ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ: ୪ଟି ସଙ୍ଗଠନ ସହିତ ଏମ୍ଓୟୁ


ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ସଙ୍ଗଠନ ସହିତ ୪ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । କୋଲକାତାସ୍ଥିତ ଗ୍ଲୋକାଲ୍ ହେଲଥକେୟାର ସିଷ୍ଟମ ପ୍ରାଇଭେଟ ଲିମିଟେଡ, ଭେଲୋରସ୍ଥିତ ଖ୍ରିଷ୍ଟିଆନ୍ ମେଡିକାଲ୍ କଲେଜର ସେଣ୍ଟର ଫର୍ ଷ୍ଟେମ୍ ସେଲ୍ ରିସର୍ଚ, ନାରାୟଣ ହୃଦାଳୟ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ସହିତ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।

ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ରାଜ୍ୟର ଜନସାଧାରଣକୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ୧୪ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରୋଗୀଙ୍କୁ କୋଲକାତାସ୍ଥିତ ଗ୍ଲୋକାଲ ହେଲଥକେୟାର ସିଷ୍ଟମ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଭିଡିଓ କନଫରେସିଂ ମାଧ୍ୟମରେ ଅଭିଜ୍ଞ ଚିକିତ୍ସକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେବେ । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୧ଟି ଅଞ୍ଚଳକୁ ଏହି ସେବା ସମ୍ପ୍ରସାରିତ ହେବ ।

ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରକଳ୍ପରେ ଭିଡିଓ କନଫରେସିଂ ମାଧ୍ୟମରେ ଡକ୍ଟରଙ୍କ ପରାମର୍ଶ ଗ୍ରହଣ ପାଇଁ ଏକ ବର୍ହି ବିଭାଗ ଖୋଲାଯିବ । ଏଠାରେ କେତେକ ସାଧାରଣ ରୋଗର ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲାଯିବାର ପ୍ରସ୍ତାବ ରହିଛି । ଲୋକଙ୍କୁ ଏ ସବୁ ସେବା ମାଗଣାରେ ଉପଲବ୍ଧ ହେବ । ଥାଲାସେମିୟା ଏବଂ ସିକିଲ୍ ସେଲ୍ ଆନିମିଆ ରୋଗର ଚିହ୍ନଟ ଓ ନିଦାନ ପାଇଁ ଭେଲୋରସ୍ଥିତ ଖ୍ରିଷ୍ଟିଆନ୍ ମେଡିକାଲ୍ କଲେଜର ସେଣ୍ଟର ଫର୍ ଷ୍ଟେମ୍ ସେଲ୍ ରିସର୍ଚ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରସୂତୀ ମାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରକ୍ତହୀନତା ରୋଗକୁ କମିବାରେ ସରକାରଙ୍କ ଏହି ପ୍ରୟାସ ସଞ୍ଜିବନୀ ଭଳି କାର୍ଯ୍ୟ କରିବ ।

ଶିଶୁଙ୍କର ହୃଦ୍ ରୋଗ ଚିହ୍ନଟ କରିବା ପାଇଁ ନାରାୟଣ ହୃଦାଳୟ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଜିନଗତ ହୃଦ୍ ରୋଗରେ ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ ନାରାୟଣ ହୃଦାଳୟ ପକ୍ଷରୁ ଅପରେସନ୍ ପାଇଁ ସମସ୍ତ ସୁବିଧା ଯୋଗାଇଦିଆଯିବ । ଜିନଗତ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇଦେବ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ । ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

Previous ସ୍ତନ କ୍ୟାନସର ରୋଗୀଙ୍କ ପାଇଁ ସଞ୍ଜିବନୀ
Next ଆଗଧାଡିର ନାୟିକା ଅର୍ଚ୍ଚିତା ସାହୁ

No Comment

Leave a reply

Your email address will not be published. Required fields are marked *