ଦୂର୍ବଳ ଟଙ୍କା ଉଦବେଗଜନକ ସ୍ଥିତିରେ

Weak Indian rupee

ସୋମବାରର କାରବାର ବନ୍ଦ ହେଲାବେଳକୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ୬୯.୯୩କୁ ହ୍ରାସ ପାଇଛି । ଆନ୍ତର୍ଜାତିକ ବଜାରରେ ଯେଉଁ ଅସ୍ଥିରତା ଲାଗି ରହିଛି ସେଥିରେ ଟଙ୍କାର ସ୍ଥିତି ଆଗାମୀ ଦିନରେ ଆହୁରି ଦୁର୍ବଳ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ତାହା ଯଥେଷ୍ଟ ନୁହେଁ । ଏହା ଫଳରେ ଆମଦାନୀ ବ୍ୟୟ ଭାର ଆହୁରି ବୃଦ୍ଧି ପାଇବ । ଦେଶର ଅଶୋଧିତ ତୈଳ ଚାହିଦା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏଣିକି ଆନ୍ତର୍ଜାତିକ ବଜାରରେ ବର୍ଦ୍ଧିତ ତୈଳ ଦର ସାଙ୍ଗକୁ ଡଲାର ବାବଦରେ ଅଧିକ ବ୍ୟୟ ଭାର ବହନ କରିବାକୁ ପଡ଼ିବ । ଏହାର ସୁଦୂର ପ୍ରସାରୀ ପ୍ରଭାବ ଦେଶର ଆଭ୍ୟନ୍ତରୀଣ ଅର୍ଥନୀତି ଉପରେ ପରିଲକ୍ଷିତ ହେବ ।

ଆମେରିକାର ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ପରେ ସେଠିକାର ମୁଦ୍ରା ‘ଲିରା’ ଦୁର୍ବଳ ହୋଇଛି । ସମଗ୍ର ଦେଶରେ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହେବା ଆଶଙ୍କାରେ ତୁର୍କୀବାସୀ ଗଛିତ ଲିରା ବଦଳରେ ଡଲାର ସଂଗ୍ରହ କରୁଥିବାରୁ ଲିରାର ମୂଲ୍ୟ ୮% ହ୍ରାସ ପାଇଛି । ତୁର୍କୀର ଏହି ପରିସ୍ଥିତି ଯେ ସମଗ୍ର ବିଶ୍ୱ ବଜାରରେ ହଲଚଲ୍ ସୃଷ୍ଟି କରିଛି ତାହା ନୁହଁ । ସମଗ୍ର ବିଶ୍ୱରେ ଭାରତ ଅନ୍ୟତମ ଅର୍ଥନୈତିକ ଶକ୍ତି ରୂପେ ନିଜକୁ ଉପସ୍ଥାପନ କରୁଥିବା ବେଳେ ଦୁର୍ବଳ ଲିରା ପାଇଁ ଭାରତୀୟ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହୋଇଗଲା ବୋଲି କହିବା ଠିକ୍ ନୁହେଁ । କାରଣ ଏସିଆର ଅନ୍ୟ ପ୍ରମୁଖ ରଷ୍ଟ୍ର ତୁଳନାରେ ଭାରତୀୟ ମୁଦ୍ରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ । ଏଠାରେ ସୂଚନା ଦିଆଯାଇପାରେକି ୨୦୧୩ ଡ଼ିସେମ୍ବର ୩ ତାରିଖରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବାଧିକ ୬୮.୮୪କୁ ହ୍ରାସ ପାଇଥିବା ବେଳେ ବିଜେପି ତତ୍କାଳୀନ ୟୁପିଏ ସରକାରର କଡ଼ା ସମାଲୋଚନା କରିଥିଲା ।

ଆମର ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ ଯେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତରେ ନିବେଶ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ତେଣୁ ଦେଶରେ ଡଲାର ମହଜୁଦ ପରିମାଣ ହ୍ରାସ ପାଇଛି । ଅନ୍ୟ ପକ୍ଷରେ ଏହି ବିଦେଶୀ ପୁଞ୍ଜିନିବେଶକମାନେ ୯୭୧.୮ କୋଟି ଟଙ୍କାର ଶେୟାର ନେଟ ମାଧ୍ୟମରେ କ୍ରୟ କରି ନେଇଥିବାରୁ ପୁଞ୍ଜିବଜାରର କାରବାର ମଧ୍ୟ ହ୍ରାସ ପାଇଛି । ସେନ୍ସେକ୍ସ କାରବାର ୨୨୪.୩୩ ପଏଣ୍ଟକୁ ହ୍ରାସ ପାଇ ୩୭,୬୪୪.୯୦ରେ ପହଞ୍ଚିଛି । ଦେଶର ମୁଦ୍ରାସ୍ଫୀତି ଓ ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ମୁଦ୍ରା ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କ ୨ଟି ପର୍ଯ୍ୟାୟରେ ସୁଧହାର ବଢାଇଛନ୍ତି । ବର୍ତ୍ତମାନର ଖାଉଟି ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିବା ବେଳେ ବର୍ଦ୍ଧିତ ସୁଧହାର ଆଭ୍ୟନ୍ତରୀଣ ବଜାର ପରିସ୍ଥିତିରେ କେବଳ ମାନ୍ଦା ଅବସ୍ଥା ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଡଲାର ତୁଳନାରେ ଦୁର୍ବଳ ଟଙ୍କାର ମୂଲ୍ୟ ସୁଧାରିବା ଏତେ ସହଜ ନୁହେଁ । ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ଥିତି ସୁଧାରିବା ପାଇଁ ଚାଲିଥିବା ପ୍ରୟାସର ସୁଫଳ ଆଗାମୀ ଦିନରେ କଣ ହେବ ତାହା ଉପରେ ସମସ୍ତଙ୍କର ସତର୍କ ଦୃଷ୍ଟି ରହିଛି ।

ବରିଷ୍ଠ ସାମ୍ବାଦିକ-କାନନ ଦାସ

Previous ଶିଆଳି ବେଳାଭୂମି ...
Next ଭୋଟ ପାଇଁ ଚୀନରୁ ଆସିବ ନୋଟ୍!

No Comment

Leave a reply

Your email address will not be published. Required fields are marked *