ଭବାନୀପାଟଣାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଭବାନୀପାଟଣା ଓ ରାଉରକେଲାରେ ହେବାକୁ ଥିବା ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗଦେବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛନ୍ତି ସେ । ୧୫ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି ରାହୁଲ । ଦଳର ମୁଖିଆଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । ଅପରାହ୍ନ ୨ଟାରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଭବାନୀପାଟଣା ଓ ରାଉରକେଲା ଉଭୟ ସ୍ଥାନ ଜନଜାତି ବହୁଳ ହୋଇଥିବାରୁ ସେମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି ରାହୁଲ । ଗତ ଥର ଓଡ଼ିଶା ଗସ୍ତ ସମୟରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଅନେକ ପ୍ରସଙ୍ଗ ଉଠାଇ ଥିଲେ। ତାଙ୍କ ଉପସ୍ଥିତିରେ ରାଜ୍ୟ କର୍ମୀଙ୍କ ସାରାକରୀ ବିରୋଧୀ ସ୍ୱର ଶାଣିତ ହେବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂ ଦଳ ଛାଡିବା ପରେ କଂଗ୍ରେସର ପଶ୍ଚିମ ଓଡିଶାରେ ଦୁର୍ବଳ ହୋଇପଡିଥିବାର ଚର୍ଚ୍ଚା ହେଉଥିଲା । ଆଉ ଏହିଭଳି ସମୟରେ ପଶ୍ଚିମ ଓଡିଶାରେ ସମାବେଶ କରି ଦଳକୁ ଶକ୍ତିଶାଳୀ କରିବାକୁ ରାହୁଲ ପ୍ରୟାସ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଆଜି କଂଗ୍ରେସ ଦଳରୁ ବିଦା ହୋଇଥିବା ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଗତମାସ ୧୭ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ଏହାପରେ ସେ ୨୨ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେହିଭଳି ଆଜି କଂଗ୍ରେସକୁ ଫେରିବେ ପୂର୍ବତନ ସାଂସଦ ସୁବାସ ନାୟକ। ରାହୁଲ ଗାନ୍ଧିଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ ବୋଲି ଜଣାପଡିଛି ।
ଆଶା ଆଶଙ୍କାରେ ରାହୁଲଙ୍କ ଓଡ଼ିଶା ଗସ୍ତ
Rahul gandhi in Odisha

No Comment