ଜ୍ୟୋତି ହେଲେ ପରିବାରର ଆଲୋକ ବର୍ତ୍ତିକା


ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ବେକାର ଯୁବଗୋଷ୍ଠୀଙ୍କ ପାଇଁ ଆଶାର ଆଲୋକ ପାଲଟିଛି । କେବଳ ଯୁବଗୋଷ୍ଠୀ ନୁହେଁ ମହିଳାମାନେ ମଧ୍ୟ ଏହି ପ୍ରତିଷ୍ଠାନରୁ ତାଲିମ ନେଇ ନିଜ ପରିବାର ପ୍ରତିପୋଷଣର ମାଧ୍ୟମ ହୋଇପାରିଛନ୍ତି । ଘରର ପୁରୁଷ ଲୋକଙ୍କ ଉପରେ ଆର୍ଥିକ ବୋଝ ହାଲୁକା ହୋଇଛି । ଏଭଳି ଏକ ନିଚ୍ଛକ କାହାଣୀର ଅବତାରଣା ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଏଠାରେ ଉପସ୍ଥାପନା କରୁଛୁ ।

ରାୟଗଡା ଜିଲ୍ଲା ରଙ୍ଗିଗୁଡା ଫାର୍ମ ଅଞ୍ଚଳର ଏଭଳି ଜଣେ ଉଦଯୋଗୀ ମହିଳା ହେଲେ ଶ୍ରୀମତୀ ପି ଜ୍ୟୋତି । ମାଟ୍ରିକ ପାସ କଲାପରେ ସେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ଜ୍ୟୋତିଙ୍କ ସ୍ୱାମୀ ଗୋଟିଏ ବେସରକାରୀ ସଂସ୍ଥାରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଝିଅ ଜନ୍ମ ହେବା ପରେ ସ୍ୱାମୀଙ୍କ ରୋଜଗାରରେ ଘର ଚଳିବା କଷ୍ଟକର ହେଇପଡେ । ଏଭଳି ପରିସ୍ଥିତିରେ କୌଣସି ତାଲିମ ନେଇ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରନ୍ତି ଜ୍ୟୋତି । ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ପର୍କରେ ଜାଣିବା ପରେ ବିଉଟି ପାର୍ଲର ତାଲିମ ନେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ସେ । ନିଜର ଶିଖିବା ମନୋବୃତ୍ତି ଯୋଗୁଁ ଖୁବ୍ କମ୍ ଦିନ ମଧ୍ୟରେ ରୂପଚର୍ଯ୍ୟା ସମ୍ବନ୍ଧରେ ବହୁ ତଥ୍ୟ ଜାଣିପାରନ୍ତି ଜ୍ୟୋତି ।

ସଫଳତାର ସହ ତାଲିମ ନେଇସାରିଲା ପରେ ଅଧିକ ଅଭିଜ୍ଞତା ହାସଲ ପାଇଁ ଜ୍ୟୋତି ଏକ ବିଉଟି ପାର୍ଲରରେ କାମ କରିବା ଆରମ୍ଭ କଲେ । ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନରେ ନେଇଥିବା ତାଲିମ ଏବଂ ବିଉଟି ପାର୍ଲର କାମ କରି ସାଉଁଟିଥିବା ଅଭିଜ୍ଞତା ତାଙ୍କୁ ନିଜସ୍ୱ ଉଦ୍ୟୋଗ ଆରମ୍ଭ ପାଇଁ ସାହସ ଯୋଗାଇଲା । ପ୍ରଥମେ ସେ ୨,୧୫୦୦୦ ଟଙ୍କା ପୁଞ୍ଜି ନିବେଶ କରି ନିଜସ୍ୱ ବିଉଟି ପାର୍ଲର ଆରମ୍ଭ କଲେ । ଏବେ ସବୁ ଖର୍ଚ୍ଚ ଯାଇ ମାସକୁ ପ୍ରାୟ ୧୫,୦୦୦ ଟଙ୍କା ଆୟ କରୁଛନ୍ତି ଜ୍ୟୋତି । ଜଣେ ମହିଳାଙ୍କୁ ମଧ୍ୟ ନିଜ ଦୋକାନରେ କର୍ମସଂସ୍ଥାନ ଯୋଗାଇପାରିଛନ୍ତି ସେ । ଆଗକୁ ବ୍ୟବସାୟର କଳେବର ବୃଦ୍ଧି ପାଇଁ ଯୋଜନା ରଖିଛନ୍ତି ଶ୍ରୀମତୀ ପି. ଜ୍ୟୋତି ।

ସୌଜନ୍ୟ -ଓଡ଼ିଶା ପଞ୍ଚାୟତ ସମାଚାର

Previous ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ସନା ଖିଲୋ
Next ରଞ୍ଜୁଙ୍କ ଭବିଷ୍ୟତ ଗଢିଲା ରୁଡ୍ସେଟି

No Comment

Leave a reply

Your email address will not be published. Required fields are marked *