେ ବ୍ରେକ୍ ସମୟରେ ଏକ ଟାଇମର୍ ଦେଖାଏ, ଯାହାକୁ ବିଗ୍ ବି ଚାହିଁଲେ ବଢ଼ାଇ ଦେଇପାରନ୍ତି । ଫାଷ୍ଟେଷ୍ଟ ଫିଙ୍ଗର୍ ଫାଷ୍ଟ୍ ରାଉଣ୍ଡରେ ଉଭୟ ହଟ୍ ସିଟ୍ ଓ ଅମିତାଭଙ୍କ ସିଟ୍ ପାଖରେ ଲାଗିଥିବା କମ୍ପ୍ୟୁଟର ସ୍କ୍ରିନ ବନ୍ଦ ରହେ ।
No Comment