ଭିଶିଙ୍ଗ୍ ଫ୍ରଡ଼ (Voice Calling Scam)
ଆପଣଙ୍କ ମୋବାଇଲକୁ ଫୋନ୍ କରି କେହି ଜଣେ ଅଜଣା ବ୍ୟକ୍ତି ବଡ଼ ଅଫିସରଙ୍କର ପରିଚୟ ଦେଇ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିପାରେ । ଏଥିପ୍ରତି ଆପଣ ସଚେତନ ରହିବା ଜରୁରୀ । କେହି ଅଜଣା ବ୍ୟକ୍ତି ଆପଣଙ୍କୁ ଫୋନ କରି ଆପଣଙ୍କର ଏଟିଏମ୍ କାର୍ଡ ବ୍ଲକ୍ ହୋଇଯିବା / ଏଟିଏମ୍ କାର୍ଡ ଆଧାର ସହିତ ଲିଙ୍କ କରାଯିବା / ଏଟିମ୍ କାର୍ଡ ଅପଡେଟ୍ କରାଯିବା ଭଳି ବିଭିନ୍ନ ଆଳ ଦେଖାଇ ଆପଣଙ୍କଠାରୁ ୧୬ ଟିକିଆ ଏଟିଏମ୍ କାର୍ଡ ନମ୍ବର, କାର୍ଡର ସମୟସୀମା, କାର୍ଡ ପଛରେ ଲେଖାଥିବା ସିଭିଭି ନମ୍ବର ଆଦି ମାଗିପାରନ୍ତି । ଏହି ନମ୍ବର ପାଇବା ପରେ ଉକ୍ତ ଅଜଣା ବ୍ୟକ୍ତି ବ୍ୟାଙ୍କରେ ରେଜିଷ୍ଟର ହୋଇଥିବା ଆପଣଙ୍କ ମୋବାଇଲ ନମ୍ବରକୁ ଆସିଥିବା ୬ ଅଙ୍କ ବିଶିଷ୍ଟ ଓଟିପି ନମ୍ବର ଆପଣଙ୍କୁ ମାଗିବେ । ଯଦି ଏସବୁ ତଥ୍ୟ ଆପଣ ଦେଇଦିଅନ୍ତି ତେବେ ସେହି ଅଜଣା ବ୍ୟକ୍ତି ଆପଣଙ୍କ ଆକାଉଣ୍ଟରୁ ଅନଲାଇନ୍ ମାଧ୍ୟମରେ ଟଙ୍କା ନେଇଯାଇ ପାରିବ । ଆପଣଙ୍କର ସଞ୍ଚିତ ଧନ ଅଜଣା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯିବ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମାନୁଯାୟୀ କୌଣସି ବ୍ୟାଙ୍କ କିମ୍ବା ବୀମା କମ୍ପାନୀ ଆପଣଙ୍କୁ ବ୍ୟାଙ୍କ ଜନିତ ତଥ୍ୟ ଫୋନ୍ କିମ୍ବା ଇ-ମେଲ୍ ମାଧ୍ୟମରେ ମାଗିପାରିବ ନାହିଁ । ତେଣୁ ନିଜ ବ୍ୟାଙ୍କ ଜନିତ ତଥ୍ୟ ଅପରିଚିତ ବ୍ୟକ୍ତି ତଥା ମୋବାଇଲ୍ ଓ ଇ-ମେଲ୍ ମାଧ୍ୟମରେ କାହାରିକୁ ନଜଣାଇବା ଉଚିତ୍ ।
ଏଟିମ୍ ବୁଥରେ ସାବଧାନତା
– ଅଜଣା ବ୍ୟକ୍ତିଙ୍କୁ ଏଟିମ୍ କାର୍ଡ ଦିଅନ୍ତୁ ନାହିଁ ।
– ଏଟିଏମ୍ ପିନ୍ ନମ୍ବର ନିଜେ ମନେ ରଖନ୍ତୁ ।
– ଏଟିଏମ୍ କାର୍ଡ ଉପରେ ପିନ୍ ନମ୍ବର ଲେଖନ୍ତୁ ନାହିଁ ।
– ଏଟିମ୍ କାଉଣ୍ଟରରେ ଅଜଣା ବ୍ୟକ୍ତିଙ୍କର ସାହାଯ୍ୟ ନିଅନ୍ତୁ ନାହିଁ ।
– ଏଟିଏମ୍ ମେସିନରେ ଥିବା କାର୍ଡ ରିଡର ସ୍ଲଟରେ କିଛି ଜିନିଷ କିମ୍ବା ସ୍କିମର ଲାଗିଛି କି ନାହିଁ ଚେକ୍ କରି ଟଙ୍କା ଉଠାନ୍ତୁ ।
– ବେଳେ ବେଳେ ନିଜ ଏଟିଏମ୍ ପିନ୍ ନମ୍ବର ବଦଳାଇ ନୂଆ ପିନ୍ ନମ୍ବର ଦିଅନ୍ତୁ ।
– ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରନ୍ତୁ ।
– ଏଟିଏମ୍ ରୁ ଟଙ୍କା ଉଠାଇବା ବେଳେ କାହାରିକୁ ଅନଧିକାର ପ୍ରବେଶ ଦିଅନ୍ତୁ ନାହିଁ ।
– ନିଜ ପିନ୍ ନମ୍ବର ଅଜଣା ବ୍ୟକ୍ତିଙ୍କ ଠାରୁ ଲୁଚାଇ ବ୍ୟବହାର କରନ୍ତୁ ।
କାର୍ଡ ସ୍ୱାଇପ୍ ବେଳେ ସାବଧାନତା (Point Of Sale)
– ଏଟିଏମ୍ କାର୍ଡରେ ଟଙ୍କା ପଇଠ ତଥା ଜିନିଷ କିଣିବା ବେଳେ କାର୍ଡ ସ୍ୱାଇପ ମେସିନ୍ ନିଜେ ବ୍ୟବହାର କରନ୍ତୁ ।
– ସ୍ୱାଇପ ମେସିନରେ ଏଟିଏମ୍ ପିନ୍ ନମ୍ବର ଲୁଚାଇ ମାରନ୍ତୁ ।
– ଆଖପାଖରେ ସ୍କିମର ଲାଗିଛିକି ନାହିଁ ଭଲଭାବେ ଲକ୍ଷ୍ୟ ରଖନ୍ତୁ ।
ଲଟେରୀ ସ୍କାମ୍ (Lottery Scam)
ଅନେକ ସମୟରେ ଲୁଟେରାମାନେ ପ୍ରଲୋଭନ ଦେଖାଇ ଆପଣଙ୍କଠାରୁ ଟଙ୍କା ସୁବିଧାରେ ଲୁଟିନିଅନ୍ତି । ଯଦି ଲଟେରୀ ଜିତିବା ବାବଦରେ କୌଣସି ଫୋନ୍ କଲ୍ ତଥା ମେସେଜ୍ କିମ୍ବା ଇ-ମେଲ୍ ଆସେ ତେବେ ଲୋଭର ବଶବର୍ତ୍ତୀ ହୁଅନ୍ତୁ ନାହିଁ । କୌଣସି ଅଜଣା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରନ୍ତୁ ନାହିଁ । ବ୍ୟାଙ୍କ ଆକାଉଣ୍ଟର କୌଣସି ବି ତଥ୍ୟ ଫୋନ୍ କିମ୍ବା ଇ-ମେଲ୍ ମାଧ୍ୟମରେ ଦିଅନ୍ତୁ ନାହିଁ ।
ବିଜ୍ଞାପନର ପ୍ରଲୋଭନରୁ ଦୂରେଇ ରୁହନ୍ତୁ
କୌଣସି ଖବର କାଗଜରେ ଦିଆଯାଉଥିବା ବିଜ୍ଞାପନର ପ୍ରଲୋଭନରେ ଆସନ୍ତୁ ନାହିଁ । ମୋବାଇଲ ଟାୱାର୍ ବସାଇବା ବିଜ୍ଞାପନରେ ଯୋଗାଯୋଗ ପାଇଁ ଦିଆଯାଇଥିବା ନମ୍ବରରେ କଲ୍ କଲେ ଆପଣ ଠକାମିର ଶିକାର ହୋଇପାରନ୍ତି । ଅଧିକ ରୋଜଗାରର ବା ଭଡ଼ାର ପ୍ରଲୋଭନ ଦେଖାଇ ସେମାନେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମାକରିବା କଥା କହିଲେ ଆପଣ ଜମାବି ବିଶ୍ୱାସ କରନ୍ତୁ ନାହିଁ । ସେହିଭଳି ଦେଶ ତଥା ଦେଶ ବାହାରେ ଚାକିରି କରାଇଦେବା, ଅଧିକ ଋଣ କରାଇଦେବା ଭଳି ବିଭିନ୍ନ ଲୋଭ ଦେଖାଇ କେହି ଯଦି ପ୍ରଥମେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ କହିଲେ ତାହା କରନ୍ତୁ ନାହିଁ ।
No Comment