ବର୍ଦ୍ଧିତ ରେପୋ ରେଟ ଛାଟ କାହିଁକି?

ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛନ୍ତି । ପୁଣିଥରେ ଲେଖିବାର ଉଦ୍ଦେଶ୍ୟ ହେଲା, ଗତ ଜୁନ ମାସରେ ଏହି ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନର ଏହି ବୃଦ୍ଧି ପରେ ରେପୋ ହାର ୬.୫୦ ପ୍ରତିଶତରେ ପହଞ୍ଚିଛି । ଏହି ରେପୋ ରେଟ ସହିତ ସାଧାରଣ ଗ୍ରାହାକଙ୍କର ସିଧାସଳଖ କୌଣସି ସମ୍ପର୍କ ନାହିଁ । ତେବେ ଦେଶର ବାଣିଜ୍ୟିକ ବ୍ୟାଙ୍କ ନିଜର ପାଣ୍ଠି ବା ପୁଞ୍ଜି ନିଅଣ୍ଟିଆ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କରୁ ଯେଉଁ ଦରରେ ଋଣ ସଂଗ୍ରହ କରିଥାନ୍ତି ତାହାକୁ ରେପୋ ରେଟ କୁହାଯାଏ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ମୁଦ୍ରାନୀତି ନିୟାମକ କମିଟି ବୈଠକର ନଷ୍ପତ୍ତି ଅନୁଯାୟୀ ଏଣିକି ବାଣିଜ୍ୟିକ ବ୍ୟାଙ୍କ ୬.୫% ସୁଧ ହାରରେ କେନ୍ଦ୍ରୀୟ ବ୍ୟାଙ୍କରୁ ଋଣ ସଂଗ୍ରହ କରିବେ । ତେବେ ଏହି ବର୍ଦ୍ଧିତ ସୁଧହାର ବାଣିଜ୍ୟିକ ବ୍ୟାଙ୍କଯେ ବହନ କରିବେ ତାହା ନୁହେଁ । ଏହି ସୁଧ ବୋଝକୁ ଗ୍ରାହକଙ୍କ ଉପରେ ସେମାନେ ଲଦି ଦେବା ସ୍ୱଭାବିକ୍ । ଏହାଫଳରେ ଗୃହ, ଗାଡ଼ି ଓ ବ୍ୟକ୍ତି ଗତ ଋଚ୍ଚର ଇଏମଆଇ ବଢିବ । ଏହି କ୍ଷେତ୍ରରେ ଗ୍ରାହାକଙ୍କ ଇଏମଆଇ ଅବଧି ବଢିବ ନଚେତ ଅଧିକ ଇଏମଆଇ ଦେବାକୁ ପଡ଼ିବ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡ଼ିପି ହାର ୭.୪ ପ୍ରତିଶତ ହୋଇଛି । ଗତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏହି ହାର ୭.୫ରୁ ୭.୬ ପ୍ରତିଶତ ହୋଇଥିଲା । ପରେ ଅକ୍ଟୋବରରୁ ମାର୍ଚ୍ଚରେ ୭.୩ରୁ୭.୪ ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ ମଧ୍ୟରେ ଜିଡ଼ିପି ହାରରେ ୭.୫ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଆମର ଏଠାରେ କହିବାର କଥା ଯେ ସମସ୍ତ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ଯଦି ସନ୍ତୋଷ ଜନକ ସ୍ଥିତିରେ ଅଛି ତେବେ ସୁଧ ହାର ବଢିବାର ଯଥାର୍ଥତା କଣ? ଆମ ଜାଣିବାରେ ମୁଦ୍ରାସ୍ଫୀତି ହାର ଅନିୟନ୍ତ୍ରିତ ଅବସ୍ଥାକୁ ଆସିଗଲେ ରିଜର୍ଭ ବ୍ୟାଙ୍କ ମୁଦ୍ରା ପ୍ରଚଳନକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ବଢାଇଥାନ୍ତି । ଗତ ଜୁନରେ ମୁଦ୍ରାସ୍ଫୀତି ହାର ୫ପ୍ରତିଶତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ପାଇକାରୀ ମୂଲ୍ୟସୂଚି ହାର ୪.୮%ରେ ସୀମିତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି । ତାଙ୍କର ଏହି ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ ଆଗାମୀ ଦିନରେ ମୁଦ୍ରାସ୍ଫୀତି ବା ମୂଲ୍ୟ ବୃଦ୍ଧି ଘଟିବାର ଆଶଙ୍କା ନାହିଁ ।
ଘରୋଇ ବଜାରରେ ଚିନ୍ତା ଓ ଉଦବେଗର କାରଣ ହୋଇଛି ଅଶୋଧିତ ତୈଳ ଦର ଓ ଡଲାର । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୮୦ ଡଲାର ହୋଇଛି । ଏଥି ମଧ୍ୟରେ ଏହି ତୈଳ ଦର ପ୍ରାୟ ୨୦% ବଢିଲାଣି । ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ସଂପ୍ରତି ଏକ ଡଲାରର ବିନିମୟ ମୂଲ୍ୟ ୬୯.୫ ଟଙ୍କା ହୋଇଛି । ଫଳରେ ଆମଦାନୀ- ରପ୍ତାନି ବାଣିଜ୍ୟରେ ନିଅଣ୍ଟ ବୃଦ୍ଧି ପାଉଛି ।
ଏହି ସୁଧ ହାର ବୃଦ୍ଧିର ପ୍ରତିକୂଳ ପ୍ରଭାବ ପଡ଼ିବ ଦେଶର ଔଦ୍ୟୋଗିକ ବିକାଶ ଉପରେ । ଏହାଫଳରେ ବିଭିନ୍ନ ଉଦ୍ୟୋଗର ସଂପ୍ରସାରଣ ବାଧାପ୍ରାପ୍ତ ହେବ । ବର୍ଦ୍ଧିତ ସୁଧ ହାର ଅପରିବର୍ତ୍ତିତ ରହିଲେ ଦେଶର ଆଥିକ ବିକାଶରେ ମାନ୍ଦା ଅବସ୍ଥା ସୃଷ୍ଟି ହେବ ଓ ନିଯୁକ୍ତ ସଂକୋଚନକୁ ଏଡ଼ାଇ ଦେଇ ହେବ ନାହିଁ । ବର୍ଦ୍ଧିତ ରେପୋ ରେଟ ପାଇଁ ବାଣିଜ୍ୟିକ ବ୍ୟାଙ୍କ ନିର୍ବିଚାର ଭାବେ ଋଣି ଜନସାଧାରଣଙ୍କଠାରୁ ଅଧିକ ସୁଧ ଆଦାୟ କରୁଥିବା ବେଳେ ବ୍ୟାଙ୍କରେ ଜମା ରଖିଥିବା ଅର୍ଥ ଉପରେ ଗ୍ରାହକଙ୍କୁ କାହିଁକି ଅଧିକ ସୁଧ ଦେବେ ନାହିଁ? ସୁଧ ହାର ହ୍ରାସର ପରାଭବ ଭୋଗୁଥିବା ଜମାକାରୀଙ୍କ ସ୍ୱାର୍ଥ ପତି ରିଜର୍ଭ ବ୍ୟାଙ୍କ ଆଖି ବୁଜି ଦେବା ଉଚିତ୍ ହେଉ ନାହିଁ ।
କାନନ ଦାଶ, ବରିଷ୍ଠ ସାମ୍ବାଦିକ

Previous ଗୋରାରଙ୍ଗ ପାଇଁ ଘରୋଇ ଉପଚାର
Next ଶିଆଳି ବେଳାଭୂମି ...

No Comment

Leave a reply

Your email address will not be published. Required fields are marked *