କଠିନ ପରିଶ୍ରମ ଓ ସଠିକ୍ ଜ୍ଞାନକୌଶଳ ପ୍ରୟୋଗ କରିଲେ ଯେକୌଣସି ବୃତ୍ତିରେ ସଫଳତା ଅବସମ୍ଭାବି । ଏହା ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଅମ୍ବିକାପୁର ଗାଁର ଅଞ୍ଜନ ବିଶ୍ୱାଳ । ଦିନେ ନିଜ ପରିବାର ଚଳାଇବା ପାଇଁ ବିଭିନ୍ନ କାର୍ଯ୍ୟ କରିବା ସହ ୧୮ ବର୍ଷ ଘରୋଇ ବସରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରିବାକୁ ପଡ଼ିଥିଲା ତାଙ୍କୁ । ହେଲେ କୌଣସି ଏକ କାରଣରୁ କଣ୍ଡକ୍ଟର ଚାକିରୀ ଛାଡ଼ିବା ସହ ନିଜେ କିଛି କରି ସ୍ୱଧୀନ ଭାବେ ବଞ୍ଚିବାକୁ ଇଛା କରି ଚାଷବାସକୁ ଆପଣାଇ ନେଇଥିଲେ ଅଞ୍ଜନ । ଗାଁକୁ ଫେରି ପ୍ରାଥମିକଭାବେ ନିଜର ୩୦ ଡ଼ିସିମିଲ ପୈତୃକ ଜମିରେ ଅମୃତଭଣ୍ଡା ଚାଷକରିଥିଲେ ଓ ସେଥିରୁ ଲାଭ ମିଳିବା ପରେ ଚାଷ ପ୍ରତି ତାଙ୍କର ଆଗ୍ରହ ଅଧିକ ବଢିଥିଲା ଏବଂ ସେ କିପରି ଚାଷବାସକୁ ଆପଣାଇ ଆଗକୁ ବଢିପାରିବେ, କେଉଁ କୌଶଳ ଦ୍ୱାରା ଅଧିକ ଲାଭବାନ ହୋଇପାରିବେ ଚିନ୍ତି କରିଥିଲେ । ଏହାପରେ ସେହି ଜମିରେ ଏକ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ । ଏଥିରୁ ସଫଳତା ପାଇବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗାଉଁଲି ସୁଧରେ ପ୍ରଥମେ ୫ଲକ୍ଷ୍ୟ ଟଙ୍କା ଋଣ ଆଣି ସେଥିରେ ଜମି କିଣିଥିଲେ ଓ ସେହିଜମିରୁ କିଛି ପୋଖରୀ ଖୋଳି ମାଛ ଯାଆଁଳ ଚାଷ ପାଇଁ ବ୍ୟବହାର କରିଥିବା ବେଳେ ଆଉ କେତେକରେ ପନିପରିବା ଚାଷ କରିଥିଲେ । ଉଭୟ ଚାଷରୁ ମିଳିଥିବା ଲାଭରୁ ଋଣ ସୁଝିବା ସହ ଆଗକୁ ଜମି କିଣା ପୋଖରୀ ଖୋଳା ଜାରି ରଖିଥିଲେ ।
୨୦୦୯ ମସିହାରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଅଞ୍ଜନଙ୍କ ଜମି ୩୦ ଡ଼ିସିମିଲ ରୁ ୬ଏକରରେ ପହଞ୍ôଚଥିବା ବେଳେ ସେଥିରେ ୧୨ଟି ସାନବଡ଼ ପୋଖରୀ ଖୋଳି ମାଛ ଯାଆଁଳ ଚାଷ କରୁଛନ୍ତି । ଏନେଇ ସେ କୁହନ୍ତି କଣ୍ଡକ୍ଟର ଚାକିରୀ ଛାଡ଼ିବା ପରେ ମତେ ପରଅଧିନରେ କାମକରିବା ପାଇଁ ଇଛା ନଥିଲା ସ୍ୱାଧୀନ ଭାବେ କିଛି କାର୍ଯ୍ୟକରିବା ପାଇଁ ଚିନ୍ତା କରି ଗାଁକୁ ଫେରିଥିଲି । ସେଠାରେ ଥିବା ଆମର ୩୦ ଡ଼ିସିମିଲ ଜମିରେ ୩୫୦ଟି ଅମୃତଭଣ୍ଡା ଗଛ ଲଗାଇଲି ଆଉ ସେହି ବର୍ଷ ସେଥିରୁ ୧୮୦ କ୍ୱୁଇଣ୍ଟାଲ ଫଳ ତୋଳିବା ପରେ ମତେ ଖୁସି ଲାଗିଥିଲା ଆଉ ଚାଷକୁ କିପରି ଆଗକୁ ବଢାଇବି ଚିନ୍ତା କରିଥିଲି । ଚାଷ କାର୍ଯ୍ୟକୁ ଆଗକୁ ବଢଇବା ଓ ଅଧିକ ଲାଭ ପାଇବା ଆଶାରେ ପରିଶ୍ରମ କରିଚାଲିଲି । ଗାଉଁଲି ସୁଧରେ ୫ ଲକ୍ଷ ଟଙ୍କା ଋଣ ଆଣି ପୋଖରୀ ଖୋଳିଲି ଓ ପରିବା ଚାଷ କଲି । ଏବେ ମୁଁ ୧୨ଟି ପୋଖରୀରେ ମାଛ ଓ ଯାଆଁଳ ଚାଷ କରୁଥିବା ବେଳେ ବର୍ଷକୁ ସମସ୍ତ ପ୍ରକାର ଚାଷ ଓ ପଶୁପାଳନରୁ ୧୫ରୁ୧୬ଲକ୍ଷ ଟଙ୍କା ରୋଜଗାର କରିପାରୁଛି । ପରିଶ୍ରମ କରିବାକୁ ପଡ଼ୁଚି ସତ ହେଲେ ନିଜକାମରୁ ଖୁସି ମିଳୁଛି । ମୁଁ ସ୍ୱାଧୀନଭାବେ କାମକରୁଛି । ଏହାସହ ସମନ୍ୱୟ ଚାଷ କରିବା ଦ୍ୱାରା ମତେ ବର୍ଷ ସାରା ରୋଜଗାର ମିଳିପାରୁଛି ବୋଲି ଅଞ୍ଜନ କୁହନ୍ତି।
ତାଙ୍କ ମା’ ଅମ୍ବିକା ମାଛ ଯାଆଁଳ ଫାର୍ମରୁ ବାହାରୁଥିବା ରୋହୀ, ଭାକୁଡ଼, ମିରିକାଳି ଆଦି ବିଭିନ୍ନ କିସମର ଯାଆଁଳ ରାଜ୍ୟର କୋଣ ଅନୁକୋଣରୁ ମାଛ ଚାଷୀମାନେ ଆସି ନେବା ସହ କିଛି ମାସ ବ୍ୟବଧାନରେ ସେଗୁଡ଼ିକୁ ବଢାଇ ଲାଭବାନ ହେଉଛନ୍ତି । ଅଞ୍ଜନ ଫାର୍ମରେ ନିଜେ କାମ କରିବା ସହ ସହାୟତା ପାଇଁ ୮ରୁ୧୦ ଜଣକୁ ନିଯୁକ୍ତି ଦେଇଛନ୍ତି । ପୋଖରୀରେ ମାଛ ଓ ଯାଆଁଳ ଚାଷ କରୁଥିବା ବେଳେ ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାର ପରିବା ଓ ଆମ୍ବ ଗଛ ଲାଗାଇ ସେଥିରୁ ମଧ୍ୟ କଛି ଲାଭ ପାଉଛନ୍ତି । ଏହା ସହ ବନରାଜ କୁକୁଡ଼ା, ଗାଈ ପାଳନ ସାଙ୍ଗକୁ କଦଳୀ ବାଗନା ଓ ନଡିଆ ଗଛ ଲାଗାଇ ସେଥିରୁ ମଧ୍ୟ ଉପାର୍ଜନ କରୁଛନ୍ତି ସେ । ସୁବିଧା ଅସୁବିଧାରେ ସରକାରୀ କର୍ମଚାରୀଙ୍କ ପରାମର୍ଶ ନେବାକୁ ଭୁଲି ନଥାନ୍ତି ଅଞ୍ଜନ । ଏହାସହ ନିଜ ଉତ୍ପାଦକୁ ସଂରକ୍ଷଣ କରି ରଖିବା ପାଇଁ ଉଦ୍ୟାନ କୃଷି ସହାୟତାରେ ସେ ଏକ ଶୀତଳ ଭଣ୍ଡାର ତିଆରି କରିଛନ୍ତି ।ବାଲେଶ୍ୱର ଜିଲ୍ଲାରେ ଜଣେ ସଫଳ ଚାଷୀ ଭାବେ ପରିଚିତ ଅଞ୍ଜନ ନିଜ କାମ ପାଇଁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ଅଞ୍ଜନଙ୍କ ଫାର୍ମକୁ ବିଭିନ୍ନ ସମୟରେ ଚାଷୀମାନେ ଆସି ତାଙ୍କ କାମ ଦେଖନ୍ତି, ସେଥିରୁ ଶିଖନ୍ତି ଓ ଅନୁପ୍ରାଣୀତ ହୁଅନ୍ତି । ସତ୍ ଉଦ୍ଦେଶ୍ୟ, ନିଷ୍ଠା ଓ ପରିଶ୍ରମ ଯେ କେବେ ବୃଥା ଯାଏନି, ତାହାର ଏକ ନିଛକ ଉଦାହରଣ ହେଉଛନ୍ତି ଅଞ୍ଜନ । ଆଗାମୀ ଦିନରେ ନିଜ ଫାର୍ମକୁ ଅଧିକ ବଢାଇବା ସହ ଚାଷବାସକୁ ଅଗକୁ ନେବା ପାଇଁ ସେ ବେଶ ଆଶାବାଦି ।
No Comment