ଚିନ୍ତା ବଢ଼ାଉଛି ‘ଗୁଡ୍ ମର୍ଣ୍ଣିଂ’, ଗୁଗଲ୍ ବି ସ୍ତବ୍ଧ

Are you tired of deleting 'Good Morning' images?

ଅନେକେ ପ୍ରତିଦିନ ସକାଳେ ନିଦରୁ ଉଠି ମୋବାଇଲ ଖୋଲିବା ବେଳକୁ ହ୍ୱାଟସଆପରେ ଅନେକଗୁଡ଼ିଏ ଗୁଡ୍ ମର୍ଣ୍ଣିଂ ମେସେଜ୍ ଆସିଥାଏ । କିଏ ଫୁଲ, ସୂର୍ଯ୍ୟୋଦୟ କିମ୍ବା ଚାହା କପ୍ ସହିତ ଗୁଡ୍ ମର୍ଣ୍ଣିଂ ଲେଖାଥିବା ଫଟୋ ପଠାଇଥାଏ ତ ଆଉ କିଏ ଦେବାଦେବୀଙ୍କ ଫଟୋ ସହ ପଠାଇଥାଏ । ଅନେକ ବନ୍ଧୁ ହ୍ୱାଟସଆପରେ ନିଜେ ସିଧାସଳଖ ଏହି ସବୁ ଫଟୋ ପଠାଇବା ସହ ଦୁଇଚାରିଟି ଗ୍ରୁପରେ ମଧ୍ୟ ସେୟାର କରିଥାନ୍ତି । ଫଳରେ ସେହି ସମାନ ଗୁଡ୍ ମର୍ଣ୍ଣିଂ ଫଟୋ ଦୁଇଚାରିଥର ମୋବାଇଲରେ ଜମା ହୋଇଯାଏ । ଆଉ ଫଳସ୍ୱରୂପ ମୋବାଇଲ୍ ମେମୋରି ଫୁଲ୍ । କେବଳ ହ୍ୱାଟସଆପ ନୁହେଁ, ଫେସବୁକ ଓ ଟ୍ୱିଟରରେ ମଧ୍ୟ ଅନେକେ ଗୁଡ୍ ମର୍ଣ୍ଣିଂ ମେସେଜ ପଠାଇଥାନ୍ତି । ଅନେକେ ଫଟୋ ନପଠାଇ ଆନିମେସନ୍ ଫାଇଲ୍ କିମ୍ବା ଭିଡିଓ ପଠାଇଦିଅନ୍ତି । ଯାହାକି ଆହୁରି ଅଧିକ ମୋବାଇଲ ଫୋନ ମେମୋରି ଖାଇଯାଏ । କେବଳ ଆପଣଙ୍କ କ୍ଷେତ୍ରରେ ନୁହେଁ ଭାରତର ଅନେକ ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ଏହି ସମସ୍ୟାରେ ସନ୍ତୁଳି ହେଉଛନ୍ତି । ନା ବନ୍ଧୁଙ୍କୁ ସବୁଦିନ ଗୁଡ୍ ମର୍ଣ୍ଣିଂ ଜଣାଇବାକୁ ମନା କରିହେବ, ନା ସବୁଦିନ ମେମୋରି ଖାଲି କରିବାକୁ ଏତେ ଗୁଡ଼ାଏ ଫଟୋ ଡିଲିଟ୍ କରିବାରେ ଆନନ୍ଦ ମିଳୁଥିବ ।

ଏହି ଗୁଡ୍ ମର୍ଣ୍ଣିଂ ମେସେଜ କେବଳ ଆପଣଙ୍କର ନୁହେଁ, ଗୁଗଲର ମଧ୍ୟ ଚିନ୍ତା ବଢ଼ାଇଛି । ଗୁଗଲର ଗବେଷକଙ୍କ ମତରେ ପ୍ରତିଦିନ ଭାରତରେ ପ୍ରତି ତିନଜଣଙ୍କ ମଧ୍ୟରେ ଜଣଙ୍କ ଫୋନର ମେମୋରି ଫୁଲ୍ ହୋଇଯାଏ । ଆଉ ଏହା ପଛରେ ଗୁଡ୍ ମର୍ଣ୍ଣିଂ ମେସେଜର ବିରାଟ ହାତ ରହିଛି । କାରଣ ସେମାନେ କହିଛନ୍ତି, ବିଗତ ୫ ବର୍ଷ ମଧ୍ୟରେ ଗୁଗଲ୍ ସର୍ଚ୍ଚରେ ‘ଗୁଡ୍ ମର୍ଣ୍ଣିଂ ଇମେଜ୍’ ଖୋଜିବା ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଛି । ଏଥିରୁ ମୁକ୍ତି ପାଇଁ ଗୁଗଲ୍ ‘ଫାଇଲସ୍ ଗୋ’ ନାଁରେ ଏକ ମୋବାଇଲ୍ ଆପ୍ ଲଞ୍ଚ୍ କରିଛି । ଏଥିରେ ଏଭଳି ଗୁଡ୍ ମର୍ଣ୍ଣିଂ ମେସେଜ୍ ଭଳି ଫଟୋ ଓ ଭିଡିଓ ଗୁଡ଼ିକ ଗୋଟିଏ ଥରରେ ଡିଲିଟ୍ କରିବାର ସୁବିଧା ରହିଥିବା ଗୁଗଲ ପକ୍ଷରୁ କୁହାଯାଇଛି ।

Previous ଏସିଆର ସଫାସୁତୁରା ଗାଁ ମାୱଲିନନଙ୍ଗ
Next ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ: ଭାରତୀୟ ଛାତ୍ର ସଂସଦ ପକ୍ଷରୁ ସମ୍ମାନିତ

No Comment

Leave a reply

Your email address will not be published. Required fields are marked *