ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅପ୍ ଇଣ୍ଡିଆ-ଓଡିଶା ଯାତ୍ରାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୧୬ଟି ଜିଲ୍ଲାର ୬୦ଟି ଶିକ୍ଷା ପ୍ରତିଷ୍ଠାନକୁ ଯାତ୍ରା କରିବ ଏହି ଷ୍ଟାର୍ଟଅପ୍ ଭ୍ୟାନ୍ । ୫୦ ଜଣ ଶ୍ରେଷ୍ଠ ଉଦ୍ୟୋଗୀଙ୍କୁ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗତ ୮ ମାସରେ ଷ୍ଟାର୍ଟ ଅପ୍ ଓଡିଶା ଇନିସିଏଟିଭ୍ ରେ ୧୭୫ଟି ଷ୍ଟାର୍ଟ ଅପ୍ ରେଜିଷ୍ଟର କରିଛନ୍ତି । ୨୦୨୦ ସୁଦ୍ଧା କିପରି ୧୦୦୦ଟି ଷ୍ଟାର୍ଟ ଅପ୍ ପଞ୍ଜିକୃତ ହେବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ରାୟଗଡା ଏବଂ ଗଞ୍ଜାମ ଜିଲ୍ଲାର ସମୁଦାୟ ୬୦ଟି ଶିକ୍ଷା ପ୍ରତିଷ୍ଠାନ ବୁଲିବ ଏହି ଷ୍ଟାର୍ଟ ଅପ୍ ଭ୍ୟାନ ।
ଏହି ଭ୍ୟାନ୍ ଯାତ୍ରା କାଳରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, କିଟ୍, ନିଟ୍, ବିକ୍ରମଦେବ କଲେଜ, କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ କର୍ମଶାଳା ଆୟୋଜିତ ହେବ । କର୍ମଶାଳାରେ ବିଜୟୀ ଉଦ୍ୟୋଗୀଙ୍କୁ ଆର୍ଥିତ ପ୍ରୋତ୍ସାହନ, ଆଇନ୍ ପରାମର୍ଶ, ମେଣ୍ଟରସିପ୍ ସହାୟତା ଆଦି ସୁବିଧା ଦିଆଯିବ । ଟାୟାର-୨ ଏବଂ ଟାୟାର-୩ ସହରରେ ଷ୍ଟାର୍ଟ ଅପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରି ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏମ୍ ଏସ୍ ଏମ୍ ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ । ମାସେ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇ ଭୁବନେଶ୍ୱରରେ ଗ୍ରାଣ୍ଡ ଫିନାଲେ ସହ ଶେଷ ହେବ । ଷ୍ଟାର୍ଟ ଅପ୍ ଯାତ୍ରା ସମୟରେ ଶିକ୍ଷା ପ୍ରତିଷ୍ଠାନମାନଙ୍କରେ ଷ୍ଟାର୍ଟ ଅପ୍ କ୍ଲବ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ଏମ୍ ଏସ୍ ଏମ୍ ଇ ସମ୍ପାଦକ ଶ୍ରୀ ଏଲ୍.ଏନ୍. ଗୁପ୍ତା । ତିନିରୁ ଚାରି ଜଣ ଭଲ୍ୟୁଣ୍ଟର ଏବଂ ପ୍ରଫେସର ଇନ୍ ଚାର୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଷ୍ଟାର୍ଟ ଅଫ୍ କ୍ଲବ ଗୁଡିକ ପରିଚାଳିତ ହେବ ।
No Comment